ରାୟଗଡା : ରାୟଗଡା ଜିଲ୍ଲା ଅନ୍ତଗର୍ତ ଦୋରାଗୁଡା ଥାନା ଅଧୀନ କୁଚେଇପଦର ଗ୍ରାମର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରାଜଜ୍। ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲ୍ଲା ଦୌରାଜଜ୍ ବିଶ୍ବଜିତ୍ ଦାଶ ଅଭିଯୁକ୍ତ ବଳରାମ ତୁଳକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ତରେ ଦଣ୍ତିତ କରିଛନ୍ତି। ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ବଳରାମ ଗିରଫ ହୋଇ ରାୟଗଡା ଜେଲ୍ରେ ଥିବା ବେଳେ ଆସନ୍ତାକାଲି କୋରାପୁଟ ସର୍କଲ୍ ଜେଲକୁ ସ୍ଥାନାନ୍ତର କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୭ ଫେବ୍ରୁଆରି ୨୪ ତାରିଖରେ ଅଭିଯୁକ୍ତ ବଳରାମ ଶିବ ରାତ୍ର ଦେଖାଇବାକୁ କୁଚେଇପଦର ଗ୍ରାମର ୫ଜଣ ଯୁବତୀଙ୍କୁ ନିକଟସ୍ଥ ଗାଁକୁ ନେଇଥିଲା। ଯାତ୍ରା ଭଲ ହେଉନଥିବା ଦର୍ଶାଇ ବିଳମ୍ବିତ ରାତିରେ ଗାଁକୁ ଫେରିଯିବା ପାଇଁ ବଳରାମ ଯୁବତୀଙ୍କୁ କହିଥିଲା। ସ˚ଗେ ସ˚ଗେ ଏକ ମ୍ୟାକ୍ସ ପିକ୍ ଅପ୍ ଗାଡି ଡକାଇ ଅନ୍ୟ ୫ ଯୁବତୀଙ୍କୁ ଗାଡିରେ ଗାଁକୁ ପଠାଇ ଦେଇଥିବା ବେଳେ ଜଣଙ୍କୁ ନିଜ ବାଇକରେ ବସାଇଥିଲା। ଅନ୍ୟ ଯୁବତୀମାନେ ସମସ୍ତେ ଏକତ୍ରା ଯିବା ପାଇଁ ଜିଦ୍ ଧରିଥିଲେ। କିନ୍ତୁ ମନ୍ଦ ଉଦ୍ଧେଶ୍ୟ ରଖି ବଳରାମ ଜଣଙ୍କୁ ନିଜ ବାଇକରେ ହିଁ ବସାଇ ନେଇଥିଲା। ରାସ୍ତାରେ ଦଶହରା ପଡିଆ ନିକଟରେ ବଳରାମ ବାଇକରୁ ଓହ୍ଲାଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ଦୁଷ୍କର୍ମ ପରେ ଘଟଣାର ପର୍ଦାଫାସ ଭୟରେ ହତ୍ୟା କରିଥିଲା।
ସକାଳେ ବଳରାମ ଅନ୍ୟ ଯୁବତୀଙ୍କୁ ଫୋନ୍ କରି ସ୍ବାଭାବିକ ଭାବେ କଥାବାର୍ତା କରିଥିଲା। ବଳରାମ ସହ ଯାଇଥିବା ଯୁବତୀ ଘରକୁ ଫେରିନଥିବା ଅନ୍ୟ ଯୁବତୀ କହିବା ପରେ ଦଶହରା ପଡିଆ ନିକଟ ବୁଦାରେ ପଡିଥିବା ବଳରାମ ସୂଚନା ଦେଇଥିଲା। ବଳରାମର ସୂଚନା ପରେ ସମସ୍ତେ ଘଟଣା ସ୍ଥଳକୁ ଯାଇଥିଲେ। ଖବର ପାଇ ଦୋରାଗୁଡା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କ ଶବକୁ ଜବତ କରି ବଳରାମ ବିରୁଦ୍ଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦୋରାଗୁଡା ଥାନା ଅଧିକାରୀ ଗୌରହରି ସାହୁ, ତତ୍କାଳୀନ ଏସ୍ଡିପିଓ ଵାଇ. ଜଗନ୍ନାଥ ରାଓ ଘଟଣାର ତଦନ୍ତ କରି ମାମଲା କୋର୍ଟକୁ ହସ୍ତାନ୍ତର କରିଥିଲେ। ଜିଲ୍ଲା ଦୌରାଜଜ୍ ବିଶ୍ବଜିତ୍ ଦାଶ ମାମଲାର ବିଚାର କରି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଜି ମାମଲାର ରାୟ ପ୍ରକାଶ କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ମଦନ ମୋହନ ପାଢ଼ୀ ଓ ସରକାରଙ୍କ ତରଫରୁ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ମାମଲା ପରିଚାଳନା କରୁଥିଲେ।