ରାୟଗଡ଼ାକୁ ଛୁଇଁଲା କରୋନା: ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ଯୁବତୀ

କୋରାପୁଟ ଜଙ୍କସନ୍, ରାମକୃଷ୍ଣ ନଗର, ଓଡୁଗୁଡା କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

ରାୟଗଡ଼ା: ରାୟଗଡ଼ାକୁ ଛୁଇଁଛି କରୋନା। ଜିଲ୍ଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ରାୟଗଡ଼ା ସହର ରାମକୃଷ୍ଣ ନଗରରେ। ଦିଲ୍ଲୀରୁ ଫେରି ଭଡ଼ାରେ ରହୁଥିବା ୨୦ ବର୍ଷୀୟ ଯୁବତୀଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ଚିକିତ୍ସା ପାଇଁ ଜୟପୁର କୋଭିଡ଼୍ ହସପିଟାଲକୁ ପଠାଇ ଦିଆଯାଇଛି। ଯୁବତୀ ଭଡ଼ା ରହୁଥିବା ଘର ସମେତ କୋରାପୁଟ ଜଙ୍କସନ୍, ରାମକୃଷ୍ଣ ନଗର, ସିରିଗୁଡା, ଓଡ଼ୁଗୁଡା ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ।

୩୦ ନଂ ଜିଲ୍ଲା ଭାବେ ଆକ୍ରାନ୍ତ ତାଲିକାରେ ସାମିଲ୍ ହୋଇଛି ରାୟଗଡ଼ା। ଜିଲ୍ଲାର ୧୯୫୨ଟି ସ୍ବାବ ଟେଷ୍ଟିଂ ପରେ ଗୋଟିଏ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଯୁବତୀ ଜଣଙ୍କ ଦିଲ୍ଲୀ ଫେରନ୍ତା। ଦିଲ୍ଲୀର ଏକ ଷ୍ଟିଚିଂ କଂପାନିରେ କାମ କରୁଥିବା ଯୁବତୀ ଲକଡାଉନ୍ କୋହଳ ହେବା ପରେ ନିଜ ଗାଁ ଓଡ଼ୁଗୁଡାକୁ ଫେରିଥିଲେ। ମେ’ ୨୫ ତାରିଖରେ ଜିସିଡ଼ି ହାଇସ୍କୁଲ୍ ସିଆରସି କେନ୍ଦ୍ରରେ ପଞ୍ଜିକରଣ କରି ନିଜ ଗାଁରେ ହୋମ୍ କ୍ବାରାଣ୍ଟିନରେ ରହୁଥିଲେ। ୨୮ ତାରିଖରେ ଯୁବତୀ ଜଣଙ୍କ ଜ୍ବର, କାଶରେ ପୀଡ଼ିତ ହେବା ପରେ ଗାଁ ଲୋକମାନେ ଗାଁରେ ରହିବାକୁ ବିରୋଧ କରିଥିଲେ।

