ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅଧୀନରେ ରହିଥିବା ମେଗା ପ୍ରକଳ୍ପର ପାଇପ ଚୋରି ଘଟଣାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଷମ କଟକ ପୁଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବିଷମ କଟକ ଥାନା ଅନ୍ତର୍ଗତ ଗୋତିଗୁଡା ଗ୍ରାମର ଜଗବନ୍ଧୁ ଜେନା, ରଞ୍ଜନ ପେରିସିକା, ବିଷମ କଟକ ସଦର ବଡ଼ ହରିଜନ ସାହିର ଦୁର୍ଯ୍ୟ କୁଶୁଲିଆ ଥିବା ବେଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପ୍ରବୀନ ବାରଣାସି,ରାଜେଶ ବାରଣାସି ବୋଲି ଜଣା ପଡ଼ିଛି।ବିଷମ କଟକ ଅଞ୍ଚଳର ସଂପୃକ୍ତ ବ୍ୟକ୍ତିମାନେ ଏହି ସବୁ ପାଇପକୁ ଶ୍ରୀକାକୁଲମର ଶ୍ରୀଗଣେଶ ପ୍ରାଇଭେଟ୍ ଲିମିଟେଡ଼ ସ୍କ୍ରାପ୍ କମ୍ପାନିକୁ ବିକ୍ରି କରୁଥିଲେ। ସୂଚନା ଅନୁଯାୟୀ, ବିଷମ କଟକ ବ୍ଲକର କୁମ୍ଭାରଢ଼ାମୁଣି ପଞ୍ଚାୟତରେ ମେଗା ପାନୀୟ ଜଳ ପକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ମେଗା ପାନୀୟ ଜଳ ପକଳ୍ପ ନିର୍ମାଣ କାର୍ଯ୍ୟରେ ବିଛାଯାଇଥିବା ୩୫୪ଟି କାଷ୍ଟ ଆଇରନ୍ ପାଇପ ସେଠାରୁ ଚୋରି ହୋଇଥିଲା। ଏ ନେଇ ମେଗା ପ୍ରକଳ୍ପର ଠିକାଦାର ଗତ ଡିସେମ୍ବର ମାସ ୨୪ତାରିଖରେ ଏବଂ ଜାନୁୟାରି ମାସ ୪ତାରିଖରେ ବିଷମ କଟକ ଥାନାରେ ୨ଟି ଏତଲା ଦେଇଥିଲେ ।
ଥାନାରେ ଦୁଇଟି ମାମଲା ରୁଜୁ ହେବା ପରେ ପୁଲିସ ଏହି ଘଟଣାକୁ ଅତି ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ପୁଲିସର ପ୍ରାଥମିକ ତଦନ୍ତ ସମୟରେ କୁମ୍ଭାର ଢାମୁଣି ଅଞ୍ଚଳରେ ନିୟମିତ ବ୍ୟବଧାନରେ ସନ୍ଧିଗ୍ଧ ଅବସ୍ଥାରେ ବୁଲିଥିଲେ ଜଗବନ୍ଧୁ ଏବଂ ରଂଜନ। ଏହି ୨ଜଣଙ୍କ ଉପରେ ପୁଲିସର ସନ୍ଦେହ ଘନୀଭୂତ ହେବା ଫଳରେ ସଂପୃକ୍ତ ବ୍ୟକ୍ତିମାନଙ୍କ କଲ ରେକର୍ଡ ଯାଞ୍ଚ କରାଯାଇଥିଲା। ଏହି ସନ୍ଦିଗ୍ଧମାନଙ୍କ କଲ ରେକର୍ଡକୁ ଟ୍ରାକ୍ କରି ଗତ ୨୩ ତାରିଖ ଦିନ ବିଷମ କଟକ ପୁଲିସର ଏକ ଟିମ ଶ୍ରୀକାକୁଲମ୍ ଯାଇ ସେଠାକାର ପୁଲିସ ସହାୟତାରେ ଶ୍ରୀଗଣେଶ ପ୍ରାଇଭେଟ୍ ଲିମିଟେଡ କମ୍ପାନି ଉପରେ ଚଢ଼ାଉ କରି ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରି ବିଷମ କଟକ ଆଣିଥିଲା। ଏଥିସହ ଚୋରିରେ ବ୍ୟବହୃତ ହୋଇଥିବା ଗୋଟାଏ ଟ୍ରକକୁ ମଧ୍ୟ ଜବତ କରିଛି ବିଷମ କଟଜ ପୁଲିସ।
ଚୋରି ହୋଇଥିବା ପାଇପର ଆନୁମାନିକ ମୂଲ୍ୟ ୩୮ ଲକ୍ଷ ଟଙ୍କା ବୋଲି ପୁଲିସ ସୂତ୍ରରୁ ଜଣା ପଡ଼ିଛି। ଏହି ମାମଲାରେ ଆଗକୁ ତଦନ୍ତ ଚାଲୁ ରହିବ ଏବଂ ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି, ତାର ଖବର ବାହାର କରି ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବିଷମ କଟକ ଏସ୍.ଡି.ପି.ଓ. ଆକାଶ କୁମାର ସାହୁ ସୂଚନା ଦେଇଛନ୍ତି।