ରାୟଗଡ଼ା: ଲୁହା ଗ୍ରିଲ ଖସି ପଡ଼ିବାରୁ ତିନି ବାଳକ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଭଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକ ଅନ୍ତର୍ଗତ ଝିଗିଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସମୁଖରେ। ଗତକାଲି ସନ୍ଧ୍ୟାରେ ଝିଗିଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ହିତାଧିକାରୀଙ୍କୁ ପଡିଏସ୍ ଚାଉଳ ପ୍ରଦାନ କରାଯାଉଥିଲା। ସେହି ସମୟରେ ଝିଗିଡ ଗ୍ରାମର କିଛି ପିଲା ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ଲୁହା ଗ୍ରିଲ୍ କବାଟକୁ ଧରି ଖେଳୁଥିବା ବେଳେ ଉକ୍ତ ଲୁହା ଗ୍ରିଲଟି ଖସି ପଡ଼ି ସେହି ପିଲାମାନଙ୍କ ଉପରେ ଲଦି ହୋଇଯାଇଥିଲା।
ଏଭଳି ଘଟଣା ଘଟିବା ପରେ କାର୍ଯ୍ୟାଳୟ ପରିସରରେ ରହିଥିବା ଲୋକମାନେ ତୁରନ୍ତ ଉକ୍ତ ପିଲାମାନଙ୍କୁ ଉଦ୍ଧାର କରି ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ଦୁର୍ଭାଗ୍ୟବଶତଃ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ସରପଞ୍ଚ କହିଛନ୍ତି। ଗ୍ରିଲ ପଡ଼ିବା ପରେ ଗୁରୁତର ହୋଇଥିବା ଆହତମାନେ ହେଲେ ବାପୁନୁ ପିଡିକାକା (୭), ଗଣପତି ପିଡିକାକା(୫) ଏବଂ ଖଗେଶ୍ୱର ପିଡିକାକା(୫) ବୋଲି ଜଣାପଡ଼ିଛି। ବାପୁନୁ ପିହିକା ଓ ଗଣପତି ପିଡିକାକା ଗୁରୁତର ହୋଇଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ପ୍ରଥମେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି।