ରାୟଗଡ଼ା : ଆନ୍ତଃରାଜ୍ୟ ଡକାୟତ ଦଳକୁ କାବୁ କରିଛି ରାୟଗଡ଼ା ପୁଲିସ୍। ସହରରେ ବଡ଼ ଧରଣର ଡକାୟତି ଯୋଜନା କରୁଥିବା ସମୟରେ ବିଳମ୍ବିତ ରାତିରେ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି। ଡକାୟତଙ୍କ ନିକଟରୁ ପୁଲିସ୍ ଗୋଟିଏ ଦେଶୀ ବନ୍ଧୁକ, ୨ଟି ବୋମା, ୨ଟି ଖଣ୍ଡା, ଗନ୍ ପାଉଡର୍, ଲୁହା ବଲ୍, ୩ଟି ଲୁହା ଛଡ଼, ୨ଟି ମୋବାଇଲ୍, ଗୋଟିଏ ଅଟୋ ଓ ବାଇକ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

Advertisment

publive-image

ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ସହରର ଏକ ବେସରକାରୀ କଲେଜ ପଛପାର୍ଶ୍ବରେ ଡକାୟତି ଦଳ ଆଡ୍ଡା ଜମାଇଥିବା ସଂପର୍କରେ ସୂଚନା ପାଇଥିଲା ପୁଲିସ୍। ଏସଆଇ୍ ରିଗାନ୍ କିଣ୍ଡୋ, ଏସ୍ଆଇ ସୌମ୍ୟରଂଜନ ପତିଙ୍କ ନେତୃତ୍ବରେ ପୁଲିସ୍ ଚଢ଼ଉ କରି ଡକାୟତ ଗ୍ୟାଙ୍ଗକୁ କାବୁ କରିଥିଲା। ୬ ଜଣଙ୍କୁ ପୁଲିସ୍ ଉଠାଇ ଆଣି ଥାନାରେ ପଚରା ଉଚରା କରିବା ପରେ ବଡ଼ ଧରଣର ଡକାୟତି ପାଇଁ ଯୋଜନା ଚାଲିଥିବା ଜଣା ପଡ଼ିଥିଲା। ଫଳରେ ପୁଲିସ୍ ଇଡ଼ିଲି ସାଗର, ଗୁର୍ଲି ବୁଜି, ମୋଗେଶ ମାଣ୍ଡାଙ୍ଗିଙ୍କୁ ଗିରଫ କରିଥିଲା। ଗିରଫ ସାଗର ଓ ବୁଜିର ଘର ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ତୁରକାନୱାଲସା ଏବଂ ମୋଗେଶର ଘର ଗୁମ୍ମା ଲକ୍ଷ୍ମୀପୁରମ ଥାନାର ବାଥାଗୁଡ଼ୁବା ଗାଁରେ। ସେହିପରି ଅଟକ ଅନ୍ୟ ୩ ନାବାଳକଙ୍କୁ ପୁଲିସ୍ ଜୁଭେନାଇଲ୍ କୋର୍ଟକୁ ସ୍ଥାନାନ୍ତର କରିଛି। ଡକାୟତ ଗ୍ୟାଙ୍ଗ୍ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ାରୁ ଅଟୋ ଓ ବାଇକରେ ଆସିବା ପରେ କଲେଜ ଗ୍ରାଉଣ୍ଡରେ ବସି ଡକାୟତ ଯୋଜନା କରୁଥିଲେ। ଡକାୟତ ଦଳ ପାଖରେ ଦେଶୀ ବନ୍ଧୁକ, ବୋମା, ଖଣ୍ଡା, ଗନ୍ ପାଉଡର୍, ଲୁହା ଛଡ଼ ରଖିଥିବାରୁ କାହାକୁ ଆକ୍ରମଣ କରିବା ଯୋଜନା କରୁଥିଲେ କି ନାହିଁ ସେ ଦିଗରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଡକାୟତଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲକୁ ପୁଲିସ୍ ଜବତ କରି କଲ୍ ରେକର୍ଡକୁ ଯାଞ୍ଚ କରୁଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।