କୋରାପୁଟରେ ୧କୋଟି ୨୫ ଲକ୍ଷ, ନବରଂଗପୁରରେ ୧ କୋଟି ୩ ଲକ୍ଷ, ରାୟଗଡ଼ାରେ ୫୩ ଲକ୍ଷ ଏବଂ ମାଲକାନଗିରିରେ ୫୪ ଲକ୍ଷ ଟଙ୍କାର ଘୋଟାଲାଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିବ ଭିଜିଲାନ୍ସରାୟଗଡ଼ା: ମଣ୍ଡି ପରିଚାଳନାକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଲ୍ୟାମ୍ପସରେ ହେଉଛି ବ୍ୟାପକ ଅନିୟମିତତା। ସମବାୟ ବିଭାଗର ତଳରୁ ଉପର ପର୍ଯ୍ୟନ୍ତ ଦୁର୍ନୀତିରେ ଲିପ୍ତ ରହି ସରକାରଙ୍କୁ ଲଗାଇ ଚାଲିଛନ୍ତି ଚୂନ। ଅଧିକାଂଶ କ୍ଷେତ୍ରରେ ମଣ୍ଡିକୁ ଧାନ ଅଣା ନଯାଇ ସିଧାସଳଖ ମିଲ୍ରେ ଅନ୍ଲୋଡ ହେଉଛି। ହେଲେ ମଣ୍ଡି ପରିବହନ ଏବଂ ଶ୍ରମିକ ମଜୁରୀ ବାବାଦକୁ କୋଟି କୋଟି ଟଙ୍କା ଖର୍ଚ ହେଉଥିବା ଦର୍ଶାଯାଉଛି। ଏଥିସହ ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିକ ପାଉଣା ଦିଆଯାଉଥିବା ଦର୍ଶାଇ ହଡ଼ପ କରାଯାଉଛି କୋଟିକୋଟି ଟଙ୍କା। ଶ୍ରମିକଙ୍କୁ ଅଧିକା ମଜୁରୀ ପ୍ରଦାନ ସଂପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭିନ୍ନ ଲ୍ୟାମ୍ପସରେ ଖୋଳତାଡ଼ ବେଳେ ଆସିଛି ସାଂଘାତିକ ତଥ୍ୟ। ପ୍ରତ୍ୟେକ ବର୍ଷ ଶ୍ରମିକ ମଜୁରୀ ବୃଦ୍ଧି ପାଇଥିବା ଦର୍ଶାଇ କେବଳ ସମବାୟ ସଂସ୍ଥା କର୍ତ୍ତୃୃପକ୍ଷଙ୍କ ଅନୁମତି ନେଇ ଅର୍ଥ ହରିଲୁଟ୍ କରାଯାଉଛି। ଏଥିରେ ଜୟପୁର ସମବାୟ ରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟର ସଂପୃକ୍ତି ରହିଥିବା ତଦନ୍ତରୁ ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ୨୦୧୧-୧୨,୨୦୧୨-୧୩ ଏବଂ ୨୦୧୩-୧୪ ତିନି ବର୍ଷରେ ଧାନ ମଣ୍ଡିରେ ନିୟୋଜିତ ଶ୍ରମିକ ମଜୁରୀ ବାବଦକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ମୋଟ ୪୮ ଟି ଲ୍ୟାମ୍ପସରେ ମୋଟ ୩ କୋଟି ୩୬ ଲକ୍ଷ ୫୧ ହଜାର ଟଙ୍କା ଅଧିକା ପଇଠ କରାଯାଇଥିବା ଜଣାପଡିଛି। ଏଥିରେ କୋରାପୁଟ ଜିଲ୍ଲାର ୧୪ଟି ଲ୍ୟାମ୍ପସର ମୋଟ ୧ କୋଟି ୨୫ ଲକ୍ଷ ୪୨ ହଜାର ଟଙ୍କା, ନବରଂଗପୁର ଜିଲ୍ଲାର ମୋଟ ୧ କୋଟି ୩ ଲକ୍ଷ ୪୬ ହଜାର, ରାୟଗଡ଼ା ଜିଲ୍ଲାର ୧୪ଟି ଲ୍ୟାମ୍ପସର ୫୩ ଲକ୍ଷ ୨୨ ହଜାର ଏବଂ ମାଲକାନଗିରି ଜିଲ୍ଲାରେ ୫୩ ଲକ୍ଷ ୯୯ ହଜାର ଅଧିକା ପଇଠ କରିବା ଭଳି ଦର୍ଶାଯାଇଥିବା ଜଣାପଡ଼ିଛି।
