ବିଡିଓ ଭାବେ କଟିଛି ୮ ବର୍ଷ, ହେଲେ ତୁଟୁନି ଜିଲ୍ଲା ମୋହ: ଗାଦି ମାଡ଼ି ବସିଛନ୍ତି ଅଧିକାରୀ

ରାୟଗଡ଼ା: ୮ ବର୍ଷ ୮ ମାସ ବିଡିଓ ଭାବେ କାର୍ଯ୍ୟ କଲେଣି। ପୌର ନିର୍ବାହୀ ଅଧିକାରୀ ଭାବେ ୧୦ ମାସ ଦାୟିତ୍ବ ତୁଲାଇଛନ୍ତି। ନିକଟରେ ପଦୋନ୍ନତି ସହ ଗୁଣପୁର ପିଏ ଆଇଟିଡିଏ ଭାବେ କାର୍ଯ୍ୟ କରିବାକୁ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଗୋଟିଏ ଜିଲ୍ଲାରେ ଦୀର୍ଘ ୧୦ ବର୍ଷ ଧରି ବିଭିନ୍ନ ପଦ ପଦବିରେ କାମ କରି ଚର୍ଚ୍ଚାକୁ ଆସିଛନ୍ତି ଓଏଏସ୍ ଅଧିକାରୀ ଶାନ୍ତିପ୍ରଭା ପ୍ରଧାନ। ବର୍ତ୍ତମାନ ଶାନ୍ତିପ୍ରଭା ଗୁଣପୁର ବିଡିଓ ଭାବେ କାର୍ଯ୍ୟରତ ଥିବା ବେଳେ ଖୁବଶୀଘ୍ର ଗୁଣପୁର ପିଏ ଆଇଟିଡିଏ ଭାବେ ନେବେ ଦାୟିତ୍ବ। କନ୍ଧମାଳ ନିବାସୀ ଶାନ୍ତିପ୍ରଭା ପ୍ରଧାନ ୨୦୧୩ ଫେବ୍ରୁଆରୀ ୧୨ ତାରିଖରେ ରାୟଗଡ଼ା ଜିଲ୍ଲାକୁ ବଦଳି ହୋଇ ଆସିଥିଲେ। କୋଲନରା ବିଡିଓ ଭାବେ ବର୍ଷେ କି ଦୁଇ ବର୍ଷ ନୁହେଁ, ୫ ବର୍ଷ ୪ ମାସ ଦାୟିତ୍ବ ତୁଲାଇଥିଲେ। ବିଡିଓ ଦାୟିତ୍ବରେ ରହି ଅତିରିକ୍ତ ଦାୟିତ୍ବ ଭାବେ ରାୟଗଡ଼ା ପୌର ପରିଷଦ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ପୌର ନିର୍ବାହୀ ଅଧିକାରୀ ଭାବେ ଶାନ୍ତିପ୍ରଭା ୨୦୧୭ ଅଗଷ୍ଟ ୧ରୁ ୨୦୧୮ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। କୋଲନରା ବ୍ଲକରୁ ୨୦୧୮ରେ ବଦଳି ହୋଇ ନବରଙ୍ଗପୁର ଜିଲ୍ଲାକୁ ଯାଇଥିଲେ। ସେଠାରେ ପୌର ନିର୍ବାହୀ ଅଧିକାରୀ ଭାବେ ମାତ୍ର ୧୦ ମାସ କାର୍ଯ୍ୟ କରି ପୁଣି ରାୟଗଡ଼ା ଜିଲ୍ଲା ମୁହାଁ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ସରିବାର ୪ ମାସ ପରେ ନବରଙ୍ଗପୁରରୁ ତାଙ୍କର ବଦଳି ହୋଇଥିଲା। ୨୦୧୯ ଅକ୍ଟୋବରରେ ଗୁଣପୁର ବିଡ଼ିଓ ଭାବେ ଶାନ୍ତିପ୍ରଭା ଦ‌ାୟିତ୍ବ ଗ୍ରହଣ କରିଥିଲେ। ୨୦୧୯ ଅକ୍ଟୋବରରୁ ଏଯାବତ୍ ଦୀର୍ଘ ୩ ବର୍ଷ ୪ ମାସ ଧରି ଶାନ୍ତିପ୍ରଭା ବିଡ଼ିଓ ଭାବେ କାର୍ଯ୍ୟ କରୁଥିବା ବ‌େଳେ ଜାନୁଆରୀରେ ଗୁଣପୁର ପିଏ ଆଇଟିଡିଏ ଭାବେ ନୂତନ ନିର୍ଦ୍ଦେଶନାମା ବାହାରିଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବାହାରିଥିବା ବଦଳି ନିର୍ଦ୍ଦେଶନାମା ଚିଠି ନଂ-୧୧୯୭/୧୯.୧.୨୦୨୩ରେ ଶାନ୍ତିପ୍ରଭାଙ୍କୁ ଗୁଣପୁର ପିଏ ଆଇଟିଡିଏ ଭାବେ ନିଯୁକ୍ତି ଦେବାକୁ ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ସୁପାରିଶ କରିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଫେବ୍ରୁଆରୀ ୧ ତାରିଖରେ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମାରେ ଶାନ୍ତିପ୍ରଭାକୁ ପଦୋନ୍ନତି ଦିଆଯିବା ସହ ପିଏ ଗୁଣପୁର ବିଡିଓ ଭାବେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ହୋଇଛି। ଦୀର୍ଘ ୧୦ ବର୍ଷ ଧରି ଜଣେ ମହିଳା ଅଧିକାରୀ କୋଲନରା, ଗୁଣପୁର ବିଡ଼ିଓ ସହ ରାୟଗଡ଼ା ପୌର ପରିଷଦର ନିର୍ବାହୀ ଅଧିକାରୀ ଭଳି ଦାୟିତ୍ବରେ ରହିବା ପରେ ପୁଣି ଗୁଣପୁର ପିଏ ଆଇଟିଡିଏ ଭାବେ ନିଯୁକ୍ତି ଦେବାକୁ ପଞ୍ଚାୟତିରାଜ ବିଭାଗ କରିଥିବା ସୁପାରିଶକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହା ଚାପରେ ସରକାର ମହିଳା ଅଧିକାରୀଙ୍କୁ ଦୀର୍ଘବର୍ଷ ଧରି ରାୟଗଡ଼ା ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଦାୟିତ୍ବ ଦେଇ ଚାଲିଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ନିକଟରେ ଗୁଣପୁର ବ୍ଲକ ଅଧ୍ୟକ୍ଷାଙ୍କ ଗୋଷ୍ଠୀ ଓ ବିଡ଼ିଓ ମୁହାଁମୁହିଁ ହେବା ସହ ଗୁଣପୁର ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି। ଶାନ୍ତିପ୍ରଭାଙ୍କ ଭଳି ଚନ୍ଦ୍ରପୁର ବ୍ଲକ ବିଡିଓ ଜଜ୍ ଡୁଙ୍ଗଡୁଙ୍ଗ ୫ ବର୍ଷ ଉକ୍ତ ବ୍ଲକରେ କାମ କରିବା ପରେ ଗତ ସପ୍ତାହରେ ତାଙ୍କର ବଦଳି ହୋଇଛି।

ସମ୍ବନ୍ଧିତ ଖବର