ଶିକ୍ଷକଙ୍କ ବକେୟା ଦରମା ପାଇଁ ଲାଞ୍ଚ କାରବାର, ତଦନ୍ତ ନିର୍ଦେଶ ଦେଲେ ଡିପିସି

ରାୟଗଡ଼ା/କୋଲନରା : ମାସକର ଦରମା ବଡ଼ ହୋଇଯାଉଛି। ଟିକେ ଡିସକାଉଣ୍ଟ୍ କରନ୍ତୁ। ୩ ମାସ ହେଲା ଦରମା ପାଇନି। ପରିବାର ଚଳାଇବା କଷ୍ଟ ହୋଇ ପଡ଼ୁଛି। ମାସକର କହିଲେ କେଉଁଠୁ ଆରେଞ୍ଜ କରିବାକୁ ପଡ଼ିବ…।

ଶିକ୍ଷା ସହାୟକଙ୍କ ବକେୟା ଦରମା କରିବା ପାଇଁ ଏମିତି ଚାଲିଛି ଲାଞ୍ଚ କାରବାର। ୩ ମାସର ଦରମା କରିବାକୁ ଫୋନ୍ ଯୋଗେ ଶିକ୍ଷକଙ୍କୁ ମାସକର ଦରମା ଟଙ୍କା ସିଧାସଳଖ ଲାଞ୍ଚ ଭାବେ ମାଗୁଛନ୍ତି ବିଇଓ ଅଫିସର କିରାଣୀ। ଲାଞ୍ଚ ଟଙ୍କା ବିଇଓଙ୍କଠୁ ଆରମ୍ଭ କରି ସିଆରସିସି, ଡିପିସି ଅଫିସ୍ ପର୍ଯ୍ୟନ୍ତ ଯାଉଥିବା କିରାଣୀ ରେକର୍ଡିଂ ହୋଇଥିବା ଅଡ଼ିଓରେ କହିଛନ୍ତି। ଯାହା ଆଜି ଭାଇରାଲ୍ ହୋଇଛି। ଅଡ଼ିଓ ଭାଇରାଲ ପରେ କୋଲନରା ବିଇଓ ଏମ୍. ଖଗେଶ୍ବର ରାଓଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ସର୍ବ ଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଆନେସ୍ତେସିଆ କେର୍କଟା।

ଭାଇରାଲ୍ ହୋଇଥିବା ଅଡ଼ିଓରେ ୩ ମାସର ଦରମା ଟଙ୍କା କରିବାକୁ କୋଲନରା ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ କିରାଣୀଙ୍କୁ ନିବେଦନ କରୁଛନ୍ତି ଥେରୁବାଲି ପଞ୍ଚାୟତ ବାଲିଖମାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ। ମାସକର ଦରମା ଦେବା ସମ୍ଭବ ନଥିବାରୁ ଟଙ୍କା କମ୍ କରିବାକୁ କହୁଛନ୍ତି ଶିକ୍ଷକ। କିନ୍ତୁ ସଂପୃକ୍ତ କିରାଣୀ କହୁଛନ୍ତି ମୁଁ କ’ଣ ବିଜିନେସ୍ ମ୍ୟାନ୍ କି ଡିସକାଉଣ୍ଟ୍ କରିବି। ସାର୍ କହିଛନ୍ତି। ମୋତେ ଏଠୁ ୫୦୦ ଟଙ୍କା ବି ଆସିବନି। ମୁଁ ତାଙ୍କୁ ଧରାଇ ଦେବି। ସେ କାହା କାହାକୁ ବାଣ୍ଟିବେ। ମୁଁ ଖାଲି ଦରମା କରି ତାଙ୍କୁ ତାଲିକା ଧରାଇ ଦେବା କଥା। ହଜାରେ କି ଦୁଇ ହଜାର ନୁହଁ, ପୂରା ମାସକର ନ ଦେଲେ ଫାଇଲ୍ ବ୍ୟାକ୍ ହୋଇଯିବ। ସାରଙ୍କୁ ବି ଏହି ଟଙ୍କାରୁ ହଜାରେ ଆସିବନି। ଡିପିସି ଅଫିସଠୁ ଆରମ୍ଭ କରି ସିଆରସିସି ଓ ବାହାର ଲୋକ ମଧ୍ୟ ଅଛନ୍ତି। ସେମାନେ ବି ନେବେ। ଟିକିଏ କଷ୍ଟ କରି ପଠେଇ ଦେଲେ ଦୁଇ ଦିନ ଭିତରେ ଦରମା ହୋଇଯିବ। ଆପଣଙ୍କର କିଛି ଅସୁବିଧା ହେବନି। ନ ହେଲେ ମାସକର ବ୍ୟାକ୍ ହୋଇଯିବ। ଆପଣଙ୍କର ଫରଫାରମାନସ୍ ଯିବାର ଅଛି ନା। କିରାଣୀ ଜଣଙ୍କ ଶିକ୍ଷା ସହାୟକଙ୍କୁ ଏପରି କହୁଥିବା ଅଡ଼ିଓ ହ୍ବାଟସଅଫରେ ଭାଇରାଲ୍ ହେବା ପରେ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଡିପିସି। ଜଣେ ଶିକ୍ଷକଙ୍କ ଅଡ଼ିଓ ଭାଇରାଲ୍ ହେବାର କିଛି ସମୟ ପରେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ମଧ୍ୟ ନିଜ ଦରମା ପାଇଁ ସଂପୃକ୍ତ କିରାଣୀଙ୍କ ସହ ଲାଞ୍ଚ ଟଙ୍କା ବାବଦରେ ଆଲୋଚନା କରିବା ଅଡ଼ିଓ ଭାଇରାଲ୍ ହେବା ଘଟଣା ଶିକ୍ଷା ବିଭାଗର ଚିନ୍ତା ବଢ଼ାଇଛି। କୋଲନରା ବ୍ଲକ୍ ଭାଗୁଡ଼ି ସ୍କୁଲର ଶିକ୍ଷୟିତ୍ରୀ ୩ ମାସର ଦରମା କରିବାକୁ କିରାଣୀଙ୍କୁ ନିବେଦନ କରୁଛନ୍ତି। ଶିକ୍ଷୟିତ୍ରୀ ଜଣଙ୍କ ମାସିକ ୬ ହଜାର ୪୦୦ ଟଙ୍କା ଦରମା ପାଉଥିବା ବେଳେ ୩ ମାସର ଦରମା କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ମଗାଯାଉଛି। ଉକ୍ତ ଅଡ଼ିଓରେ ମଧ୍ୟ କିରାଣୀ ଜଣଙ୍କ ଡିପିସି ଅଫିସ୍ ପର୍ଯ୍ୟନ୍ତ ଲାଞ୍ଚ ଟଙ୍କା ଯାଉଥିବା କହୁଛନ୍ତି। ଏପରିକି ବିଇଓଙ୍କୁ ଅଧା କଥା ଜଣାନଥିବା କହୁଛନ୍ତି କିରାଣୀ ଜଣଙ୍କ। ଫାଇଲ୍ କଣ ଯାଉଛି କଣ ନାହିଁ ବିଇଓ କିଛି ଜାଣୁନାହାନ୍ତି। ଆମେ ସବୁ କଲେ ସେ କେବଳ ସାଇନ୍ ମାରୁଛନ୍ତି ବୋଲି କହୁଛନ୍ତି କିରାଣୀ ଜଣଙ୍କ। କିରାଣୀଙ୍କ ସହ ବାର୍ତ୍ତାଳାପ ପରେ ଶିକ୍ଷୟିତ୍ରୀଙ୍କ ସ୍ବାମୀ ୫ ହଜାର ଟଙ୍କା ଦେବା ପାଇଁ ନିବେଦନ କରୁଛନ୍ତି। ଏବେ ଏତିକିରେ କରି ଦିଅନ୍ତୁ। ମାର୍ଟିନିଟ୍ ଲିଭ୍ ପରେ ଭଲ କରି ଦେବୁ ବୋଲି କହୁଛନ୍ତି। ଏପରିକି ଲାଞ୍ଚ ଟଙ୍କା ଗୁଗୁଲ୍ ପେ’ରେ ପଠାଇବାକୁ କିରାଣୀ ଜଣଙ୍କ ଶିକ୍ଷକଙ୍କୁ କହୁଛନ୍ତି। ହ୍ବାଟସଅପରେ ଘୁରି ବୁଲୁଥିବା ଅଡ଼ିଓ ଡିପିସିଙ୍କ ହସ୍ତଗତ ହେବା ପରେ ବିଇଓ ଶ୍ରୀ ରାଓଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଛି। ଆସନ୍ତାକାଲି ଘଟଣାର ସତ୍ୟାସତ୍ୟ ସଂପର୍କରେ ବିଇଓ ରିପୋର୍ଟ ଦେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିପିସି ଆନେସ୍ତେସିଆ କେର୍କେଟା।

ସମ୍ବନ୍ଧିତ ଖବର