ଆସୁଛି ବାତ୍ୟା ‘ଗୁଲାବ’, ରେଡ୍ ଜୋନରେ ରାୟଗଡ଼ା

ବହିବ ପବନ, ଛେଚିବ ବର୍ଷା

ରାୟଗଡ଼ା: ମାଡ଼ି ଆସୁଛି ବାତ୍ୟା ଗୁଲ୍-ଆବ୍। ରବିବାର ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ। ଯାହାର ପ୍ରଭାବ ଦକ୍ଷିଣ ଓଡ଼ିଶା ବିଶେଷ କରି ରାୟଗଡ଼ା-ଗଞ୍ଜାମ-ଗଜପତିରେ ପଡ଼ିବ। ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ବହିବା ସହିତ ୩୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ରାୟଗଡ଼ାକୁ ରେଡ୍ ଜୋନ୍ ଭାବେ ସରକାର ଘୋଷଣା କରିଛନ୍ତି। ନଈକୂଳିଆ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦେଶ ହୋଇଥିବା ବେଳେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ ଛୁଟିକୁ ବାତିଲ୍ କରିଛନ୍ତି ସରକାର। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇ ସ୍ଥଳଭାଗ ମୁହାଁ ହେବ। ରବିବାର ସଂଧ୍ୟା ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହାର ପ୍ରଭାବରେ ରବିବାର ପୂର୍ବାହଣରୁ ବର୍ଷା ଆରମ୍ଭ ହେବ। ରାୟଗଡ଼ାରେ ଅତିରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ବାତ୍ୟା ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହେବା ସହ ରାସ୍ତା ଘାଟ ଧୋଇଯିବା, ଗାଁରେ ପାଣି ପଶିବା ଏବଂ ମାଟି ଅତଡ଼ା ଖସିବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ କରିଛି। ତଳି ଅଞ୍ଚଳ ଓ ନଈକୂଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ସମସ୍ତ ବିଡ଼ିଓ ଏବଂ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଜିଲ୍ଲାରେ ୩ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅସ୍ଥାୟୀ କେନ୍ଦ୍ର ଖୋଲିବା ଦିଗରେ ପଦକ୍ଷେପ ନେବାକୁ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଗୁଣପୁର ଉପଜିଲ୍ଲାପାଳ ସୋନମ କୁମାର ଜେନାଙ୍କୁ ନିର୍ଦେଶ ହୋଇଛି। ଉଭୟ ଉପଜିଲ୍ଲାପାଳ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବିଡ଼ିଓଙ୍କ ଉପସ୍ଥିତିରେ ଆବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଛୁଟିରେ ଥିବା ସମସ୍ତ ଅଧିକାରୀ ଶୀଘ୍ର କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦେଶ ହୋଇଛି। ବାତ୍ୟାର ମୁକାବିଲା ପାଇଁ ସମସ୍ତ ବିଭାଗର ଅଧିକାରୀ ସଜାଗ ରହିବାକୁ କୁହାଯାଇଛି। ବିଶେଷ କରି ଗୁଡ଼ାରି, ଚନ୍ଦ୍ରପୁର, ଗୁଣପୁର, ରାୟଗଡ଼ା ତଳିଆ ଅଞ୍ଚଳ ପ୍ରତି ନଜର ରଖିବାକୁ ଜିଲ୍ଲାପାଳ କହିଛନ୍ତି। ରାସ୍ତାଘାଟ ଧୋଇଲେ କିମ୍ବା ଗଛ ପଡ଼ି ରାସ୍ତା ଅବରୋଧ ହେଲେ ତୁରନ୍ତ ଯାତାୟାତକୁ ସ୍ବାଭାବିକ କରିବାକୁ ପ୍ରସ୍ତୁତ ରହିବାକୁ ଗ୍ରାମ୍ୟ ନିର୍ମାଣ ଓ ପୂର୍ତ୍ତ ବିଭାଗକୁ ନିର୍ଦେଶ ହୋଇଛି। ବଡନାଳ, ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀଙ୍କୁ ସତର୍କତା ଅବଲମ୍ବନ କରିବା ସହ ଜଳସ୍ତର ଉପରେ ନଜର ରହିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ ସମସ୍ତ ଔଷଧ ପତ୍ର ଏବଂ ଦୁର୍ଗମ ଅଞ୍ଚଳରେ ଯୋଗାଣ ବିଭାଗ ତରଫରୁ ଅତି ଆବଶ୍ୟକ ସାମଗ୍ରୀ ଚୁଡା, ଚାଉଳ, କିରୋସିନି, ଦିଆସିଲ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ସିଡିପିଓମାନେ ଆସନ୍ନ ପ୍ରସବା ମହିଳାଙ୍କୁ ନିକଟସ୍ଥ କେନ୍ଦ୍ରକୁ ସ୍ଥାନାନ୍ତର କରିବା ଦିଗରେ ପଦକ୍ଷେପ ନେବେ। ବର୍ଷା ସମୟରେ ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବା ସହିତ ଚଳାଚଳ କରୁଥିବା ଗାଡ଼ି ଉପରେ ନଜର ରଖିବାକୁ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି। ସେହିପରି କୃଷି, ଉଦ୍ୟାନ କୃଷି ଓ ପ୍ରାଣୀ ଚିକିତ୍ସା ବିଭାଗକୁ ତକର୍ତା ଅବଲମ୍ବନ କରିବାକୁ କୁହାଯାଇଛି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲାକୁ ୬ଟି ଓଡ୍ରାଫ ଟିମ ଓ ୩ଟି ଏନଡିଆରଏଫ୍ ଟିମ୍ ଆସିଛନ୍ତି। ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ନିୟୋଜିତ କରାଯିବ। ପୁଲିସ୍ ଓ ଅଗ୍ନିଶମ ବିଭାଗ ସଜାଗ ଥିବା ବେଳେ ତହସିଲଦାର ଓ ଆଇଆଇସିଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭର୍ଚୁଆଲ୍ ମୋଡ଼ରେ ହୋଇଥିବା ଜରୁରି ବୈଠକରେ ଏସପି ବିବେକାନନ୍ଦ ଶର୍ମାଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶ ମହେଶ୍ବର ନାଏକ, ବିଡ଼ିଓ, ତହସିଲଦାରଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର