ସିଏମଏସ କର୍ମଚାରୀଙ୍କଠୁ ୨୪ ଲକ୍ଷ ଟଙ୍କା ଲୁଟ୍ ମାମଲା: ୪ ଗିରଫ, ବାଇକ୍‌ ସମେତ ସମସ୍ତ ଟଙ୍କା ଜବତ

ରାୟଗଡ଼ା: ଗତ ବୁଧବାର  ବିଭିନ୍ନ ସଂସ୍ଥା ଓ ବ୍ୟାଙ୍କକୁ ଟଙ୍କା ଦେଣନେଣ କରୁଥିବା ସିଏମଏସ୍‌ କଂପାନିର ଜଣେ କର୍ମଚାରୀଙ୍କଠୁ ୨୪ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ସେହି ମାମଲାର ତଦନ୍ତ କରି ପୁଲିସ୍‌ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ପରେ ସେମାନଙ୍କଠାରୁ ସମସ୍ତ ଟଙ୍କା ଜବତ ହୋଇଛି। କର୍ମଚାରୀ ଜଣକ ଯେଉଁ ବ‌ାଇକ୍‌ରେ ଟଙ୍କା ନେଇ ଯାଉଥିଲେ ସେହି ବାଇକ୍‌ ମଧ୍ୟ ଜବତ ହୋଇଥିବା ସୂଚନା ରହିିଛି। ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ବୁଧବାର ରାୟଗଡ଼ା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାମଲାର ତଦନ୍ତ କରି ପୁଲିସ୍‌ ୪ ଜଣକୁ ଉଠାଇ ନେଇ ପଚରାଉଚରା କରିଥିଲା। ସେହି ୪ ଜଣଙ୍କୁ ଗିରଫ କରାଯାଇଛି। ସନ୍ଦେହ କରାଯାଉଛି ଯେ କମ୍ପାନିର ଟଙ୍କା ନେଇ ଯାଉଥିବା କର୍ମଚାରୀ ଅନୀଲ କୁମାର ଗରଡ଼ିଆ ହେଉଛନ୍ତି ଏହି ଲୁଟ୍‌ର ମାଷ୍ଟର୍‌ମାଇଣ୍ଡ୍‌।

ଉଲ୍ଳେଖଯୋଗ୍ୟ, ସୋମବାର ମଧ୍ୟାହ୍ନରେ ରାୟଗଡ଼ା ସିଏମଏସ୍ ଇନଫୋ ସିଷ୍ଟମ୍ ଲିମିଟେଡ୍ ରାୟଗଡ଼ା ଶାଖା କାର୍ଯ୍ୟାଳୟ କର୍ମଚାରୀ ଅନୀଲ କୁମାର ଗରଡ଼ିଆ ରିଲାଏନ୍‌ସ କାର୍ଯ୍ୟାଳୟରୁ ୨୩ଲକ୍ଷ ୯୯ହଜାର ୭୯୭ଟଙ୍କା ନେଇ ଆକ୍ସିସ୍ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ଅନୀଲ ବାଇକରେ ବ୍ୟାଙ୍କକୁ ଯାଉଥିବା ବେଳେ ଏଫ୍‌ସିଆଇ ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଅନୀଲକୁ ଅଟକାଇଥିଲେ। ଅନୀଲ ବାଇକ୍ ରଖିବା ପରେ ଟଙ୍କା ବ୍ୟାଗକୁ ଦୁର୍ବୃତ୍ତମାନେ ଝାମ୍ପି ନେଇ ଚାଲି ଯାଇଥିଲେ। ଏ ସଂପର୍କରେ ଅନୀଲ୍ ସିଏମଏସ୍‌ ଅଫିସକୁ ସୂଚନା ଦେବା ପରେ କର୍ମଚାରୀ ଏଫ୍‌ସିଆଇ ଛକରେ ପହଞ୍ଚିଥିଲେ। ଟଙ୍କା ଲୁଟ୍ ନେଇ କଂପାନି କର୍ମଚାରୀ ଜେ. ଈଶ୍ବର ରାଓ ରାୟଗଡ଼ା ଥାନାରେ ଏତଲା ଦେବା ପରେ ପୁଲିସ୍ ତନାଘନା ଆରମ୍ଭ କରି ଦେଇଥିଲା। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସନ୍ଦେହରେ ୪ ଜଣଙ୍କୁ ଅଟକ ମଧ୍ୟ ରଖିଥିଲା।

ସମ୍ବନ୍ଧିତ ଖବର