ରାୟଗଡ଼ା: ରାୟଗଡ଼ା ଥାନାରେ କାର୍ଯ୍ୟରତ ୧୨ ଓଏସଏପି ଯବାନଙ୍କ ସମେତ ସିଆରପିଏଫର ୬ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସ୍ୱାବ ରିପୋର୍ଟ ଆଜି ପଜିଟିଭ୍ ଆସିବା ପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ରାୟଗଡ଼ା ଥାନାକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି। ଥାନା ବାହାରେ ଅସ୍ଥାୟୀ କ୍ୟାମ୍ପ କରି ଲୋକଙ୍କ ଅଭିଯୋଗ ଶୁଣିବାକୁ ଏସପି ଡା. ଶର୍ବଣା ବିବେକ ଏମ୍ ପୁଲିସ୍ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଚିହ୍ନଟ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଉଛି। କଣ୍ଟେନମେଣ୍ଟ୍ ଅବଧି ସରିବା ପର୍ଯ୍ୟନ୍ତ ସୁରକ୍ଷା ଦାୟିତ୍ୱରେ ରାୟଗଡ଼ା ଥାନା ପୁଲିସ୍ ଅଧିକାରୀଙ୍କ ସମେତ ଓଏସଏପି ତୃତୀୟ ବାଟାଲିୟନର ଯବାନଙ୍କୁ ମୁତୟନ କରାଯାଉଛି। ଏଥି ସହିତ ଜିଲ୍ଲାରେ ଲକଡାଉନ୍, ସଟଡାଉନ୍ ଚାଲିଥିବାରୁ ବିଭିନ୍ନ ଚେକିଂ ପୋଷ୍ଟରେ ଯବାନ ମୁତୟନ ହୋଇଛନ୍ତି। ସୁରକ୍ଷା ସ୍ଥିତି ଯାଞ୍ଚ କିମ୍ବା କଣ୍ଟେନମେଣ୍ଟ୍ ଜୋନ୍ ଡିୟୁଟି ପରିଚାଳନା ସମୟରେ କିଛି ଯବାନ କରୋନା ସଂକ୍ରମଣର ଶିକାର ହୋଇଛନ୍ତି।
ଗତ କିଛି ଦିନ ଧରି ଓଏସଏପିର ଯବାନ ଥଣ୍ଡା, କାଶ, ଜ୍ୱରରେ ପୀଡ଼ିତ ହେବା ପରେ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା, ଯାହାର ରିପୋର୍ଟ ଆଜି ଆସିଛି। ଥାନା ଡ୍ୟୁଟିରେ ନିୟୋଜିତ ୧୨ ଯବାନ କରୋନା ସଂକ୍ରମିତ ହେବା ପରେ ଥାନାକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଆଜି ସକାଳୁ ଅଗ୍ନିଶମ ବିଭାଗ ପକ୍ଷରୁ ଥାନାର ସମସ୍ତ ପ୍ରକୋଷ୍ଠ ସହିତ ଯବାନ ରହୁଥିବା ପ୍ରକୋଷ୍ଠକୁ ମଧ୍ୟ ବିଶୋଧନ କରାଯାଇଛି। ଥାନା ସମ୍ମୁଖରେ ଅସ୍ଥାୟୀ ଟେଣ୍ଟ୍ କରି ଥାନାର ସମସ୍ତ କାର୍ଯ୍ୟ ଚାଲିଛି।
ସଂକ୍ରମିତ ଯବାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ରାପିଡ୍ ରେସପନସ୍ ଟିମ୍ ଓ ପୁଲିସ୍ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସନ୍ଦେହ ହେବା ମାତ୍ରେ ସ୍ୱାବ ପରୀକ୍ଷା ଦିଗରେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିବାକୁ ନିର୍ଦେଶ ହୋଇଛି। ସେହିପରି ସିଆରପିଏଫ୍ ଚତୁର୍ଥ ବାଟାଲିୟନର ୬ ଯବାନ ମଧ୍ୟ କରୋନା ଆକ୍ରାନ୍ତର ଶିକାର ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଜେକେପୁର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/RGD_Police-Station.jpg)
