ମହଙ୍ଗା ପଡ଼ିଲା ଆବାସ ଦୁର୍ନୀତି : ବଦଳିଲେ ଗୁଡ଼ାରି ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ

ରାୟଗଡ଼ା : ଗୁଡାରି ଏନଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ। ଗୁଡ଼ାରି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗାୟିତ୍ରୀ ଦେବୀ ସାହୁଙ୍କୁ ଗୁଡ଼ାରିରୁ କୋରାପୁଟ ଜିଲ୍ଲା ଜୟପୁର ପୌର ପରିଷଦକୁ ବଦଳି ହୋଇଛି। ଜୟପୁର ପୌର ପରିଷଦରେ ହେଡ୍ ଆସିଷ୍ଟାଣ୍ଟ୍ ଭାବେ କାମ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଏହା ପୂର୍ବରୁ ଗୁଡାରି ଏନଏସିରେ ଡାଟା ଏଣ୍ଟ୍ରି ଅପରେଟର କାମ କରୁଥିବା ଅଭିମନ୍ୟୁ ସାହୁଙ୍କ ଚାକିରୀରୁ ବହିଷ୍କାର କରିଥିଲେ ଗୁଣପୁର ଉପଜିଲ୍ଲାପାଳ ତଥା ଏନ୍ଏସି ପ୍ରଶାସକ ସିଦ୍ଧେଶ୍ବର ବଳିରାମ ବନ୍ଦର ।

ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦେଶକଙ୍କ ଚିଠି ନଂ-୧୨୦୫୬/୮.୭.୨୦୨୦ ଅନୁଯାୟୀ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ବାହୀ ଅଧିକାରୀଙ୍କୁ ତତ୍କାଳ ରିଲିଭ୍ କରି ଦେଇଛନ୍ତି। ଗାୟତ୍ରୀ ଦେବୀଙ୍କ ବଦଳି ପରେ ଗୁଡ଼ାରି ତହସିଲଦାର ଭାରତୀ ଦେବୀଙ୍କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

ଗୁଡାରି ଏନଏସିରେ ଆବାସ ଯୋଜନାରେ ଲକ୍ଷପତି, ସ୍ବାମୀ-ସ୍ତ୍ରୀ, ମା-ପୁଅ ଏବଂ ଡାଟା ଏଣ୍ଟ୍ରି ଅପରେଟରଙ୍କ ଶଳାକୁ କାର୍ଯ୍ୟାଦେଶ ମିଳିଥିବା ନେଇ ୨୦୨୦ ଜାନୁଆରୀରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ଡୁଡା କର୍ତ୍ତୃପକ୍ଷ ଗୁଡାରିରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପାଇଁ ଯାଇଥିବା ଟିମକୁ କିଛି ବ୍ୟକ୍ତି ଆକ୍ରମଣ କରିବା ପରେ ପ୍ରଶାସନ ଏହାକୁ ଗୁରୁତର ସହ ନେଇ ତଦନ୍ତକୁ କ୍ରିୟାଶୀଳ କରିଥିଲା। କାର୍ଯ୍ୟାଦେଶ ହାତେଇଥିବା ପୂର୍ଣ୍ଣ ଚନ୍ଦ୍ର ସାବତ (ବହିଷ୍କୃତ ଡାଟା ଏଣ୍ଟ୍ରି ଅପରେଟରଙ୍କ ଶଳା) ଯୋଜନା ଟଙ୍କାରେ ୨ ମହଲା ଘର ତିଆରି କରିଥିବା ତଦନ୍ତକାରୀ ଟିମ୍ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଡୁଡା ପ୍ରକଳ୍ପ ନିର୍ଦେଶକଙ୍କୁ ଚିଠି କରିଥିଲେ। କିପରି ଏବଂ କେମିତି ପୂର୍ଣ୍ଣଚନ୍ଦ୍ରଙ୍କୁ ଆବାସ ଯୋଜନାରେ ସାମିଲ୍ କରାଗଲା ତାକୁ ନେଇ ଖୋଳତାଡ଼ କରିବା ସହ ତଦନ୍ତକାରୀ ଟିମ୍ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗାୟିତ୍ରୀ ଦେବୀଙ୍କୁ ପଚରା ଉଚରା କରିଥିଲା। କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଢ଼ାଲ କରି ଡିଇଓ ଶ୍ରୀ ସାହୁ ଏମିତି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିବା ତଦନ୍ତ ସମୟରେ ଜଣା ପଡ଼ିଥିଲା। ଏପରିକି ଆବାସ କାର୍ଯ୍ୟାଦେଶ ବାବଦକୁ ୨୦ ହଜାର ଟଙ୍କା ଲେଖାଁଏ ଆଦାୟ ହୋଇଥିବା, ଯୋଗ୍ୟ ହିତାଧିକାରୀଙ୍କୁ ଜାଣି ଶୁଣି ବାଦ୍ ଦିଆଯାଇଥିବା ପ୍ରମାଣ ତଦନ୍ତକାରୀ ଟିମର ହସ୍ତଗତ ହୋଇଛି।

ସମ୍ବନ୍ଧିତ ଖବର