ଦୈନିକ ସଂକ୍ରମଣରେ ରାୟଗଡ଼ା ଶୀର୍ଷରେ; ଚିନ୍ତା ବଢ଼ାଉଛନ୍ତି କୁମ୍ଭମେଳା ଶ୍ରଦ୍ଧାଳୁ

ଆଣ୍ଟିଜେନ୍ ଟେଷ୍ଟ କରି ବାହାରେ ବୁଲୁଛନ୍ତି ଅମାନିଆ

ରାୟଗଡ଼ା: ଦୈନିକ ସଂକ୍ରମଣରେ ଅବିଭକ୍ତ କୋରାପୁଟରେ ଶୀର୍ଷରେ ରହିଛି ରାୟଗଡ଼ା। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛ। ରାୟଗଡ଼ା ସହରାଞ୍ଚଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସ୍ଥିତି ମୁକାବିଲା ନେଇ ପ୍ରଶାସନର ଚିନ୍ତା ବଢ଼ିଛି। ୩ ସୀମାନ୍ତ ତନଖି ଫାଟକ ସହ ଷ୍ଟେସନ, ବସଷ୍ଟାଣ୍ଡରେ ଯାଞ୍ଚ କଡାକଡ଼ି କରି ପ୍ରବାସୀଙ୍କ ସଙ୍ଗରୋଧ ଉପରେ ଫୋକସ୍ କରୁଛି ଜିଲ୍ଲା ପ୍ରଶାସନ। ସେପଟେ ପ୍ରତିଦିନ କୁମ୍ଭମେଳା ଫେରନ୍ତା ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଆଗକୁ ସ୍ଥିତି ଅଣାୟତ୍ତ ହୋଇପାରେ।

ଉତ୍ତରପ୍ରଦେଶ କୁମ୍ଭମେଳା ଅଞ୍ଚଳ ହାଇସେନସଟିଭ୍ ଜୋନ୍ ଭାବେ ଘୋଷଣା ହେବା ପରେ ଫେରନ୍ତା ଶ୍ରଦ୍ଧାଳୁଙ୍କ ଉପରେ କଡା ନଜର ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦେଶ ପରେ ଗାଁ ଓ ପଞ୍ଚାୟତ ସ୍ତରରେ ଶ୍ରଦ୍ଧାଳୁଙ୍କୁ ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆଜି ସୁଦ୍ଧା ଜିଲ୍ଲାରୁ ୬୫ ଶ୍ରଦ୍ଧାଳୁ କୁମ୍ଭମେଳାକୁ ଯାଇଥିବା ରିପୋର୍ଟ ହସ୍ତଗତ ହୋଇଛି।

ପଦ୍ମପୁରରୁ ସର୍ବାଧିକ ୫୫, ଗୁଣପୁରରୁ ୨, ରାୟଗଡ଼ାରୁ ୮ ଶ୍ରଦ୍ଧାଳୁ ମେଳାରୁ ଫେରିଥିବା ଜଣା ପଡିବା ପରେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି। ଏବେ ସୁଦ୍ଧା ଜଣେ ଶ୍ରଦ୍ଧାଳୁଙ୍କ କ୍ଷେତ୍ରରେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇନି। ତଥାପି ୧୪ ଦିନର ସଙ୍ଗରୋଧ ପରେ ଆରଟିପିସିଆର ଟେଷ୍ଟିଂ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। କିଛି ଶ୍ରଦ୍ଧାଳୁ ମେଳାରୁ ଫେରି ପ୍ରଶାସନର ଅଜାଣତରେ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟକୁ ନେଇ ବାହାରେ ଖୁଲମଖୁଲା ବୁଲୁଛନ୍ତି। କିଛି ଶ୍ରଦ୍ଧାଳୁ ସଙ୍ଗରୋଧରେ ନ ରହିବା ପାଇଁ ମଧ୍ୟ ବାରମ୍ବାର ହୋ ହାଲ୍ଲା କରୁଛନ୍ତି। ଆରଟିପିସଆର ଟେଷ୍ଟିଂ ନ କରିବାକୁ ଧମକ ବି ଦେଉଛନ୍ତି।

ଅମାନିଆଙ୍କ ଯୋଗୁ ଆଗାମୀ ଦିନରେ ବିସ୍ଫୋରକ ସ୍ଥିତି ଉପୁଜି ପାରେ। ପଦ୍ମପୁରରୁ ୫୫ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୪୪ ଜଣ ଟିଏମସି ସେଣ୍ଟରରେ ଅଛନ୍ତି। ସେହିପରି ଗୁଣପୁର ୨ ଶ୍ରଦ୍ଧାଳୁ ଗୃହ ସଙ୍ଗରୋଧରେ ଥିବା ବେଳେ ରାୟଗଡ଼ାର ୮ ଶ୍ରଦ୍ଧାଳୁ କୁମ୍ଭମେଳାରୁ ଫେରିନଥିବା ସରକାରୀ ରିପୋର୍ଟରୁ ଜଣା ପଡିଛି। ତେବେ ପ୍ରଶାସନିକ ଅଧିକାରୀଙ୍କ ଅଜାଣତରେ କିଛି ଶ୍ରଦ୍ଧାଳୁ କୁମ୍ଭମେଳା‌ରୁ ଫେରିବା ପରେ ମାର୍କେଟରେ ବୁଲୁଥିବା ଅଭିଯୋଗ ହୋଇଛି। ଆଜି ଚିହ୍ନଟ ହୋଇଥିବା ୬୦ ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡ଼ା ସହରରୁ ସର୍ବାଧିକ ୨୯ ଜଣ ଅଛନ୍ତି।

ସେହିପରି ରାୟଗଡ଼ା ଗ୍ରାମାଞ୍ଚଳରୁ ୧୦, ରାମନାଗୁଡାରୁ ୩, ମୁନିଗୁଡାରୁ ୮, କୋଲନରାରୁ ଜଣେ, ଗୁଣପୁର ଗ୍ରାମାଞ୍ଚଳରୁ ଜଣେ, ଗୁଣପୁର ସହରାଞ୍ଚଳରୁ ୩ ଏବଂ ବିଷମକଟକରୁ ୫ ଆକ୍ରାନ୍ତ ରହିଛନ୍ତି। ଗତ ସପ୍ତାହକ ମଧ୍ୟରେ ରାୟଗଡ଼ା ସହରରୁ କେବଳ ୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଚିନ୍ତାଜନକ। ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ସମୟକ୍ରମେ ଜେକେପୁର କୋଭିଡ଼୍ ହସପିଟାଲରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାର ଦ୍ବିତୀୟ ଲହରୀରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଇତି ମଧ୍ୟରେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ କୋଭିଡ଼୍ ହସପିଟାଲରେ ମୃତ୍ୟୁ ହୋଇଛି। ସରକାରୀ ଭାବେ କିନ୍ତୁ ଘୋଷଣା ହୋଇନି। ସେହିପରି ମାନସିକ ଭାରସାମ୍ୟ ହରାଇ ଅନ୍ୟ ଜଣେ ଆକ୍ରାନ୍ତ ଆତ୍ମହତ୍ୟାର ପଥ ବାଛି ନେଇଛନ୍ତି।

ସମ୍ବନ୍ଧିତ ଖବର