ଚିକିତ୍ସିତ ହୋଇ ଫେରିଲେ ମିତା

ରାୟଗଡ଼ା: ଡାହାଣ ହାତ ଅସ୍ବାଭାବିକ ଭାବେ ବୃଦ୍ଧି ପାଇ ଜୀବନ ପ୍ରତି ବିପଦ ଥିବା ପଦ୍ମପୁର ବ୍ଲକ ପେରପାଙ୍ଗୁ ଗ୍ରାମର ନାବାଳିକା ମିତା ଶବର କଟକ ବଡ ମେଡିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି। କଟକ ବଡ ମେଡିକାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ମିତାଙ୍କ ଡାହାଣ ହାତ କାଟିବାକୁ ପଡ଼ିଥିବା ବେଳେ ଅସ୍ତ୍ରୋପଚାର ପରେ ତାଙ୍କ ପ୍ରାଣ ପ୍ରତି ବିପଦ ନଥିବା ଡାକ୍ତର ମାନେ ପ୍ରକାଶ କରିଛନ୍ତି। ବର୍ତମାନ ଘରେ ତିନି ମାସ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ମିତା ସୁସ୍ଥ ହେବା ପରେ କୃତ୍ରିମ ହାତ ଲଗାଯିବ ବୋଲି ସୂଚନା ମିଳିଛି।
ଆଜି ସକାଳେ ମିତାଙ୍କୁ କଟକରୁ ରାୟଗଡା ଅଣାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସନ୍ଧ୍ୟା ପର୍ଯ୍ୟନ୍ତ ରଖାଯାଇଥିଲା। ତେବେ କେଉଁ କାରଣରୁ ଦିନ ତମାମ ମିତାଙ୍କୁ ଚିକିତ୍ସାଳୟରେ ରଖାଯାଇଛି ସେ ସ˚ପର୍କରେ ଡାକ୍ତର କିଛି କହିବାକୁ ମନା କରିଦେଇଥିଲେ। ଅନ୍ୟପଟେ ଅଯଥାରେ ମିତାକୁ ଦିନ ତମାମ ଗୋଟିଏ କୋଠରୀରେ ରଖି ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଛଡାଯାଉନଥିବା ନେଇ ସାମାଜିକ ଗଣ ମାଧୢମରେ ବାଦ ପ୍ରତିବାଦ ଲାଗି ରହିଥିଲା। ସନ୍ଧ୍ୟାରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ମିତାଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ରାତିରେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଗାଡିରେ ମିତା ଏବ˚ ତାଙ୍କ ବଡ ଭଉଣୀଙ୍କୁ ନିଜ ଗାଁ ପେରୁପାଙ୍ଗୁ ଅଭିମୁଖେ ନିଆଯାଉଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟଯେ, ଦୁଇରୁ ତିନି ବର୍ଷ ହେଲା ମିତାର ଡାହାଣ ହାତ ଅସ୍ବାଭାବିକ ଭାବେ ବୃଦ୍ଧି ପାଇଥିଲା। ଏଥିଯୋଗୁଁ ମିତା ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସେ ଗରିବ ଓ ଅନାଥ ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥାଭାବ ରହିଥିଲା। ଏସ˚ପର୍କରେ ଗଣମାଧୢମରେ ଖବର ପ୍ରକାଶ ପାଇ ଚର୍ଚ୍ଚା ହେବା ପରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଥିଲା। ପରେ ମିତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରାଯିବା ପରେ ଆଜି ମିତାଙ୍କୁ ରାୟଗଡା ଅଣାଯାଇଥିଲା।

ସମ୍ବନ୍ଧିତ ଖବର