ଅସହ୍ୟ ହେଲା ମାନସିକ ଯନ୍ତ୍ରଣା ଜୀବନ ହାରିଲେ ଆସିଷ୍ଟାଣ୍ଟ୍ କଲେକ୍ଟର୍

ରାୟଗଡା: ରାୟଗଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ୍ କଲେକ୍ଟର୍ ଶିବ ପ୍ରସାଦ ପାଣିଗ୍ରାହୀ ଆତ୍ମହତ୍ୟା କରିଛନ୍ତି। ମାନସିକ ଭାରସାମ୍ୟ ହରାଇ ମାତ୍ରାଧିକ କୁଇନାଇନ୍ (ମ୍ୟାଲେରିଆ) ବଟିକା ଖାଇବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ଶିବଙ୍କ ମୃତ୍ୟୁ ପାଇଁ ପରିବାର ଲୋକ ପ୍ରଶାସନକୁ ଦାୟୀ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ଅତିରିକ୍ତ ଚାପ ଯୋଗୁ ଶିବ ଏପରି ପଦକ୍ଷେପ ନେଇଥିବା ପୁତୁରା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଅଭିଯୋଗ କରିଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗକୁ ପ୍ରଶାସନ ଖଣ୍ଡନ କରିଛି। ସୂଚନା ମୁତାବକ, ଆଜି ସକାଳେ କୌଣସି କାରଣକୁ ନେଇ ଶିବ ନିଜ ବାସ ଭବନରେ ଚିନ୍ତିତ ଅବସ୍ଥାରେ ଥିଲେ। ପତ୍ନୀ ବୁଝାଶୁଝା କରିବା ପରେ ସକାଳ ସାଢ଼େ ୯ଟାରେ ଗାଧୋଇବାକୁ ଯାଇଥିଲେ। ଘରେ କେହି ନଥିବା ସୁଯୋଗ ପାଇ ଶିବ ମାତ୍ରାଧିକ କୁଇନାଇନ୍ ବଟିକା ଖାଇ ଗୁରୁତର ହୋଇ ପଡିଥିଲେ। ପତ୍ନୀ ଘଟଣା ସଂପର୍କରେ ଜାଣିବା ପରେ ପରିବାର ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ ସଂଗେ ସଂଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶିବ ପ୍ରସାଦ ପାଢ଼ୀଙ୍କ ନେତୃତ୍ବରେ ଡାକ୍ତରୀ ଟିମ୍ ଶିବଙ୍କୁ ବଂଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଶିବଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର, ଉପଜିଲ୍ଲାପାଳ ପ୍ରତାପ କୁମାର ପ୍ରଧାନଙ୍କ ସମେତ ବହୁ ସରକାରୀ ଅଧିକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ପରିବାର ଲୋକଙ୍କ କ୍ରନ୍ଦନରେ ମେଡିକାଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ଅପରାହ୍ନରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ସଂଧ୍ୟାରେ ନିଜ ଗ୍ରାମ ପଦ୍ମପୁରରେ ଶିବଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର