କୋମାରେ ରାୟଗଡ଼ା ଜିଲ୍ଲା କ୍ରୀଡ଼ା ସଂସଦ, ପଦ ମାଡ଼ି ବସିଛନ୍ତି ପୁରୁଖା, ନୂଆକୁ ମିଳୁନି ସୁଯୋଗ

୨୦ ବର୍ଷ ହେଲା ହୋଇନି କର୍ମକର୍ତ୍ତା ନିର୍ବାଚନ; ବସୁନି ବୈଠକ, ସଂସଦ ସଂପର୍କରେ ଜିଲ୍ଲା କ୍ରୀଡ଼ା ବିଭାଗରେ ନାହିଁ କୌଣସି ତଥ୍ୟ

ରାୟଗଡ଼ା: ୨୦ ବର୍ଷ ହେଲା ହୋଇନି କର୍ମକର୍ତ୍ତା ନିର୍ବାଚନ। ନିୟମିତ ବ୍ୟବଧାନରେ ବସୁନି ସାଧାରଣ ପରିଷଦ ବୈଠକ। ନିର୍ଧିଷ୍ଟ କର୍ମକର୍ତ୍ତାଙ୍କ କବଜାରେ ରହିଛି ଜିଲ୍ଲା କ୍ରୀଡ଼ା ସଂସଦ। ପଦ ଛାଡ଼ିବାକୁ ପୁରୁଖା ରାଜି ହେଉନଥିବାରୁ ନୂଆ କ୍ରୀଡ଼ାବିତଙ୍କୁ ମିଳୁନି ସୁଯୋଗ। ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ କ୍ରୀଡ଼ାବିତଙ୍କ ଦାବି ପରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସଂସଦକୁ ଲେଖିଛନ୍ତି ଚିଠି। ଚିଠି ଲେଖିବାର ବର୍ଷକ ପରେ ମଧ୍ୟ ସଂସଦ ପକ୍ଷରୁ କୌଣସି ଉତ୍ତର ମିଳୁନଥିବାରୁ ଜିଲ୍ଲାରେ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯିବା ଭଳି ପରିସ୍ଥିତି ଉପୁଜିଛି।

କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଜିଲ୍ଲା କ୍ରୀଡ଼ା ସଂସଦ। ରାଜ୍ୟସ୍ତରରେ ଆୟୋଜିତ ହେଉଥିବା ଅଲମ୍ପିକ୍, ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାକୁ କୃତୀ ଖେଳାଳିଙ୍କୁ ପଠାଇବା ସହ ବାର୍ଷିକ ପ୍ରତିଯୋଗିତା ଆୟୋଜନ ଭଳି ବହୁ କାମ ତୁଲାଉଛି କ୍ରୀଡ଼ା ସଂସଦ। ଯାହାର ସଭାପତି ଭାବେ ଜିଲ୍ଲାପାଳ, ଏକ୍ସ ଅଫିସିଓ ସଦସ୍ୟ ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ସଂପାଦକ, ଉପସଭାପତି ଓ କାର୍ଯ୍ୟକାରୀ କମିଟିରେ ସଦସ୍ୟ ଭାବେ କୃତି କ୍ରୀଡ଼ାବିତଙ୍କ ସମେତ କିଛି ବ୍ୟକ୍ତି ବିଶେଷ ରହିବାର ନିୟମ ରହିଛି। ଏହି ସବୁ ନୀତି ନିୟମକୁ ମାନି ରାୟଗଡ଼ାରେ ଗଠନ ହୋଇଥିବା କ୍ରୀଡ଼ା ସଂସଦର କର୍ମକର୍ତ୍ତା ନିର୍ବାଚନ ବିଗତ ବହୁ ବର୍ଷ ତଳେ ହୋଇଥିଲା। ସଂସଦରେ ବିଭିନ୍ନ ପଦ ପଦବିରେ ଥିବା କିଛି କର୍ମକର୍ତ୍ତା ଇତି ମଧ୍ୟରେ ଅନ୍ୟତ୍ର ପଳାଇଥିବା ବେଳେ ଆଉ କିଛି ସଂସଦ ସହ ଦୀର୍ଘ ବର୍ଷ ହେଲା ଜଡ଼ିତ ନାହାନ୍ତି। ଏପରିକି କ୍ରୀଡ଼ା ସଂସଦର ସଂପାଦକ ଭାବେ ଦାୟିତ୍ବ ତୁଲାଉଥିବା ମନୋଜ କୁମାର ଗନ୍ତାୟତଙ୍କୁ ଛାଡ଼ିଲେ ଆଉ କିଏ କିଏ ସଂସଦରେ ଅଛନ୍ତି ସେ ସଂପର୍କରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ପାଖରେ କୌଣସି ସୂଚନା ନାହିଁ।

ସେହିପରି ବାର୍ଷିକ ପ୍ରତିଯୋଗିତା ଆୟୋଜନକୁ ଛାଡ଼ିଲେ ଅନ୍ୟ ସମୟରେ ଜିଲ୍ଲା କ୍ରୀଡ଼ା ସଂସଦ କ’ଣ କରୁଛି, କେଉଁ ପ୍ରତିଯୋଗିତାକୁ ଖେଳାଳିଙ୍କୁ ପଠାଉଛି, କ୍ରୀଡ଼ା ବିଭାଗରୁ ବାର୍ଷିକ ଅନୁଦାନ ଆସୁଛି କି ନାହିଁ, ଅଡିଟ୍ ହେଉଛି କି ନାହିଁ ସେ ସଂପର୍କରେ କୌଣସି ସୂଚନା ନାହିଁ କ୍ରୀଡ଼ା ବିଭାଗ ପାଖରେ। ଦୀର୍ଘ ଦିନ ଧରି ସୀମିତ ବ୍ୟକ୍ତିଙ୍କ ହାତରେ କ୍ରୀଡ଼ା ସଂସଦ ଥିବାରୁ ସଂସଦର ପୁନରୁଦ୍ଧାର ସହ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଅଲ୍ଲୀ ନୁର୍ ୨୦୧୯ ସେପ୍ଟେମ୍ବର ୧୮ ତାରିଖରେ କ୍ରୀଡ଼ା ସଂସଦ ସଂପାଦକଙ୍କୁ ଚିଠି କରିଥିଲେ। ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିନି। କ୍ରୀଡ଼ା ସଂସଦ କାର୍ଯ୍ୟାଳୟ କେଉଁଠି କାର୍ଯ୍ୟକାରୀ ହେଉଛି ସେ ସଂପର୍କରେ ମଧ୍ୟ କୌଣସି ଠିକଣା କ୍ରୀଡ଼ା ବିଭାଗରେ ନଥିବାରୁ ରେଜିଷ୍ଟ୍ରେସନ୍ ଚିଠି ମଧ୍ୟ କରି ହେଉନି ବୋଲି କହିଛନ୍ତି କ୍ରୀଡ଼ା ଅଧିକାରୀ ଶେଖ୍ ଅଲ୍ଲୀ ନୁର୍।

ଜିଲ୍ଲା କ୍ରୀଡ଼ା ସଂସଦ ଭଳି ଜିଲ୍ଲା କ୍ରିକେଟ୍ ଆସୋସିଏସନର ମଧ୍ୟ ସମାନ୍ ଅବସ୍ଥା। ଆସୋସିଏସନ୍ ଠିକ୍ ଭାବରେ ପରିଚାଳନା ହେଉନଥିବାରୁ କ୍ରୀଡ଼ାବିତ୍ ଚୟନରେ ବିଭ୍ରାଟ ହେଉଛି। ଫଳରେ ବାହାରକୁ ଖେଳିବାକୁ ଯିବା ପାଇଁ ଚୟନ ହେଉଥିବା ଖେଳାଳିଙ୍କ ନୈରାଶ୍ୟଜନ ପ୍ରଦର୍ଶନ ପାଇଁ ଜିଲ୍ଲାକୁ ନିନ୍ଦିତ ହେବାକୁ ପଡୁଛି। ନିକଟରେ ରାୟଗଡ଼ା ଟିମ୍ ଭୁବନେଶ୍ବର ଖେଳିବାକୁ ଯାଇଥିବା ବେଳେ ମାତ୍ର ୨୯ ରନରେ ସମସ୍ତ ୱିକେଟ୍ ହରାଇଥିଲା। ସେହିପରି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସମର କ୍ୟାମ୍ପ ସମେତ ଅନ୍ୟାନ୍ୟ ତାଲିମ୍ ପାଇଁ ବହୁ ଅନୁଦାନ ଆସୁଛି। ଯାହାର ସଦ ବିନିଯୋଗ ହେଉନଥିବା ଅଭିଯୋଗ ହୋଇଛି। ଉଭୟ କ୍ରୀଡ଼ା ସଂସଦର ଏପରି ଅବସ୍ଥା ଯୋଗୁ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଭଲ ଷ୍ଟାଡିୟମଟିଏ ନିର୍ମାଣ ହୋଇପାରୁନି। ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ମିନି ଷ୍ଟାଡିୟମ୍ ପାଇଁ ୫ ବର୍ଷ ହେଲା ଜାଗା ମିଳୁନଥିବା ବେଳେ ଜିଲ୍ଲାସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ସହରରୁ ୧୧ କିମି ଦୂର ଜେକେପୁରରେ ଜାଗା ଚିହ୍ନଟ ହୋଇଛି। ଇତି ମଧ୍ୟରେ ୫୦ ଲକ୍ଷରୁ ଉର୍ଧ୍ବ ଟଙ୍କା ଷ୍ଟାଡିୟମ୍ ନିର୍ମାଣରେ ଶେଷ ହୋଇଥିଲେ ମଧ୍ୟ ବିକାଶର କୌଣସି ଚିହ୍ନବର୍ଣ୍ଣ ନାହିଁ। ହେଲେ ଏ ଦିଗରେ ଉଭୟ କ୍ରୀଡ଼ା ସଂସଦ ପକ୍ଷରୁ ଥରୁଟିଏ ବି ସ୍ବର ଉତ୍ତୋଳନ ହୋଇନି।

 

ସମ୍ବନ୍ଧିତ ଖବର