ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଆକ୍ସନ ମୁଡ଼ରେ ପୁଲିସ

୧୩୮ ମାମଲାରେ ୪୨୮ ଅଟକ, ବାଇକ୍, କାର ଜବତ

ରାୟଗଡ଼ା: ତାଲାବନ୍ଦ ସମୟରେ ଅମାନିଆ ହୋଇ ଘରୁ ବାହାରିଥିବା ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ରାୟଗଡ଼ା ପୁଲିସ୍। ୧୪ ଦିନରେ ୧୩୮ ମାମଲା ରୁଜୁ ସହ ୪୨୮ ଜଣଙ୍କ ଥାନାରେ ଅଟକ ରଖିଛି। ଏହି ସମୟ ମଧ୍ୟରେ ୧୩୮ଟି ବାଇକ୍, ୫ଟି ଚାରି ଚକିଆ ଯାନ ଜବତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍।

କରୋନା ମୁକାବିଲା ଲାଗି ସାମାଜିକ ଦୂରତାକୁ ଗୁରୁତ୍ବ ଦେଇଛନ୍ତି ସରକାର। ଏଥି ସହିତ ଆବଶ୍ୟକ ନଥିଲେ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ କିଣିବାକୁ କଟକଣା କୋହଳ କରାଯାଇଥିବା ବେଳେ ବାଇକ୍, କାର ବଦଳରେ ଚାଲି ଚାଲି ଆସିବାକୁ ନିବେଦନ କରିଛି ପ୍ରଶାସନ। କିନ୍ତୁ ନିୟମକୁ ଉଲ୍ଲଂଘନ କରି ବିନା କାମରେ ବାହାରେ ବୁଲୁଥିବା ବାଇକ୍ ଚାଳକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରାୟଗଡ଼ା ପୁଲିସ୍।

୧୩୮ଟି ବାଇକ ସହ ଦୁଇଟି ବୋଲେରୋ, ଗୋଟିଏ ଇନୋଭା, ଗୋଟିଏ ସ୍କର୍ପିଓ ସମେତ ୫ଟି ୪ ଚକିଆ ଯାନକୁ ପୁଲିସ୍ ଜବତ କରିଛି। ଏଥି ସହିତ ବେଆଇନ ଭାବେ ଦୋକାନ ଖୋଲିବା ଅଭିଯୋଗରେ ୨୦ ଦୋକାନୀଙ୍କ ନାମରେ ମାମଲା ରୁଜୁ ହୋଇଛି। ମିଥ୍ୟା ଖବର ପ୍ରଚାର ଲାଗି ୩ଟି ମାମଲା, ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗରେ ୩୧ଟି ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର