ରାୟଗଡ଼ା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର: ବାହାର ଚିକ୍କଣ୍, ଭିତର ଫମ୍ପା

୭୦ ହଜାର ଲୋକଙ୍କ ପାଇଁ ଅଛନ୍ତି ଜଣେ ଡାକ୍ତର

ରାୟଗଡା: ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟସେବା। ଜଣେ ମାତ୍ର ଡାକ୍ତରରେ ଚାଲିଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଫାର୍ମାସିଷ୍ଟ୍ ଓ ଲ୍ୟାବ୍ ଟେକ୍ନିସିଆନ୍। ରକ୍ତଚାପ, ମଧୁମେହକୁ ଛାଡ଼ିଲେ ଅନ୍ୟ କୌଣସି ରୋଗର ପରୀକ୍ଷାନୀରିକ୍ଷା ଏଠାରେ ହୋଇପାରୁନି। କୌଣସି କାରଣ ପାଇଁ ଡାକ୍ତର ଛୁଟିରେ ଗଲେ ରୋଗୀ ସେବା ଠପ୍ ହୋଇ ପଡୁଥିବାବେଳେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାୟଗଡ଼ା ସହରର ୭୦ ହଜାର ଲୋକଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ୨୦୧୭ରେ ପ୍ରତିଷ୍ଠା ହୋଇଥିଲା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର। ପାରିପାର୍ଶ୍ବିକ ସ୍ଥିତି ଏବଂ ବାହାରୁ ଅତି ଚିକ୍କଣ୍ ଦେଖା ଯାଉଥିବା ସ୍ବାସ୍ଥ୍ୟକେନ୍ଦ୍ରର ଭିତର କିନ୍ତୁ ପୂରା ଫମ୍ପା। ଲୋକଙ୍କୁ ସର୍ବନିମ୍ନ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଆବଶ୍ୟକ ଡାକ୍ତର ସମେତ ନାହାନ୍ତି ଅନ୍ୟ କର୍ମଚାରୀ। ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପରଠୁ ଫାର୍ମାସିଷ୍ଟ୍ ନିଯୁକ୍ତି ହୋଇନଥିବାରୁ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପୁରୁଷ ସ୍ବାସ୍ଥ୍ୟକର୍ମୀ ସପନ ହୋତା ଡେପୁଟେସନରେ ଆସି ଦାୟିତ୍ବ ତୁଲାଉଛନ୍ତି। ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ହାତରେ ସ୍ବାସ୍ଥ୍ୟ ବିଭାଗ ଫାର୍ମାସିଷ୍ଟ୍ ଦାୟିତ୍ବ ନ୍ୟସ୍ତ କରିଥିବା ବେଳେ ଡାକ୍ତର ଅନୁପସ୍ଥିତ ସମୟରେ ପୁରୁଷ ସ୍ବାସ୍ଥ୍ୟକର୍ମୀ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା କରୁଛନ୍ତି। ସକାଳ ୮ଟାରୁ ୧୧ଟା, ସଂଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ଖୋଲୁଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଅଧିକାଂଶ ରୋଗୀକୁ ଠିକ୍ ଭାବରେ ସ୍ବାସ୍ଥ୍ୟସେବା ମିଳୁନଥିବା ଅଭିଯୋଗ ହୋଇଛି। ରୋଗୀ ପଞ୍ଜିକରଣ ରେଜିଷ୍ଟ୍ରାର୍ ମଧ୍ୟ ଠିକ୍ ଭାବରେ ଏଣ୍ଟ୍ରି କରାଯାଉନି। ଏପରିକି ଡାକ୍ତରଙ୍କ ବିନା ପରାମର୍ଶରେ କେବଳ ରୋଗ ପଚାରି ମେଡ଼ିସିନ୍ ଦେଇ ରୋଗୀଙ୍କୁ ଛାଡ଼ି ଦିଆଯାଉଛି।

ବହୁ ଅବ୍ୟବସ୍ଥା ମଧ୍ୟରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଥିବା ବେଳେ ପ୍ରତି ସପ୍ତାହରେ ନୀରିକ୍ଷଣ ପାଇଁ ଆସୁଥିବା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏ ନେଇ କୌଣସି ପଦକ୍ଷେପ ନେଉନାହାନ୍ତି। ଫଳରେ ରୋଗୀ ସେବାରେ ସୁଧାର ଆସିପାରୁନି। ଜଣେ ଏମବିବିଏସ୍ ଡାକ୍ତରଙ୍କୁ ସରକାର ନିୟମିତ ନିଯୁକ୍ତି ଦେଇ ପ୍ରତି ସପ୍ତାହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇ ବିଶେଷଜ୍ଞ ଡାକ୍ତରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ରୋଗୀ ସେବା ଯୋଗାଇବାକୁ ନିର୍ଦ୍ଦେଶ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ମୁତାବକ, ପ୍ରତି ସପ୍ତାହରେ ଶିଶୁ ବିଶେଷଜ୍ଞ ଜି. ଭି. ରାମଣା, ଦାନ୍ତ ଡାକ୍ତର ଧୀରଚାନ୍ଦ ପଟ୍ଟନାୟକ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ଏହା ଛଡ଼ା ଅନ୍ୟ କୌଣସି ବିଶେଷଜ୍ଞ ଆସୁନଥିବା ବେଳେ ଲ୍ୟାବ୍ ଟେକ୍ନିସିଆନ୍ ନଥିବାରୁ ରକ୍ତ, ମଳ, ମୂତ୍ର ସହିତ ଅନ୍ୟ ରୋଗର ପରୀକ୍ଷା ହୋଇପାରୁନି। ଲ୍ୟାବ୍ ଟେକ୍ନିସିଆନ୍ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସରକାର ଗୁରୁତ୍ବ ଦେଉନଥିବାରୁ ଆଉଟ ସୋର୍ସିଂରେ ଲ୍ୟାବ୍ ଟେକ୍ନିସିଆନ୍ ନିଯୁକ୍ତି କରିଛି ସ୍ବାସ୍ଥ୍ୟ ବିଭାଗ। ତେବେ ଲ୍ୟାବ୍ ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଥିବା ସ୍ନେହା ପରିଜା ନିଜ ବିବାହ ପାଇଁ ଗତ ଦୁଇ ଦିନ ତଳେ ଚାକିରି ଛାଡ଼ି ପଳାଇଛନ୍ତି। କେବଳ ଦୁଇ ଷ୍ଟାଫ୍ ନର୍ସ, ପୁରୁଷ ସହାୟକ, ମହିଳା ସହାୟକ, ସିକ୍ୟୁରିଟ୍ ଗାର୍ଡଙ୍କୁ ଛାଡ଼ିଲେ ଏବେ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର କେବଳ ରେଫରାଲ୍ ସେଣ୍ଟର୍ ଭଳି କାମ କରୁଛି। ଦୈନିକ ଶହେରୁ ଉର୍ଦ୍ଧ୍ବ ମାସିକ ପାଖାପାଖି ୩ ହଜାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାରୁ ଦୁଇ ଡାକ୍ତରଙ୍କ ନିଯୁକ୍ତି ସହ ଖାଲି ପଡିଥିବା ପଦବି ପୂରଣର ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ, ଉତ୍ତମ ସ୍ବାସ୍ଥ୍ୟସେବା, ସ୍ବଚ୍ଛତା, ବାଇଓୋ ମେଡ଼ିକାଲ୍ ୱେଷ୍ଟ୍ ମ୍ୟାନେଜମେଣ୍ଟ୍ ପାଇଁ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ୨୦୧୭ରୁ ନିୟମିତ ଭାବେ କାୟାକଳ୍ପ ପୁରସ୍କାର ପାଇ ଆସୁଛି। ସେହିପରି ୨୦୨୧-୨୨ ବର୍ଷରେ ନ୍ୟାସନାଲ୍, କ୍ବାଲିଟ୍ ଆସ୍ୟୁରାନସ୍ ଷ୍ଟାଣ୍ଡାର୍ଡ ପୁରସ୍କାର ପାଇଛି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର।

ସମ୍ବନ୍ଧିତ ଖବର