ରାୟଗଡା: ରାୟଗଡା ସହରରେ ଦିନକୁ ଦିନ ଚୋରି ବଢୁଥିବାରୁ ପୁଲିସ ଏବେ ଆକ୍ସନ ମୁଡରେ ଅଛି । ଦିନରାତି ଏକ କରି ସହର ସାରା ପଇଁତରା ମାରୁଛି। ସହରର ସମସ୍ତ ଗଳିକନ୍ଦିରେ ଅସାମାଜିକ ବ୍ୟକ୍ତିମାନେ ମଦ ପିଉଥିବାରୁ ସେମାନଙ୍କୁ ସାବାଡ କରୁଛି। ଚାରୋଟି ପୁଲିସ ଭ୍ୟାନ ଦିନରାତି ସହର ସାରା ବୁଲୁଛି। ଚୋରଙ୍କୁ ମାତ ଦେବା ପାଇଁ ଆଇଆଇସି କମଳକାନ୍ତ କଅଁରଙ୍କ ନେତୃତ୍ବରେ ପୁଲିସ କର୍ମଚାରୀମାନେ ସହର ସାରା ବୁଲୁଛନ୍ତି।ମଦ ପିଇ ଗାଡି ଚଲାଉଥିବା ବ୍ୟକ୍ତିମାନଙ୍କୁ ଥାନାକୁ ଆଣି ଜୋରିମାନା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।ମଧ୍ୟ ରାତ୍ରିରେ ବୁଲୁଥିବା ଲୋକଙ୍କୁ ଥାନାକୁ ଆଣି ଅଟକ ରଖୁଛି।
ଏଥିସହ ଅଚିହ୍ନା ବ୍ୟକ୍ତିମାନେ ସହରରେ ଏଣେତେଣେ ବୁଲୁଥିବାରୁ ସେମାନଙ୍କୁ ଆଣି ପଚରାଉଚରା କରୁଛି।ପୁଲିସର ଏହି ଚଢାଉ ଆଗକୁ ସହର ବାସିନ୍ଦାଙ୍କ ପାଇଁ ଆଶ୍ବସ୍ତି ଆଣିବ ବୋଲି କୁହାଯାଇଛି।ଏଭଳି ଲଗାତାର ସହରରେ ପୁଲିସ ପଇଁତରା ମାରିଲେ ଚୋରଙ୍କ ଭୟ ରହିବ ବୋଲି କୁହାଯାଉଛି।କାରଣ ପୁଲିସର ଆଖିରେ ଧୂଳି ଦେଇ ଚୋର ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଚୋରି କରୁଛି।ପୁଲିସକୁ ଚ୍ୟାଲେଞ୍ଜ କରି ଚୋରମାନେ ଚୋରି କରୁଛନ୍ତି।ରାୟଗଡା ପୁଲିସ ଚୋରିକୁ ନେଇ ନାକେଦମ ହୋଇଛି।ତେଣୁ ଚୋରକୁ ସାବାଡ କରିବା ପାଇଁ ଏବେ ଦିନରାତି ଏକ କରି ସହରରେ ବୁଲୁଛି।ଆଗକୁ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି ପୁଲିସ କହିଛି।ରାତିରେ ଯଦି ଅଚିହ୍ନା ବ୍ୟକ୍ତି ବୁଲିବେ ତେବେ ସେମାନଙ୍କୁ ନିସ୍ତାର ନାହିଁ।ତେଣୁ କୌଣସି ଜରୁରୀ କାମ ନଥିଲେ ରାତିରେ ବାହାରନ୍ତୁ ନାହିଁ ବୋଲି ପୁଲିସ କହିଛି।