ଆବାସ ଯୋଜନା ଜାଲିଆତି ଘଟଣା : ସଂପୃକ୍ତ ଜିଆରଏସ ନିଖୋଜ

ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କାଙ୍କୁବାଡି ପଞ୍ଚାୟତରେ ଆବସ ଯୋଜନା ଜାଲିଆତି ଘଟଣାରେ ସଂପୃକ୍ତ ଗ୍ରାମ ରୋଜଗାର ସେବକ ଦୀର୍ଘ ଦିନ ହେବ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଛନ୍ତି। ତେଣୁୁ ମନରେଗା ଯୋଜନାରେ ନିୟୋଜିତ ଶ୍ରମିକଙ୍କୁ ମଜୁରୀ ପ୍ରଦାନ କରାଯାଇପାରୁନାହିଁ। କୌଣସି ସୂଚନା ନଦେଇ ସଂପୃକ୍ତ ଗ୍ରାମ ରୋଜଗାର ସେବକ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବା ଏବଂ ତାଙ୍କ ସହ ଯୋଗାଯୋଗ ହୋଇପାରୁ ନଥିବାରୁ ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ମଜୁରୀ ପ୍ରଦାନ ଦିଗରେ ସମସ୍ୟା ଉପୁଜିଛି ବୋଲି ସାହାଡା ପଞ୍ଚାୟତ ପିଇଓ ଲିଖିତ ଭାବେ ବିଡିଓଙ୍କୁ ଜଣାଇଥିଲେ। ସେହିପରି କାମ ଚଳାଇବାରେ ବହୁ ଅସୁବିଧା ହେଉଥିବାରୁ ତୁରନ୍ତ ଗ୍ରାମ ରୋଜଗାର ସେବକ ନିଯୁକ୍ତି ପାଇଁ ଦାବି କରିଥିଲେ। ଏନେଇ ଭାରପ୍ରାପ୍ତ ବିଡିଓ ବଳରାମ ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ଡୁମୁରିନେଳି ଗ୍ରାମ ରୋଜଗାର ସେବକ ଶିବ ପ୍ରସାଦ ଗନ୍ତାୟତଙ୍କୁ ଅତିରିକ୍ତ ଦାୟିତ୍ୱ ହସ୍ତାନ୍ତର କରିବା ସହ ସଂପୃକ୍ତ ଗ୍ରାମ ରୋଜଗାର ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି।
ସୂଚନା ଥାଉକି, କାଙ୍କୁବାଡି ପଞ୍ଚାୟତ ଅନ୍ତର୍ଗତ ବୋରିଖାଲ ଗ୍ରାମର ରାଜେନ୍ଦ୍ର ହିଆଲ ନାମରେ ଗତ ୨୦୧୬-୧୭ ମସିହାରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଗୃହ ମଞ୍ଜୁର ହୋଇଥିଲା।

କିନ୍ତୁ ହିତାଧିକାରୀଙ୍କ ଅଜ୍ଞାତରେ ସଂପୃକ୍ତ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ରମାକାନ୍ତ ସାହୁକାର ଚଂଚକତା କରି ସେହି ଗ୍ରାମର କାର୍ତ୍ତିକ ହିଆଲଙ୍କ ନିଥିପତ୍ର ସଂଯୋଗ କରି ସମସ୍ତ ଟଙ୍କା ଉଠାଇ ହଡପ କରଥିଲେ। ଏ ସଂକ୍ରାନ୍ତରେ ଖବର ପ୍ରସାରିତ ହେବା ପରେ ବ୍ଲକ ପ୍ରଶାସନ ତଦନ୍ତ ଆରମ୍ଭ କରିଥିବା ବେଳେ ଗ୍ରାମ ରୋଜଗାର ସେବକ ସହଯୋଗ କରିନଥିଲେ। ନଥିପତ୍ର ଯାଞ୍ଚ ବେଳେ ନକଲି ହିତାଧିକାରୀଙ୍କ ନାମରେ ଫାଇଲ ଖୋଲାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଗ୍ରାମ ପଞ୍ଚାୟତରୁ ଚୟନ ହୋଇଥିବା ହିତାଧିକାରୀଙ୍କ ନାମକୁ ବ୍ଲକ କାର୍ଯ୍ୟାଳୟରେ ରହିଥିବା ଏସ୍‌ଇସିସି ତାଲିକା ସହ ମେଳ କରାଯାଇ ନାହିଁ ନା’ ଏଥିରେ ବ୍ଲକ କର୍ମଚାରୀଙ୍କ ହାତ ରହିଛି ତାହା ତଦନ୍ତ ସାପେକ୍ଷ। ଚାରୋଟି ପର୍ଯ୍ୟାୟରେ ନକଲି ହିତାଧିକାରୀଙ୍କୁ ଅନ୍‌ଲାଇନରେ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅଧିକାରୀଙ୍କ ନଜର ପଡିଲା ନାହିଁ କେମିତି ବୋଲି ପ୍ରଶ୍ନ ଉଠୁଛି। ଯଦି ଜଣେ ହିତାଧିକାରୀଙ୍କୁ ପୂର୍ବରୁ ଗୃହ ଅନୁମୋଦନ ହୋଇ ସାରିଛି ତେବେ ସେ ପୁନର୍ବାର ଗୃହ ପାଇବ ନାହିଁ ବୋଲି ସରକାରଙ୍କ କଡା ନିର୍ଦ୍ଦେଶ ରହିଛି। ତେଣୁ ଗୃହ ଆବଣ୍ଟନର ନିରପେକ୍ଷ ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରକୃତ ହିତାଧିକାରୀଙ୍କୁ ଗୃହ ପ୍ରଦାନ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର