ଅଧପନ୍ତରିଆ ହୋଇ ପଡ଼ିଛି ପୋଲ: ଅସୁସ୍ଥ ଯୁବକକୁ କାନ୍ଧରେ ବୋହି ନଦୀ ପାର କଲେ ଗ୍ରାମବାସୀ

ରାୟଗଡ଼ା: ପୋଲ ନ ଥିବା ଯୋଗୁଁ ଅସୁସ୍ଥ ଯୁବକକୁ କାନ୍ଧରେ ବୋହି ନଦୀ ପାର କଲେ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କେରେଡା ପଂଚାୟତର ଖିଲିମିଶିଗୁଡା ଗ୍ରାମରେ । ଗ୍ରାମର ଜଣେ ଯୁବକ ହଠାତ ଅସୁସ୍ଥ ହୋଇ ପଡ଼ିବା ପରେ ଗ୍ରାମବାସୀ ନିରୁପାୟ ହୋଇ ଯୁବକଙ୍କୁ କାନ୍ଧରେ ବୋହି ଭରା ନଈ ପାର ହୋଇ ମେଡିକାଲକୁ ନେଇଛନ୍ତି। ନାଗାବଳୀ ନଦୀ ଆରପାରିରେ ଥିବା ଏହି ଗାଁକୁ ରାସ୍ତା ନ ଥିବାରୁ ନଦୀ ପାର ହୋଇ ଯିବାକୁ ପଡିଥାଏ । ନିର୍ମାଣାଧୀନ ବ୍ରିଜଟି ବହୁ ଦିନରୁ ଅଧପନ୍ତରିଆ ଭାବେ ରହି ଥିବାରୁ ଲୋଳଙ୍କୁ ଅନେକେ ସମୟରେ ଏଭଳି ପରିସ୍ଥିତିରେ ଯିବା ଆସିବା କରିବାକୁ ପଡୁଥିବା କହିଛନ୍ତି।

କିଲିମିସଗୁଡା ଗ୍ରାମର ୧୪ ବର୍ଷିୟ ସାଗର ପୁଆଲା ନାମକ ଜଣେ ଯୁବକଙ୍କୁ ଗତକାଲି ରାତ୍ରରେ ଭୀଷଣ ଜ୍ୱର ହେଉଥିଲା। ଅନ୍ଧାର ରାତିରେ ନାଗାବଳୀ ନଦୀ ପାର ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜେମାଦେଈପେଣ୍ଠକୁ ଯିବା ସମ୍ଭବ ପର ନ ହେବାରୁ ଆଜି ସକାଳେ ପରିବାର ବର୍ଗ ଓ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ କାନ୍ଧରେ ବୋହି ବୋହି ନାଗାବଳୀ ନଦୀ ପାର ହୋଇ ଚିକିତ୍ସାଳୟକୁ ନିଆଯାଇଥିଲା । ରୋଗୀ ସମେତ ତାଙ୍କୁ କାନ୍ଧରେ ବୋହି ନେଉଥିବା ସମସ୍ତଙ୍କ ଜୀବନ ଯେମିତି ନାଗାବଳୀ ନଦୀରେ ବାଜି ଲାଗିଥିଲା।

ଶେଷଖାଲ ଗ୍ରାମ ପଂଚାୟତ ଅନ୍ତର୍ଗତ କିଲିମିସଗୁଡା ଗ୍ରାମକୁ ଗମନାଗମନ ପାଇଁ ନାହିଁ ପକ୍କା ରାସ୍ତାଟିଏ । ଗ୍ରାମ୍ୟ ବିଭାଜନ ବିଭାଗ ପକ୍ଷରୁ ଶେଷଖାଲ ଠାରେ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ବ୍ରିଜ ନିର୍ମାଣ ମନ୍ଥର ଗତିରେ ଚାଲିଥିବାରୁ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ନିଜ ଜୀବନକୁ ବାଜି ଲଗେଇ ବର୍ଷ ବର୍ଷ ଧରି ଗ୍ରାମବାସୀମାନେ ଯାତାୟାତ କରୁଛନ୍ତି । କେବଳ ଗ୍ରାମବାସୀ ନୁହନ୍ତି ଜେମାଦେଈପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଷ୍ଟାଫ ଓ ଏଏନଏମ ମଧ୍ୟ ଭରା ନଦୀରେ ପାର ହୋଇ ମାସକୁ ୨ ଥର ଯାଇ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା କରୁଥିବା କହିଛନ୍ତି ଡାକ୍ତର ପ୍ରଦୀପ୍ତ କୁମାର ସୁବୁଦ୍ଧି। ୨୦୨୧ ମେ ସୁଦ୍ଧା ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ମଣ୍ଡଳ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର