ରାୟଗଡ଼ାରେ ଡବଲ୍‌ ମର୍ଡର: ଗୁଣି ଗାରେଡ଼ି ସନ୍ଦେହରେ ସଂପର୍କୀୟ କକା ଓ ଶ୍ୱଶୁରକୁ ଟାଙ୍ଗିଆରେ ହାଣି ହତ୍ୟା

ରାୟଗଡ଼ା: ରାୟଗଡ଼ା ବ୍ଲକ୍‌ କାରୁବାଇ ପଞ୍ଚାୟତ ଶେଷଖାଲ ଥାନା ଅନ୍ତର୍ଗତ ବଡକଷପାଡ଼ୁ ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଡବଲ ମର୍ଡର। ସଂପର୍କୀୟ କକା ଯଦୁମଣି ମାଣ୍ଡାଙ୍ଗି ଓ ଶ୍ୱଶୁର ପୋଲି ତାଡିଙ୍ଗଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ଅଭିଯୁକ୍ତ ହତ୍ୟା କରିଛି । ପୁଲିସ୍‌ ଅଭିଯୁକ୍ତ ପ୍ରେମାନନ୍ଦ ମାଣ୍ଡାଙ୍ଗିକୁ ଅଟକ ରଖିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ମେଡ଼ିକାଲକୁ ପଠାଇଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଅଭିଯୁକ୍ତ ପ୍ରେମାନନ୍ଦର ଝିଅ ଦେହ ଖରାପ ହୋଇଥିଲା। ପ୍ରେମାନନ୍ଦ ଯଦୁମଣି ନିକଟକୁ ଔଷଧ ମାଗିବାକୁ ଯିବା ପରେ ଯଦୁମଣି ଔଷଧ ଦେବାକୁ ମନା କରି ଦେଇଥିଲା। ଏହାକୁ ନେଇ ପ୍ରେମାନନ୍ଦ ଓ ଯଦୁମଣିଙ୍କ ମଧ୍ୟରେ ବଚସା ହୋଇଥିଲା। ଯଦୁମଣି ଓ ପୋଲି ମିଶି ଝିଅକୁ ଗୁଣି ଗାରେଡ଼ି କରିଥିବା ସନ୍ଦେହରେ ପ୍ରେମାନନ୍ଦ ଧାରୁଆ ଛୁରୀରେ ଯଦୁମଣିକୁ ଆକ୍ରମଣ କରିଥିଲା। ଛୁରୀରେ ଯଦୁମଣିର ଛାତି ପେଟକୁ ଆଘାତ କରିବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ଯଦୁମଣିର ମୃତ୍ୟୁ ହୋଇଥିଲା।

ଏହା ପରେ ଉତ୍ତ୍ୟକ୍ତ ପ୍ରେମାନନ୍ଦ ଘଟଣାସ୍ଥଳରୁ ଅଧା କିଲୋମିଟର ପାହାଡ ପାଖରେ ରହୁଥିବା ସଂପର୍କୀୟ ଶ୍ୱଶୁର ପୋଲି ତାଡିଙ୍ଗ୍‌ ନିକଟକୁ ଯାଇଥିଲା । ପୋଲି କମାର ଶାଳରେ କାମ କରୁଥିବା ବେଳେ ପ୍ରେମାନନ୍ଦ କମାର ଶାଳରୁ ଏକ ଟାଙ୍ଗିଆ ଆଣି ପୋଲିର ବେକ ଓ ଛାତିକୁ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟରେ ପୋଲିର ମୃତ୍ୟୁ ହୋଇ ଯାଇଥିଲା। ଦୁଇ ଜଣଙ୍କୁ ହତ୍ୟା କରିବା ପରେ ପ୍ରେମାନନ୍ଦ ଗାଁରେ ବୁଲୁଥିବା ସମୟରେ ଗ୍ରାମବାସୀ ଅଟକ ରଖି ଶେଷଖାଲ ପୁଲିସକୁ ଖବର ଦେଇଥିଲେ।

ଅଭିଯୁକ୍ତ ପ୍ରେମାନନ୍ଦର କହିବାନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଯଦୁମଣି ଓ ପୋଲି ମିଶି ପ୍ରେମାନନ୍ଦର ୩ ଜଣଙ୍କୁ ଗୁଣିଆ କରି ମାରିଛନ୍ତି। ଏ ନେଇ ଗତ ୩ ମାସ ତଳେ ଗ୍ରାମରେ ଏକ ବୈଠକ ବସିବା ସହ ଯଦୁମଣି ଓ ପୋଲିଙ୍କୁ ଗୁଣିଆ କରୁଥିବା ଅଭିଯୋଗରେ ୩ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଥିଲା। ପରେ କିନ୍ତୁ ସେମାନେ ଜରିମାନା ଦେଇ ନଥିଲେ। ଫଳରେ ପ୍ରତିଷୋଧ ପରାୟଣ ହୋଇ ପ୍ରେମାନନ୍ଦ ଦୁଇ ଜଣଙ୍କୁ ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ଯଦୁମଣିଙ୍କ ଝିଅ ସସ୍ମିତା ମାଣ୍ଡାଙ୍ଗି ଶେଷଖାଲ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ପୁଲିସ୍‌ ଗାଁରେ ପହଞ୍ଚି ଅଭିଯୁକ୍ତ ପ୍ରେମାନନ୍ଦକୁ କାବୁ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ଛୁରୀକୁ ପୁଲିସ୍‌ ଜବତ କରିଛି। ସରପଞ୍ଚ ମମିତା ଜିଲାକାରା, ଶେଷଖାଲ ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା, ଏସଆଇ ଦୟାନିଧି ପାତ୍ରଙ୍କ ସମେତ ପୁଲିସ୍‌ ଟିମ୍‌ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର