୫ବର୍ଷର ଶିଶୁକୁ ହତ୍ୟା

ମୁନିଗୁଡା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଭାଲିଆପଦର ଗ୍ରାମର ଜଣେ ୫ବର୍ଷର ନିଷ୍ପାପ ଶିଶୁକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଶିଶୁ ଜଣକ ଗିରି ମାଣ୍ଡିକାଙ୍କ ପୁଅ ତରୁଣ ମାଣ୍ଡିକା ବୋଲି ଜଣାପଡିଛି। ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଭାଲିଆପଦର ଗ୍ରାମର ଗିରି ମାଣ୍ଡିକା ଓ ସେହି ଗ୍ରାମର ଘାସିରାମ ସିକକାଙ୍କ ମଧ୍ୟରେ କୌଣସି କାରଣରୁ କିଛି ମାସ ତଳେ ବଚସା ହୋଇଥିଲା। ଏହାକୁ କେନ୍ଦ୍ରକରି ଗିରିଙ୍କୁ ଜୀବନରେ ମାରିଦେବାକୁ ଘାସି ଧମକ ଦେଇ ଆସୁଥିଲେ। ଆଜି ଘାସି ଏକ ଟାଙ୍ଗିଆ ଧରି ଗିରିଙ୍କୁ ଜୀବନରେ ମାରିଦେବାକୁ ଗୋଡାଇଥିଲେ। କୌଶଳ କ୍ରମେ ଗିରି ନିଜ ଘର ଭିତରେ ଲୁଚି ଯାଇଥିଲେ। କିନ୍ତୁ ଉତ୍ତ୍ୟକ୍ତ ଅବସ୍ଥାରେ ଥିବା ଘାସିଙ୍କ ହାବୁଡରେ ପଡି ଯାଇଥିଲା ଗିରିଙ୍କ ୫ବର୍ଷର ପୁଅ ତରୁଣ। ଘାସିଙ୍କ ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ତରୁଣର ମୃତ୍ୟୁ ହୋଇଯାଇଥିଲା। ଏନେଇ ଗିରି ମୁନିଗୁଡା ଥାନାରେ ଏତଲା ଦେବା ପରେ ପୁଲିସ କେଶ୍ ନଂ-୩୨/୧୯ ଓ ଆଇପିସି ୩୦୨ ଧାରା ଅନୁଯାୟୀ ମାମଲା ରୁଜୁ କରି ଘାସିକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଥାନା ଅଧିକାରୀ ରାମେଶ୍ବର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର