ବାସି ଖାଦ୍ୟ ଖାଇ ୭ ଗାଈ ମୃତ

କାଶିପୁର/ଟିକିରି: କାଶୀପୁରରେ ଗତ ମଙ୍ଗଳବାର ଦିନ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ତେବେ ଆୟୋଜକଙ୍କ ଦାୟିତ୍ୱ ହୀନତା ଯୋଗୁଁ ପଡ଼ିଆରେ ପଡ଼ିଥିବା ବାସି ଖାଦ୍ୟ ଖାଇ ୭ଟି ଗାଈ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ଗାଈମାନେ ଆଦିବାସୀ ଓ ଗୌଡ଼ ସାହିର ଚିନୁ ମାଝୀଙ୍କ ୩ଟି, ଶିବ ଶଙ୍କର ମାଝୀ, ସୁନୀଲ ଓ ଅନ୍ୟ ଜଣଙ୍କର ଗୋଟିଏ ଲେଖାଏଁ ବୋଲି ଜଣାପଡ଼ିଛି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବଳି ପଡ଼ିଥିବା ଖାଦ୍ୟକୁ ଆୟୋଜକ ମାନେ ପୋତିବା ପରିବର୍ତେ ପଡ଼ିଆରେ ଫୋଫାଡ଼ି ଦେଇଥିଲେ।

ତେବେ ଏହି ଖାଦ୍ୟ ଖାଇବାରୁ ଗତକାଲି ୪ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ଆଜି ୩ଟି ଗାଈର ମୃତ୍ୟୁ ଘଟିଛି। ଏ ସଂପର୍କରେ ପ୍ରାଣୀଧନ ବିଭାଗର ଡ଼ାକ୍ତର ସୁନୀଲ ଟାପ୍ପନଙ୍କୁ ପଚାରିବାରୁ ଅତ୍ୟଧିକ ବାସି ଖାଦ୍ୟ ଖାଇବା ଯୋଗୁଁ ମୃତ୍ୟୁ ଘଟିଛି ବୋଲି ସୂଚନା ଦେଇଛନ୍ତି। ଅପର ପକ୍ଷରେ ଗାଈ ପାଳି ପରିବାର ଚଳୁଥିବା ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି। ୨୮ ତାରିଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ, ବିଧାୟକ ଓ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର