ଆନ୍ଧ୍ର ଆଡ଼ୁ ମାଡ଼ି ଆସୁଛି ବିପଦ; ପ୍ରଥମ ଦିନରେ ସୀମା ପାର ହେଲେ ୩୨୦ ପ୍ରବାସୀ

ନେଗେଟିଭ୍ ରିପୋର୍ଟ ନଥିବା ପ୍ରବାସୀଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦେଶ

ରାୟଗଡ଼ା: ଆନ୍ଧ୍ର ଆଡ଼ୁ ରାୟଗଡ଼ାକୁ ମାଡ଼ି ଆସୁଛି ବିପଦ। ଜିଲ୍ଲାର ୩ ସୀମାନ୍ତ ପଥ ଦେଇ ଘରମୁହାଁ ହେଉଛନ୍ତି ପ୍ରବାସୀ। ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଛତିଶଗଡ଼କୁ ଯାତାୟାତ ପାଇଁ ରାୟଗଡ଼ା ଉପରେ ନିର୍ଭର କରୁଛନ୍ତି ପ୍ରବାସୀ। ପ୍ରତିଦିନ ଶହ ଶହ ସଂଖ୍ୟାର ଗାଡ଼ିରେ ପ୍ରବାସୀ ଘରକୁ ଫେରୁଥିବାରୁ ରାୟଗଡ଼ା ଦେଇ ଯାଉଥିବା ପ୍ରବାସୀଙ୍କ ଉପରେ ନଜର ରଖିବାକୁ ଆଜିଠୁ ଆନ୍ଧ୍ର ସୀମାରେ ନାକା ଲଗାଇଛି ପ୍ରଶାସନ। ୨୪ ଘଣ୍ଟିଆ ଡ୍ୟୁଟିରେ ମୁତୟନ ହୋଇଛନ୍ତି ପରିବହନ-ସ୍ବାସ୍ଥ୍ୟ-ରାଜସ୍ବ-ପୁଲିସ୍ ବିଭାଗ ଅଧିକାରୀ।

ଆନ୍ଧ୍ରକୁ ସଂଯୋଗ ହୋଇଥିବା ଜିଲ୍ଲାର କେରେଡ଼ା, ବେସନାପୁଟ, କାଟିକିରେ ନାକା ଲାଗିବା ପରେ ଯାଞ୍ଚ କଡାକଡ଼ି ହୋଇଛି। ଆଜି ପ୍ରଥମ ଦିନରେ ସଂଧ୍ୟା ସୁଦ୍ଧା ୩୨୦ ପ୍ରବାସୀ ୩ ସୀମାନ୍ତ ପଥ ଅତିକ୍ରମ କରିଛନ୍ତି। କେରେଡ଼ା ଦେଇ ସର୍ବାଧିକ ୨୫୦, ବେସନାପୁଟ ଦେଇ ୬୬, କାଟିକି ଦେଇ ୧୦ ପ୍ରବାସୀ ଆସିଥିବା ସରକାରୀ ସୂତ୍ରରୁ ଜଣାପଡିଛି।

ଜିଲ୍ଲାରେ ସଂକ୍ରମଣ ସ୍ଥିତି ଉଗ୍ର ହେଉଥିବାରୁ ଆଜି ଦିନକରେ ଜେକେପୁର କୋଭିଡ଼୍ ହସପିଟାଲରେ ୮ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗତକାଲି ସୁଦ୍ଧା କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଆକ୍ରାନ୍ତ ଥିଲେ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୧୪ରେ ପହଞ୍ଚିଛି। ଜିଲ୍ଲାରୁ ଆଜି ୩୫ ପଜିଟିଭ୍ ଚିହ୍ନଟ ହେବା ପରେ ସଂକ୍ରମଣ ବ୍ଲକସ୍ତରକୁ ବ୍ୟାପିଥିବା ସ୍ପଷ୍ଟ ହୋଇଛି। ସଂକ୍ରମିତଙ୍କ ମଧ୍ୟରେ ମୁନିଗୁଡ଼ାରୁ ସର୍ବାଧିକ ୨୦, ରାୟଗଡ଼ା ସହରାଞ୍ଚଳରୁ ୮, ଗୁଣପୁର ସହରାଞ୍ଚଳରୁ ୪, କାଶୀପୁରରୁ ୨, ବିଷମକଟକରୁ ଜଣେ ସଂକ୍ରମିତ ରହିଛନ୍ତି। ଆଗକୁ ସ୍ଥିତି ବିଗିଡ଼ିବାର ସମ୍ଭାବନା ଥିବାରୁ କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା ଡାକ୍ତର, ନର୍ସ ଓ ଅନ୍ୟ ଷ୍ଟାଫଙ୍କୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦେଶ ଦେଇଛନ୍ତି।

ଖୋଦ୍ ଜିଲ୍ଲାପାଳ ଆଜି ଗୁଣପୁର ବ୍ଲକର ଦୁଇ ଆନ୍ଧ୍ର ସୀମାନ୍ତ ଅଞ୍ଚଳ ପରିଦର୍ଶନରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଘରମୁହାଁ ହେଉଥିବା ପ୍ରବାସୀଙ୍କ ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳ ଗୁଣପୁର ଉପଜିଲ୍ଲାପାଳ ସୋନାଲ୍ କୁମାର ଜେନାଙ୍କ ସହ ଆଲୋଚନା କରିଛନ୍ତି। ସୀମାନ୍ତ ଦେଇ ଆସୁଥିବା ପ୍ରବାସୀଙ୍କ ଆରଟିପିସିଆର ରିପୋର୍ଟ, ଟିକାକରଣ ପ୍ରମାଣ ପତ୍ର ଦେଖାଇବା ଉପରେ ବାଧ୍ୟତାମୂଳକ କରାଯାଇଛି। ନଚେତ ସ୍ବୀକାରୋକ୍ତି ପ୍ରମାଣପତ୍ର ପ୍ରଦାନ କରି ଘରେ ସାତ ଦିନ ପାଇଁ ସଂଘରୋଧ ରହିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ସେହିପରି ଜିଲ୍ଲାପାଳ ବିଷମକଟକ, ଗୁଣପୁର ଉପକାରାଗାର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। କରୋନାର ପ୍ରଥମ ଲହରୀରେ ରାୟଗଡ଼ା, ଗୁଣପୁର କାରାଗାରର ୩ ଶହ ଅନ୍ତେବାସୀ ଆକ୍ରାନ୍ତ ହୋଇଥିଲେ।

ଏହି ଦୃଷ୍ଟିକୋଣରୁ କାରଗାର ଭିତରେ ଓ ବାହାରେ ସାମାଜିକ ଦୂରତାକୁ ଗୁରୁତ୍ବ, ମାସ୍କ ପରିଧାନକୁ କଡାକଡି କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଖୁବ୍ ଶୀଘ୍ର ଗୁଣପୁର ଆଦର୍ଶ ବିଦ୍ୟାଳୟରେ କୋଭିଡ କେୟାର ସେଣ୍ଟର ଖୋଲିବାକୁ ଥିବାରୁ ଜିଲ୍ଲାପାଳ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ ସମୟରେ ଉପଜିଲ୍ଲାପାଳ ସୋନାଲ ଜେନା, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତିପ୍ରଭା ପ୍ରଧାନ, ଗୁଣପୁର ଆଦର୍ଶ ଥାନା ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କେରେଡ଼ା ସୀମାରେ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡିଓ ରାଜେନ୍ଦ୍ର ମାଝି, ତହସିଲଦାର ଉମାଶଙ୍କର ବେହେରା ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।

ସମ୍ବନ୍ଧିତ ଖବର