ସେଲଫି ନିଶା ହେଲା କାଳ: ନଦୀରେ ଭାସିଯାଇ ୨ ଯୁବତୀ ମୃତ

ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ସତ୍ତ୍ୱେ ଭାଙ୍ଗୁନି ମନ୍ଦିର କମିଟି ଓ ଜିଲ୍ଲା ପ୍ରଶାସନର ନିଦ

ରାୟଗଡ଼ା: ଜୀବନ ପାଇଁ ଖୁସି ଯେତିକି ଆବଶ୍ୟକ ସେତିକିରେ ରହିବା ଭଲ। ତା’ଠାରୁ ଅଧିକ ଆଶା ରଖିଲେ ବିପଦ ଆସିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ନାଗାବଳୀରେ ସେଲଫି ନେବା ବେଳେ ଅଘଟଣର ଶିକାର ହୋଇଥିବା ୨ ଯୁବତୀ। ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ଦେଇ ପ୍ରବାହିତ ହୋଇଥିବା ନାଗାବଳୀ ନଦୀ ଉପରେ ନିର୍ମିତ ଝୋଲା ପୋଲ ଉପରେ ସେଲଫି ନେଉଥିବା ବେଳେ ଗୁରୁବାର ଅପରାହ୍ନ ୧ଟା ବେଳେ ୨ଜଣ ଯୁବତୀ ପାଣିରେ ଭାସିଯାଇଥିଲେ। ପରେ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା। କିନ୍ତୁ ପାଣିରୁ ଉଦ୍ଧାର ହେବା ବେଳକୁ ଆନ୍ଧ୍ରପ୍ରଦେଶର ବିଶାଖାପାଟ୍ଟନମର  ଏମ୍‌.ଜ୍ୟୋତି ଓ ବଜୟନଗରମ୍‌ର ଏସ୍‌ ଦେବୀଙ୍କ ଆଖି ବୁଜି ସାରିଥିଲେ। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

୬ମାସ ଭିତରେ ୨ୟ ଘଟଣା
ରାୟଗଡ଼ା ସହରର ଆରାଧ୍ୟା ଦେବୀ ମଝିଘରିଆଣୀଙ୍କ ଦର୍ଶନ ପାଇଁ କେତେ ଆଶା ନେଇ ଏଠାକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଆସିଥାନ୍ତି। ଆନ୍ଧ୍ରପ୍ରଦେଶର ପର୍ଯ୍ୟଟକମାନେ ମୁଖ୍ୟତଃ ଏଠାକୁ ଆସିଥାନ୍ତି। ମନ୍ଦିର ନିକଟରେ ଥିବା ନାଗାବଳୀ ପୋଲ ଉପରେ ପର୍ଯ୍ୟଟକ ବୁଲିବାକୁ ପସନ୍ଦ କରିଥାନ୍ତି। ଏଥି ସହିତ ନାଗାବଳୀର ଗଭୀର ଜଳରେ ଗାଧୋଇବାକୁ ଯାଇ ଅନେକ ସମୟରେ ମୃତ୍ୟୁକୁ ଡାକିଥାନ୍ତି। ବିଗତ ୬ମାସ ମଧ୍ୟରେ ଏହା ହେଉଛି ୨ୟ ଘଟଣା। ପୂର୍ବରୁ ଏଠାରେ ଆଉ ୩ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା।

ବିଗତ ୬ମାସ ମଧ୍ୟରେ ଏହା ୨ୟ ଘଟଣା ହୋଇଥିବା ବେଳେ ୫ବର୍ଷରେ ୩୨ତମ ଘଟଣା। ନିକଟରେ ୩ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ସତ୍ତ୍ୱେ ମନ୍ଦିର କମିଟି ଓ ଜିଲ୍ଲା ପ୍ରଶାସନର ଅବହେଳା କରୁଥିବା ଅଭିଯୋଗ ହେଉଛି। ମନ୍ଦିର ନିକଟରେ ଥିବା ନାଗାବଳୀ ନଦୀ ଘାଟରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସେଭଳି କିଛି ପଦକ୍ଷେପ ନିଆଯାଇ ନାହିଁ।

ମନ୍ଦିର କମିଟି ଓ ଜିଲ୍ଲା ପ୍ରଶାସନର ଅବହେଳା


ରାୟଗଡ଼ା ପର୍ଯ୍ୟଟନ ମାନଚିତ୍ରରେ ନାଗାବଳୀ ଓ ମଝିଘରିଆଣୀ ପ୍ରସିଦ୍ଧ ଲାଭ କରିଛି। ଏଠାକାର ପ୍ରାକୃତିକ ଦୃଶ୍ୟ ଯୋଗୁଁ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି। ମନ୍ଦିର ନିକଟରେ ଥବା ଘାଟରେ ପ୍ରାୟ ୭ଫୁଟ ପାଣି ଥିବା ଯୋଗୁଁ ନୂଆକରି ଆସୁଥିବା ଲୋକଙ୍କୁ ଜଳସ୍ରୋତ ବିଷୟରେ ଧାରଣ ନ ଥାଏ। ଅନ୍ୟପକ୍ଷରେ ନଦୀ ଜଳ ଭଉଁରୀ ଖେଳୁଥିବା ଯୋଗୁଁ ମଧ୍ୟ ପର୍ଯ୍ୟଟକ ଜାଣିପାରି ନଥାନ୍ତି। ମନ୍ଦିର କମିଟି ପର୍ଯ୍ୟଟକମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଅସୁଲି କରୁଛି। ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ପାଇଁ ନାଗାବଳୀରେ ପାଚୋରୀ ନିର୍ମାଣ କରିବାକୁ ବହୁ ବାର ଦାବିି ହୋଇ ଆସୁଥିଲେ ମଧ୍ୟ ସୁଫଳ ମିଳୁ ନାହିଁ।

ଆନ୍ଧ୍ର ପର୍ଯ୍ୟଟକଙ୍କ ପାଇଁ ବିପଦ ସ୍ଥଳ: ୫ବର୍ଷରେ ୩୨ ମୃତ
ରାୟଗଡ଼ା ପଡ଼ୋଶୀ ଆନ୍ଧ୍ରପ୍ରଦେଶର ନିକଟରେ ଥିବାରୁ ଏଠାରେ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଗତ ୫ ବର୍ଷରେ ମଝିଘରିଆଣୀ ବୁଲିବାକୁ ଆସି ନାଗାବଳୀରେ ୩୨ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ତଥାପି ଜିଲ୍ଲା ପ୍ରଶାସନର ନିଦ ଖୋଲି ନାହିଁ।

ସମ୍ବନ୍ଧିତ ଖବର