ଗୁଣପୁର: ସ୍ଥାନୀୟ ସମନ୍ଵିତ ଶିଶୁ ବିକାଶ ଯୋଜନା ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମମତା ଯୋଜନା ସଂପର୍କିତ ପ୍ରକଳ୍ପ ସ୍ତରୀୟ ବୈଠକ ଚାଲିଥିବା ବେଳେ ଦୁଇ ଅଙ୍ଗନୱାଡି କର୍ମୀ ଚେତାଶୂନ୍ୟ ହୋଇପଡିଥିଲେ। କର୍ମୀ ଦ୍ୱୟ ଟଲଣା ପଞ୍ଚାୟତ ଅନ୍ତର୍ଗତ ତାରବେଲ ଅଙ୍ଗନୱାଡି କେନ୍ଦ୍ରର ସାରା ଶବର ଏବଂ ବଡଙ୍ଗସିଂ ଅଙ୍ଗନୱାଡି କେନ୍ଦ୍ରର ସନ୍ଧ୍ୟାରାଣୀ ଦାଶ ବୋଲି ଜଣାପଡିଛି। ସୂଚନା ଅନୁସାରେ, ମମତା ଯୋଜନା ଏବଂ ଗାଁ କଲ୍ୟାଣ ସମିତି ସଂପର୍କିତ ବୈଠକ ପାଇଁ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ। ତେବେ ବିଳମ୍ବରେ ଶିବିର ଆରମ୍ଭ ହୋଇଥିବାରୁ କର୍ମୀ ଏବଂ ସିଡିପିଓଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଦୁଇ କର୍ମୀ ଅଚେତ ହୋଇପଡିଥିବା ଜଣାପଡିଛି। ଦୁହିଁଙ୍କୁ ମେଡିକାଲରେ ଭର୍ତ୍ତି କରିବା ଚିକିତ୍ସା ଜାରି ରହିଛି। ଏ ସଂପର୍କରେ ସିଡିପିଓ କାମା ମୁର୍ମୁଙ୍କୁ ପଚାରିବାରୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।