ରାୟଗଡା: ଆଦିତ୍ୟ ବିର୍ଲା କଂପାନିର ଯୁଗ୍ମ ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ରଙ୍କ ନାଁରେ ଆସିଛି ହତ୍ୟା ଅଭିଯୋଗ। ଜଣେ ଦଳିତ ନାବାଳକକୁ ଘରେ କାମ କରିବାକୁ ନେଇ ଦୀର୍ଘ ୧୦ ବର୍ଷ ହେଲା ହସ୍ତାନ୍ତର କରୁନଥିବାରୁ ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଏ ନେଇ ଆଦିବାସୀ ସମାଜ ସେବା ସଂଘ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ରାୟଗଡାରେ ବିଶାଳ ରାଲି କରିଛି। ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲାପାଳ, ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ କରି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାଯ୍ୟାନୁଷ୍ଠାନ ନେବାକୁ ସଂଘ ଦାବି କରିଛି। ସଂଘର ରାଲି ପରେ ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ଏସପି ରାହୁଲ୍ ପି.ଆର୍ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୦୦୦ ମସିହାରେ ଅର୍ଦ୍ଧେନ୍ଦୁ ମହାପାତ୍ର କାଶୀପୁର ଉତ୍କଳ ଆଲୁମିନାରେ ଡିଜିଏମ୍ ଭାବେ କାର୍ଯ୍ୟରତ ଥିବା ସମୟରେ ପାଇକ କୁପାଖାଲ ଗ୍ରାମର ପଦୁରାମ ନାଏକଙ୍କ ପୁଅ ସୁରେନ୍ଦ୍ର ନାଏକକୁ ନିଜ ଘରେ କାମ କରିବାକୁ ଡାକି ନେଇଥିଲେ। ୨୦୦୫ ମସିହାରେ ଅର୍ଦ୍ଧେନ୍ଦୁଙ୍କ ଭୁବନେଶ୍ବର ବଦଳି ହେବା ପରେ ପରିବାର ଲୋକଙ୍କୁ ଜଣାଇ ସୁରେନ୍ଦ୍ରକୁ ଭୁବନେଶ୍ବର ନେଇଥିଲେ। ୨୦୦୭ରେ ସୁରେନ୍ଦ୍ର ନିଜ ଘରକୁ ଆସିଥିବା ବେଳେ ୨୦୦୮ରେ ପୁଣି ପରିବାର ଲୋକ ତାକୁ ଭୁବନେଶ୍ବରସ୍ଥିତ ଅର୍ଦ୍ଧେନ୍ଦୁଙ୍କ ଘରେ ଛାଡିଥିଲେ। କିନ୍ତୁ ତା ପରଠାରୁ ଆଉ ସୁରେନ୍ଦ୍ର ଘରକୁ ଫେରିନି। ପରିବାର ଲୋକ ସଂଦେହ କରି ଭୁବନେଶ୍ବର ଯାଇ ଅର୍ଦ୍ଧେନ୍ଦୁଙ୍କୁ ପୁଅ ସଂପର୍କରେ ପଚାରିବା ପରେ ଅର୍ଦ୍ଧେନ୍ଦୁ ସୁରେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଇ ଘଉଡାଇ ଦେଇଥିବା ଅଭିଯୋଗ କରାଯାଇଛି। ସୁରେନ୍ଦ୍ରଙ୍କ ବାପା ପଦୁରାମ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଦୀର୍ଘ ଦିନ ଶର୍ଯ୍ୟାଶାୟୀ ହୋଇ ପଡି ରହିଥିଲେ। ସୁସ୍ଥ ହେବା ପରେ ତତ୍କାଳୀନ ସମିତିସଭ୍ୟ ନରେନ୍ଦ୍ର ନାଏକଙ୍କ ସହଯୋଗରେ କାଶୀପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ ଅଭିଯୋଗ ରଖିନଥିଲା। ନ୍ୟାୟ ଦାବିରେ ପଦୁରାମ ୨୦୧୮ ଡିସେମ୍ବର ୩ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସପିଙ୍କ ନିର୍ଦେଶରେ ଡିସେମ୍ବର ୫ ତାରିଖରେ ଅଣ୍ଡିରାକଂଚ ଥାନାରେ ପଦୁରାମ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ ପୁଲିସ୍ ମାମଲା ରୁଜୁ ନ କରିବାରୁ ଆଦିବାସୀ ସମାଜ ସେବା ସଂଘର ସହଯୋଗ ଲୋଡିଥିଲେ । ଆଜି ବିଶାଳ ରାଲିରେ ଅର୍ଦ୍ଧେନ୍ଦୁଙ୍କ ଗିରଫ ଦାବିରେ ସ୍ଲୋଗାନ୍ ଓ ପ୍ଲାକାର୍ଡ ଧରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ ଓ ଏସପିଙ୍କୁ ସ୍ମାରକପତ୍ର ଦେଇଥିଲେ। ତୁରନ୍ତ ପୁଲିସ, ପ୍ରଶାସନ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ପରିଣତି ଭୟଙ୍କର ହେବ ବୋଲି ସଂଘ ଚେତାବନୀ ଦେଇଛନ୍ତି। ରାଲିରେ ସୁରେନ୍ଦ୍ରଙ୍କ ପରିବାର ଲୋକଙ୍କ ସହିତ ସଂଘ ସଭାପତି ରାୱଲା ମାଝୀ, ଦୋରା କଣ୍ଡାଗିରି, କଂଗ୍ରେସ ନେତା ମକରନ୍ଦ ମୁଦୁଲୀ, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ପିସିସି ସାଧାରଣ ସଂପାଦକ ଆପୋଲା ସ୍ବାମୀ କାଡ୍ରେକା, କାଶୀପୁର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଉଜ୍ଜଳଦେଇ ମାଝୀ, ରାଜେନ୍ଦ୍ର ନାୟକ, ବାପି ପଟ୍ଟନାୟକ, ସାନ୍ଦୁ ମାଝୀ ପ୍ରମୁଖ ସାମିଲ୍ ହୋଇଥିଲେ।