ଶ୍ରମିକଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଇଥିବା ଭଳି ଚିଠା ଗୁଡ଼ିକରେ ନକଲି ଦସ୍ତଖତ ଓ ଟିପ ଚିହ୍ନ ମାରି ଅର୍ଥ ହଡ଼ପ କରାଯାଇଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି।
ମିଳିଥିବା ତଥ୍ୟ ଅନୁଯାୟୀ ଧାନମଣ୍ଡିକୁ ଚାଷୀ ଆଣିଥିବା ଧାନ ବସ୍ତାକୁ ଓହ୍ଲାଇ ଓଜନ କରି ଚଢାଇବା ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା ୫ ଟଙ୍କା ୬୭ ପଇସା ନିର୍ଦ୍ଧାରଣ କରିଥିଲେ। ତେବେ ଶ୍ରମିକ ମଜୁରୀ ବୃଦ୍ଧି ପାଇଥିବା ଆଳ ଦେଖାଇ ଜୟପୁର ସମବାୟ ରେଜିଷ୍ଟ୍ରାର ଭୁବନେଶ୍ୱର ସମବାୟ ରେଜିଷ୍ଟ୍ରାରଙ୍କ ଠାରୁ ପ୍ରଶାସନିକ ଅନୁମତି ମାଗି ୨୦୧୧-୧୨ରେ କ୍ୱିଣ୍ଟାଲ ପିଚ୍ଛା ୨ ଟଙ୍କା ଏବଂ ୨୦୧୨-୧୩ରେ କ୍ୱିଣ୍ଟାଲ ପିଚ୍ଛା ୩ ଟଙ୍କା ଲେଖାଏଁ ଅଧିକା ଖର୍ଚ୍ଚ ଦେଖାଇଥିଲେ। ସେହିଭଳି ୨୦୧୪ ମସିହା ଜାନୁଆରି ମାସରେ ଜୟପୁର ସମବାୟ ରେଜିଷ୍ଟାର ପୁଣିଥରେ ଭୁବନେଶ୍ୱର ସମବାୟ କର୍ତ୍ତୃପକ୍ଷଙ୍କ ଅନୁମତି ମାଗି ୨୦୧୩-୧୪ରେ ୩ ଟଙ୍କା ୪୩ ପଇସା କ୍ୱିଣ୍ଟାଲ ପିଚ୍ଛା ଅଧିକା କରିବାକୁ ଅନୁମତି ମାଗିଥିଲେ। ସେତେବେଳେ ସରକାରଙ୍କ ନିର୍ଦ୍ଧାରିତ ଦର କ୍ୱିଣ୍ଟାଲ ପିଚ୍ଛା ୫ ଟଙ୍କା ୬୭ ପଇସା ଥିବା ବେଳେ ୯ ଟଙ୍କା ୧୦ ପଇସା ମଜୁରୀ ପ୍ରଦାନ କରାଯାଇଥିଲା।ଜୟପୁର ସମବାୟ ରେଜିଷ୍ଟ୍ରାରଙ୍କ ଚିଠି ପାଇବା ପରେ ଭୁବନେଶ୍ୱର ରେଜିଷ୍ଟ୍ରାର ତାଙ୍କ ଚିଠି ନମ୍ବର ୩୭୩୭/ତା-୨୦-୦୨-୨୦୧୪ରେ ଅଧିକା ଖର୍ଚ୍ଚ ପାଇଁ ଅନୁମତି ପ୍ରଦାନ କରି ରାଜ୍ୟ ଯୋଗାଣ ବିଭାଗ ଠାରୁ ଲ୍ୟାମ୍ପସକୁ ମିଳୁଥିବା କମିଶନରୁ ଏହାକୁ ଭରଣ କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ କାହିଁକି କେଜାଣି ଭୁବନେଶ୍ୱର ସମବାୟ ରେଜିଷ୍ଟ୍ରାର ଆଉ ଏକ ଚିଠି ନମ୍ବର ୭୫୮୮/ ତା- ୨୩.