କ୍ରିକେଟ୍ ମ୍ୟାଚ୍ ଲାଗି କୋଟି କୋଟି ଟଙ୍କାର ଅନଲାଇନ୍ ବେଟିଂ କରୁଥିବା ୩ ଜୁଆଡ଼ି ଗିରଫ

ଗୁଣପୁର: ବିଭିନ୍ନ କ୍ରିକେଟ୍ ମ୍ୟାଚ୍ ଲାଗି ବେଟିଂ କରିବା ଅଭିଯୋଗରେ ୩ ଜଣ ବ୍ୟକ୍ତିଙ୍କୁ ଗୁଣପୁର ପୁଲିସ୍‌ ଗିରଫ କରିଛି। ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲାରେ ଏକ ରାକେଟ୍ ବିଭିନ୍ନ କ୍ରିକେଟ୍ ମ୍ୟାଚ୍ ଲାଗି ବେଟିଂ କରୁଥିବାର ସୂଚନା ପୁଲିସକୁ ମିଳିଥିଲା। ଏମାନେ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ସମେତ ଅନ୍ୟରାଜ୍ୟରେ ଅନଲାଇନ୍ ବେଟିଂ କରୁଛନ୍ତି। ଏପରିକି ସେମାନେ ପାକିସ୍ତାନରେ କ୍ରିକେଟ୍ ମ୍ୟାଚ୍ ଲାଗି ବି ବେଟିଂ କରୁଥିଲେ। ସେମାନେ କୋଟି କୋଟି ଟଙ୍କାର କାରବାର କରୁଥିବା କୁହାଯାଉଛି।

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଉଥିବା ବେଳେ ଏଥିପାଇଁ ବି ବେଟିଂ କରୁଥିବାର ଖବର ପାଇ ଗୁଣୁପୁର ଡିଏସପି ରାଜକିଶୋର ଦାସଙ୍କ ତତ୍ତ୍ବାବଧାନରେ ଗୁଣୁପୁର ଥାନା ଆଇଆଇସି ରଶ୍ମୀରଞ୍ଜନ ପ୍ରଧାନ ଏବଂ ଏସଆଇ ରାଜକିଶୋର ବେହେରା ଚଢ଼ଉ କରି ଏହି ଘଟଣାର ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଗିରଫ ବ୍ୟକ୍ତିମାନେ ହେଲେ ଗୁଣପୁର ଥାନା ଅଞ୍ଚଳର ବିଚିକେଶ୍ୱର ରାଓ, ଜେ ରାଜେଶ ଓ ସନ୍ତୋଷ ବାଉରୀ। ଏମାନେ ସମସ୍ତେ ପେସାଦାର ଜୁଆଡ଼ି ବୋଲି ଜଣାଯାଇଛି। ଏମାନଙ୍କ ନାଁରେ ୧୦ରୁ ଅଧିକ ମାମଲା ରହିଛି। ସେମାନେ ଏକାଧିକବାର ଗିରଫ ବି ହୋଇଥିଲେ।

ସେମାନଙ୍କଠାରୁ ଗୁଣୁପୁର ପୁଲିସ୍‌ ୧ଲକ୍ଷ ୨୬ ହଜାର ଟଙ୍କା, ୯ଟି ମୋବାଇଲ ଫୋନ୍, ୩ଟି ଏଟିଏମ୍ କାର୍ଡ ଓ ତିନିଟି ବାଇକ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ପୁଲିସ ପଚରାଉଚରା କରିବା ସହ ଅନ୍ୟ କେଉଁମାନେ ଏହି କାମରେ ଜଡ଼ିତ ତା’ର ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର