ଅନ୍ଧବିଶ୍ୱାସ ମୁକ୍ତ ସମାଜ ପାଇଁ ସଚେତନତା

ଗୁଣପୁର: ଗୁଣପୁର ବ୍ଲକ ଟଲଣା ପଞ୍ଚାୟତ ସଦର ମହକୁମାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍‌ ବୀର କିଶୋର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ ଭିତରେ ଥିବା ରୁଗ୍‌ଣ ମାନସିକତା ଦୂର ହେଲେ ହିଁ ଅନ୍ଧ ବିଶ୍ୱାସ ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ଧ ବିଶ୍ୱାସର ଶିକାର କେବଳ ରାୟଗଡା ଜିଲ୍ଲାରେ ସୀମିତ ନୁହେଁ ବରଂ ରାଜ୍ୟ ଓ ଦେଶରେ ମଧ୍ୟ ଏହା କାଳ କାଳରୁ ରହି ଆସିଛି।

ଏଥିଯୋଗୁଁ ହତ୍ୟାକାଣ୍ଡ ଭଳି ଅଭାବନୀୟ ଘଟଣା ଘଟୁଛି। ଅନ୍ଧ ବିଶ୍ୱାସ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସହ ପ୍ରଶାସନିକ କଳ ଲୋକଙ୍କ ନିକଟତର ହୋଇପାରିଲେ ହିଁ ଏହା ଦୂର ହେବା ସହ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ ବୋଲି ଜଷ୍ଟିସ ଶ୍ରୀ ମିଶ୍ର ଉପସ୍ଥିତ ସାଧାରଣ ଜନତାଙ୍କୁ ସଚେତନ କରାଇଥିଲେ। ଏଥିରେ ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଯୋଗ ଦେଇ ଲୋକଙ୍କ ମଧ୍ୟରେ ଦୁର୍ବଳ ମାନସିକତାର ସୁଯୋଗ ନେଇ କିଛି ଖଳ ପ୍ରକୃତିର ଲୋକ ଗୁଣି ଗାରେଡି ନାଁରେ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା କହିଥିଲେ। ଏଭଳି ଅନ୍ଧ ବିଶ୍ୱାସରୁ ଦୂରେଇ ରହି ଆଧୁନିକ ବିଜ୍ଞାନ ଚିକିିତ୍ସା ପ୍ରତି ଲୋକେ ବିଶ୍ୱାସ କରିବା ଉଚିତ। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସର୍ବଦା ତତ୍ପର ରହିଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ।

ଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସ ପ୍ରତି ଗୁରୁତ୍ୱ ନଦେବାକୁ ରାୟଗଡା ଏସ୍‌ପି ରାହୁଲ ପିଆର ଲୋକଙ୍କୁ ପରାମର୍ଶ ଦେଇଥିଲେ। ଅନ୍ଧ ବିଶ୍ୱାସ ନେଇ ଯଦି କୌଣସି ବ୍ୟକ୍ତି ଭୟଭୀତ କିମ୍ବା ବିଶୃଙ୍ଖଳା ସୃଷ୍ଟି କରନ୍ତି ତେବେ ନିକଟସ୍ଥ ଥାନାରେ ଅବଗତ କରାଇବାକୁ ଏସ୍‌ପି କହିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଣପୁର ଉପଜିଲ୍ଲାପାଳ ଅମ୍ରିତ ଋତୁରାଜ, ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚନ୍ଦ୍ରିକା ପ୍ରସାଦ ଦାସ, ବିଡିଓ ଗାୟତ୍ରୀ ଦେବୀ, ବ୍ଲକ ଅଧ୍ୟକ୍ଷା ଦେବକୀ ଗମାଙ୍ଗ, ଟଲଣା ସରପଞ୍ଚ ଇନାନ ଶବର ପ୍ରମୁଖ ମଞ୍ଚାସୀନ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ରଶ୍ମିରାଣୀ ନିମାକା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ବ୍ଲକର ଟଲଣା, ଜଲତାର, ଶଗଡା ଓ ପୁଟାସିଂ ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳାଙ୍କ ସମେତ ଜନ ପ୍ରତିନିଧି ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀ ଶବର, ଅଶ୍ୱିନୀ ଗମାଙ୍ଗ, ମଙ୍ଗଳ ଅଧିକାରୀ ଶ୍ରୀନିଭାସ ଆଚାର୍ଯ୍ୟଙ୍କ ସମେତ ବ୍ଲକର ସମସ୍ତ କର୍ମକର୍ତା ଯୋଗ ଦେଇଥିଲେ। ଏହି ଅବସରରେ ଏକ ପଥପ୍ରାନ୍ତ ନାଟକର ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା।

ସମ୍ବନ୍ଧିତ ଖବର