ଫଳରେ ଯୁବତୀ ନିଜ ମା’ଙ୍କ ସହ ରାମକୃଷ୍ଣ ନଗରରେ ଏକ ଭଡ଼ା ଘର ନେଇ ରହିଥିଲେ। ୨୯ ତାରିଖରେ ଯୁବତୀଙ୍କ ସ୍ବାବ ସଂଗ୍ରହ କରି ଭୁବନେଶ୍ବର ଆରଏମଆରସିକୁ ପଠାଯାଇଥିଲା। ଗତକାଲି ରିପୋର୍ଟ ପଜିଟିଭ୍ ଆସିବା ପରେ ପରିବାର ସଦସ୍ୟଙ୍କୁ କ୍ବାରାଣ୍ଟିନରେ ରଖାଯିବା ସହ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ଜିଲ୍ଲା ପ୍ରଶାସନକୁ ଜଣାଇବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଯୁବତୀଙ୍କ ସହ ପରିବାରର ୩ ସଦସ୍ୟ ଭଡ଼ା ଘରେ ରହୁଥିବା ବେଳେ ଭଡ଼ା ଗାଡ଼ିରେ ମୋଟ ୬ ଜଣଙ୍କ ସହ ଯୁବତୀ ଆସିଥିବାରୁ ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୧୧୮୩,ତା:୩/୬/୨୦ ଅନୁଯାୟୀ କୋରାପୁଟ ଜଙ୍କସନରୁ ପୌର ପରିଷଦ ଅଫିସ୍ ସମେତ ରାମକୃଷ୍ଣ ନଗର ଅଞ୍ଚଳକୁ ନଂ-୧ ଏବଂ ଓଡୁଗୁଡା ‌କଲୋନି, ସତସଙ୍ଗ ବିହାର, ଏଚ୍ ପି ଫିଲିଙ୍ଗ୍ ଷ୍ଟେସନ ଅଞ୍ଚଳକୁ ନଂ-୨ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ସମସ୍ତ ଅଞ୍ଚଳକୁ ବ୍ୟାରିକେଟ୍ ମାଧ୍ୟମରେ ସିଲ୍ କରାଯାଇଛି। ୩ ତାରିଖ ସକାଳ ୭ଟାରୁ ୭ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ୨ ଜୋନରେ ଥିବା ସମସ୍ତଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ଯଥା- କ୍ଷୀର, ପନିପରିବା, ଔଷଧ ଓ ଗ୍ରୋସେରୀ ସାମଗ୍ରୀ ଯୋଗାଇବାକୁ ୩ ନୋଡାଲ ଅଫିସରଙ୍କ ୱାଟସଅପ୍ ନଂବର ଜାରି କରାଯାଇଛି।

ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ବାବଧାନରେ ନୋଡାଲ ଅଫିସର ଭାବେ ଅତିରିକ୍ତ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ସି. ଏଚ. ମୂରଲି କ୍ରିଷ୍ଣା, ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପୌର ପରିଷଦର ପରିମଳ ନିରୀକ୍ଷକ ଭି. ବାଲାରାଜୁଙ୍କୁ ସଫେଇ ବ୍ୟବସ୍ଥା ଓ ସାନିଟାଇଜେସନ୍, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଡିପିଏମ ରାଜେଶ୍ବର ପଟ୍ଟନାୟକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀତ ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ରାୟଗଡ଼ା ତହସିଲଦାର ଉମାକାନ୍ତ ବେହେରାଙ୍କୁ ନିଯୁକ୍ତ କରାଯାଇଛି। କୋରାପୁଟ ଛକରୁ ରାମକୃଷ୍ଣ ନଗର ଛକ, ପୌରସଂସ୍ଥା କାର୍ଯ୍ୟାଳୟ ରାସ୍ତା ଦେଇ ଗାଡି ଚଳାଚଳକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

ସେହିପରି ଜୋନ-୧ ମଧ୍ୟରେ ଥିବା ସରକାରୀ, ବେସରକାରୀ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକୁ ସଟ୍‌ଡାଉନ କରିବାକୁ ନିର୍ଦେଶ ହୋଇଛି। ବସଷ୍ଟାଣ୍ଡରେ ଥିବା ସମସ୍ତ ହୋଟେଲ୍, ରେଷ୍ଟୁରାଣ୍ଟ୍ ବନ୍ଦ କରି ଦିଆଯାଇଛି। ଉକ୍ତ ଦୁଇ ଜୋନରେ ପଜିଟିଭ୍ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତୁରନ୍ତ ଠାବ କରି ତାଲିକା ବାହାର କରିବାକୁ ସିଡିଏମ୍ଓ ଡା. ଆର୍ତ୍ତବନ୍ଧୁ ନାୟକ ପଦକ୍ଷେପ ନେଇଛନ୍ତି।  ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଜୋନରେ ୪ ସେକ୍ସନ ପୁଲିସ୍ ମୁତୟନ କରାଯାଇଛି। ପୌର ପରିଷଦ ପକ୍ଷରୁ କଣ୍ଟେନମେଣ୍ଟ୍ ଜୋନ୍ ଅଞ୍ଚଳରେ ଭୂତାଣୁ ମୃତ କେମିକାଲ ସିଞ୍ଚନ କରାଯାଇଛି।

ସମ୍ବନ୍ଧିତ ଖବର