୦୪.୨୦୧୫ରେ ମଜୁରୀ ବୃଦ୍ଧି ପାଇଁ ଦେଇଥିବା ସମସ୍ତ ପୂର୍ବ ନିର୍ଦେଶନାମା ଗୁଡ଼ିକୁ ପ୍ରତ୍ୟାହାର କରିନେଇଥିଲେ । ଏହାପରେ ଲ୍ୟାମ୍ପସ କର୍ତ୍ତୃପକ୍ଷ ହରଡ଼ ଘଣାରେ ପଡ଼ିଯାଇଥିଲେ। ଲ୍ୟାମ୍ପଗୁଡ଼ିକ ମଣ୍ଡି ହ୍ୟାଣ୍ଡେଲିଂ ବାବଦକୁ ରାଜ୍ୟ ଯୋଗାଣ ବିଭାଗ ଠାରୁ କ୍ୱିଣ୍ଟାଲ ପିଚ୍ଛା ୩୧.୨୫ ଟଙ୍କା କମିଶନ ପାଉଛନ୍ତି।
ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲାର ୧୪ ଟି ଲ୍ୟାମ୍ପସ ମଧ୍ୟରୁ ରାୟଗଡ଼ା ଏମପିସିଏସ ୨୬ ହଜାର ୯୧୨ ଟଙ୍କା, ରାୟଗଡ଼ା ଲ୍ୟାମ୍ପସ ୮ ଲକ୍ଷ ୨୮ ହଜାର ୨୮୬ ଟଙ୍କା, ଗୁଡ଼ାରୀରେ ୩ ଲକ୍ଷ ୪୪ ହଜାର ଟଙ୍କା, ଗୁଣପୁରରେ ୪ ଲକ୍ଷ ୫୧ ହଜାର ଟଙ୍କା, ରାମନାଗୁଡ଼ା ୪ ଲକ୍ଷ ୨୯ ହଜାର ଟଙ୍କା, ପଦ୍ମପୁରରେ ୫ ଲକ୍ଷ ୬୩ ହଜାର ଟଙ୍କା, ମୁନିଗୁଡ଼ାରେ ୫ ଲକ୍ଷ ୨୯ ହଜାର ଟଙ୍କା, ଅମ୍ବାଦଳାରେ ୨ ଲକ୍ଷ ୪୭ ହଜାର ଟଙ୍କା, ବିଷମକଟକରେ ୮ ଲକ୍ଷ ୫୬ ହଜାର ଟଙ୍କା, ଚନ୍ଦ୍ରପୁରରେ ୧୬ ହଜାର ୮୬୦ ଟଙ୍କା, ଟିକିରିରେ ୫୩ ହଜାର ୯୯୭ ଟଙ୍କା, କଲ୍ୟାଣସିଂହପୁରରେ ୫ ଲକ୍ଷ ୭୨ ହଜାର ଟଙ୍କା, କାଶୀପୁରରେ ୨୫ ହଜାର ୫୦୬ ଟଙ୍କା ଏବଂ କୋଲନରାରେ ୩ ଲକ୍ଷ ୩୬ ହଜାର ଟଙ୍କା ଅଧିକା ପଇଠ କରାଯାଇଥିବା ଦର୍ଶାଯାଇଛି। ଗତ କିଛି ମାସ ଧରି ଭିଜିଲାନ୍ସ ବିଭାଗ ବିଭିନ୍ନ ଲ୍ୟାମ୍ପସରେ ଖୋଳତାଡ଼ କରିବା ପରେ ଏହି ତଥ୍ୟ ଜଣାପଡ଼ିଥିଲା। ରାୟଗଡ଼ା ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ଇନ୍ସପେକ୍ଟର କଳାବତୀ ବାଗ ଓ ଅନ୍ୟ କର୍ମଚାରୀମାନେ ଏହି ଅନିୟମିତତା ନେଇ ତଦନ୍ତ ଚଳାଇଥିଲେ। ଏଥିପାଇଁ ସଂପୃକ୍ତ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ବିରୋଧରେ ମକଦ୍ଦମା ଦାୟର କରାଯିବ ବୋଲି ଡିିଏସପି ସୁଶାନ୍ତ କୁମାର ବିଶ୍ୱାଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/rice-godown.jpg)