ବୋମା କାରବାର ମାମଲାରେ ୩ ଗିରଫ

ଗୁଣପୁର: ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ପୁଲିସ ଦେଶୀ ବୋମା କାରବାର ଅଭିଯୋଗରେ ଗୋଟିଏ ପରିବାରର ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ତିନି ହେଲେ ଚିନାସାରୀ ପଞ୍ଚାୟତ ଅନ୍ତର୍ଗତ ପଦାସାହି ଗ୍ରାମର ସୁରେନ୍ଦ୍ର ପାଣି, ତାଙ୍କ ପତ୍ନୀ କୁତାଞ୍ଜଳି ପାଣି ଏବଂ ଝିଅ ଅରୁଣା ପାଣି। ସୂଚନା ଅନୁସାରେ, ପଟାସିଂ ଥାନା ଅଧିନସ୍ଥ ଚିନାସାରୀ ପଞ୍ଚାୟତର ପଦାସାହି ଗ୍ରାମର ସୁରେନ୍ଦ୍ର ପାଣି, ତାଙ୍କ ପତ୍ନୀ କୁତାଞ୍ଜଳି ପାଣି ଏବଂ ଝିଅ ଅରୁଣା ପାଣି କିଛି ବର୍ଷ ହେଲା ହାତ ବୋମା ତିଆରି କରି ବିଭିନ୍ନ ଅଞ୍ଚଳକୁ ବିକ୍ରି କରୁଥିଲେ। ତେବେ ଗତ ୩୦ ତାରିଖରେ ଏମାନେ ଏକ ପ୍ଲାଷ୍ଟିକ ମଗରେ ୩ଟି ବୋମା ରଖିଥିଲେ। ସେହି ସମୟରେ ତାଙ୍କ ପଡୋଶୀ ରୋଜ୍ ବଳିଆରସିଂଙ୍କ ୯ବର୍ଷର ପୁଅ ବାବୁଲି ଶୌଚ ନିମନ୍ତେ ଯାଇଥିବା ବେଳେ ମଗରେ ଥିବା ୩ଟି ବୋମା ଧରିବା କ୍ଷଣି ତାହା ଫୁଟିଯାଇଥିଲା। ଯଦ୍ବାରା ବାବୁଲିର ଦୁଇଟି ହାତର ପାପୁଲି କ୍ଷତାକ୍ତ ହୋଇ ଯାଇଥିବା ବେଳେ ତାକୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବାବୁଲିର ଦୁଇଟି ହାତ ପାପୁଲି କାଟି ଦିଆଯାଇଥିବା ଖବର ହସ୍ତଗତ ହୋଇଛି। ଏନେଇ ତାଙ୍କ ପରିବାର ପକ୍ଷରୁ ପୁଟାସିଂ ଥାନାରେ ଏତଲା ଦେଇଥିଲେ। ଆଜି ପୁଲିସ ପଦାସାହି ଗ୍ରାମରେ ପହଞ୍ଚି ସୁରେନ୍ଦ୍ର ପାଣି, କୁତାଞ୍ଜଳି ପାଣି ଏବଂ ଅରୁଣା ପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ପଦ୍ମା ମୁଥୁ ସୂଚନା ଦେଇଛନ୍ତି। ଏନେଇ ପୁଟାସିଂ ଥାନାରେ କେସ୍ ନଂ-୨୩/୧୯ରେ ଏକ ମାମଲା ରୁଜୁ କରି ହୋଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର