ରାୟଗଡା: ଗଜ ପର୍ବକୁ ପୋଢ଼ଟିଏ ନ ଦେବା ଘଟଣାରେ ଗାଁରୁ ବାସନ୍ଦ ହୋଇଥିବା ୩ ପରିବାର ଘଟଣାର ସମାଧାନ କରିବ ପୁଲିସ୍। ବିଡିଓ-ତହସିଲଦାର-ଗ୍ରାମବାସୀଙ୍କୁ ନେଇ ଚାନ୍ଦିଲି ଥାନାରେ ହେବାକୁ ଥିବା ତ୍ରିପାକ୍ଷିକ ବୈଠକରେ ଘଟଣାର ସମାଧାନ କରାଯିବ। ଦିନେ, ଦୁଇ ଦିନ ମଧ୍ୟରେ ବୈଠକ ହେବାକୁ ଥିବା ବେଳେ ଏ ନେଇ ସରପଞ୍ଚଙ୍କୁ ଅବଗତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଚାନ୍ଦିଲି ଥାନା ଅଧିକାରୀ କ୍ଷୀରେଶ୍ବର ସାହୁ। ଗତକାଲି ପରିବାର ଲୋକ ଏସପିଙ୍କ ଦ୍ବାରସ୍ଥ ହେବା ପରେ ଘଟଣାର ସମାଧାନ ପାଇଁ ଉଦ୍ୟମ କରିଛନ୍ତି କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାପସ କୁମାର ଭୋଇ ଓ ଚାନ୍ଦିଲି ଥାନା ଅଧିକାରୀ କ୍ଷୀରେଶ୍ବର ସାହୁ। ଗାଁକୁ ଯାଇ ଉଭୟ ପକ୍ଷଙ୍କୁ ବୁଝାଶୁଝା କରିବା ସହ ଜମିଜମା ବିବାଦର ସମାଧାନ ଦିଗରେ ବୈଠକରେ ଆଲୋଚନା ପାଇଁ ପୁଲିସ୍ ପ୍ରସ୍ତାବ ଦେଇଛି।
ସୂଚନାଯୋଗ୍ୟ, ଚାନ୍ଦିଲି ଥାନା ପୂଜାରିଗୁଡା ଗ୍ରାମର ଚିନ୍ତାମଣି କଣ୍ଡାଗିରି ଗାଁ ଠାକୁରାଣୀ ‘ଝାଙ୍କିରି’କୁ ପୂଜାର୍ଚନା କରି ମନ୍ଦିର ନାଁରେ ଥିବା ୧ ଏକର ଜମିକୁ ନିଜ ଅଧୀନରେ ରଖିଥିଲେ। ତେବେ ଚିନ୍ତାମଣିଙ୍କ ସଂପର୍କୀୟ ଉକ୍ତ ଜମିକୁ ହାତେଇବା ପାଇଁ ଚେଷ୍ଟା କରି ଗ୍ରାମବାସୀଙ୍କୁ ଧରି ଗଜ ପର୍ବ ପାଇଁ ପୋଢ଼ ମାଗିବା ସହ ଏପରି କାଣ୍ଡ ଘଟାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ତେବେ ମାମଲା ରୁଜୁ କରିବା ସହ ପୁଲିସ୍ ଆପୋଷ ଆଲୋଚନା ମାଧ୍ୟମରେ ଏହି ମାମଲାକୁ ସମାଧାନ କରିବାକୁ ଉଦ୍ୟମ କରୁଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp