ରାୟଗଡ଼ା: ଗାଁରୁ ବ୍ଲକକୁ ଏବଂ ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଯୋଡିବା ନେଇ ସରକାରଙ୍କର ବିଭିନ୍ନ ଯୋଜନା ଚାଲିଛି। କିନ୍ତୁ ରାୟଗଡ଼ା ଜିଲ୍ଲାରେ ଭିତ୍ତିଭୂମିର ଅଭାବ ଯୋଗୁଁ ବହୁ ଯୋଜନାର କାର୍ଯ୍ୟକାରିତା ନେଇ ସଂଦେହ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ରାଜ୍ୟ ପରିବହନର ଜିଲ୍ଲା କାର୍ଯ୍ୟାଳୟ ଭଡ଼ାରେ ଚାଲିଛି। ନିଜସ୍ବ ଜାଗା ନଥିବାରୁ ପରିବହନ କାର୍ଯ୍ୟାଳୟକୁ ବାଧ୍ୟ ହୋଇ ଭଡାରେ ଚଲାଇବାକୁ ପଡୁଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି। ୨୦୧୫ ମସିହାରୁ ପୌର ପରିଷଦର ଦୁଇଟି କଠୋରୀକୁ ଭଡ଼ାରେ ନେଇ ପରିବହନ କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ଇତି ମଧ୍ୟରେ ୮ ବର୍ଷ ବିତିଯାଇଥିଲେ ମଧ୍ୟ ନିଜସ୍ବ ଜାଗା ଚିହ୍ନଟ ହୋଇପାରୁନାହିଁ।
ଅନ୍ୟଦିଗରେ ଜିଲ୍ଲାର ରାମନାଗୁଡା, ଗୁଣୁପୁର, କାଶୀପୁର ଏବଂ ବିଷମକଟକରେ ବସଷ୍ଟାଣ୍ଡର ଶୁଭ ଉଦଘାଟନ ହୋଇଥିବା ବେଳେ ସଦର ମହକୁମାରେ କିନ୍ତୁ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଜାଗା ଚିହ୍ନଟ ହୋଇପାରୁନାହିଁ। କ୍ଷତିରେ ଚାଲୁଥିବା ଜିଲ୍ଲାର ପରିବହନ ବିଭାଗକୁ ସରକାର ଅଣଦେଖା କରୁଥିବା ନେଇ ଆଲୋଚନା ହେଉଛି। ରାୟଗଡା ଜୋନରେ ୬ଟି ବସ ଚାଲୁଥିବା କୁହାଯାଇଛି। କିନ୍ତୁ ବିଭିନ୍ନ ଜିଲ୍ଲା ଏବଂ ପଡୋଶୀ ରାଜ୍ୟରୁ ବହୁ ବସ ଏଠାକୁ ଆସିଥାଏ। ସେହିପରି ଓଡିଶା ପରିବହନ ବିଭାଗର କୌଣସି ଡିପୋ ନଥିବାରୁ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଆରମ୍ଭ ନେଇ ଅନିଶ୍ଚିତତା ଦେଖା ଦେଇଛି।
ସୂଚନା ଅନୁଯାୟୀ ଜିଲ୍ଲାର ୮ଟି ରୁଟରେ ସରକାରୀ ବସ ଚାଲୁଥିବା ବେଳେ କୌଣସି ଡିପୋ ନଥିବାରୁ ଅନେକ ସମୟରେ ଖରାପ ଗାଡି ମରାମତି ନହୋଇ ରାସ୍ତାକଡ଼ରେ ଛିଡା ହୋଇଥିବା ଦେଖିବାକୁ ମିଳେ, ଯାହାଫଳରେ ସରକାରୀ ବସ ଉପରେ ନିର୍ଭର କରୁଥିବା ଦୁର୍ଗମ ଅଂଚଳର ଅଧିବାସୀ ଗମନାଗମନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁଣି ଉଚିତ ସମୟରେ ବସ ସେବା ନମିଳିବାରୁ ଲୋକେ ସରକାରୀ ବସ ସେବା ପ୍ରତି ନିଜର ଆସ୍ଥା ହରାଉଛନ୍ତି। କଲ୍ୟାଣସିଂହପୁର ବ୍ଲକକୁ କୌଣସି ସରକାରୀ ବସ ସେବା ନଥିବା ବେଳେ ଗୁଣୁପୁରକୁ ରାୟଗଡାରୁ କୌଣସି ସରକାରୀ ବସ ଯାଉନଥିବା ଜଣାପଡିଛି। ଜିଲ୍ଲାରେ ଦିନକୁ ଦିନ ଲୋକ ସଂଖ୍ୟା ବଢିବା ସହ ସରକାରଙ୍କର ବହୁ ଯୋଜନା କାର୍ୟ୍ୟକାରୀ ହେଉଛି।
ତେବେ ପରିବହନ ବିଭାଗ ଜିଲ୍ଲା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ରାୟଗଡାକୁ ଆନ୍ଧ୍ରପ୍ରଦେଶ ଲାଗିଛି। କିନ୍ତୁ ଗୋଟିଏ ବି ସରାକରୀ ବସ ଆନ୍ଧ୍ରକୁ ଯାଉନାହିଁ। କିନ୍ତୁ ଆନ୍ଧ୍ର ସରକାରଙ୍କ ତରଫରୁ ଦୁଇଟି ସରକାରୀ ବସ ରାୟଗଡାକୁ ଆସୁଛି। ପରିବହନ ଡିପୋ ପାଇଁପ୍ରାୟ ୫ ଏକର ଜାଗା ଦରକାର ପଡୁଥିବା ବେଳେ ଆଜି ପର୍ଯ୍ୟନ୍ତ ସେହି ଜାଗାକୁ ପରିବହନ ବିଭାଗ ଚିହ୍ନଟ କରାଇବାରେ ଅସଫଳ ହୋଇଛି। ଯାହାର ଫଳସ୍ବରୂପ ଲୋକେ ହଇରାଣ ହେଉଛନ୍ତି। ଆଉ କେତେ ଦିନ ଏଭଳି ଭଡାରେ ରାଜ୍ୟ ପରିବହନ କାର୍ଯ୍ୟାଳୟ ଚାଲିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ଭିତ୍ତିଭୂମି ଏବଂ ଆନୁସାଂଗିକ ବ୍ୟବସ୍ଥା ନେଇ ବାରମ୍ବାର ସରକାରଙ୍କ ନିକଟରେ ଦାବି କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବା ପରିବହନ ବିଭାଗକୁ ଆହୁରି ପଛକୁ ଠେଲିଦେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।