କାଶୀପୁରରେ ବିଏସଏଫ୍ ଆଇଜି: ମାଓ ମୁକାବିଲା ନେଇ ଯବାନଙ୍କ ସହ ଆଲୋଚନା

ରାୟଗଡ଼ା: ବିଏସଏଫ୍ ଆଇଜି ମଧୁସୂଦନ ଶର୍ମା ଆଜି କାଶୀପୁର ଗସ୍ତରେ ଆସି ୬୮ ବାଟାଲିୟନ୍ ଯବାନଙ୍କ ସହ ଆଲୋଚନା କରିଛନ୍ତି। ୩୦ ମିନିଟ୍ ଧରି ଆଇଜି ଶ୍ରୀ ଶର୍ମା କ୍ୟାମ୍ପ ପରିସରରେ ମାଓ ମୁକାବିଲା ସଂପର୍କରେ ଯବାନଙ୍କ ସହ ଆଲୋଚନା କରିଥିଲେ। କଳାହାଣ୍ଡି-ରାୟଗଡ଼ା ସୀମାନ୍ତରେ ମାଓବାଦୀଙ୍କ ଗତିବିଧି ବଢ଼ୁଥିବାରୁ ମାଓବାଦୀଙ୍କ ଉପରେ ନଜର ରଖିବାକୁ ଆଇଜି ନିର୍ଦେଶ ଦେଇଛନ୍ତି। ଗୁଇନ୍ଦା ସୂଚନାକୁ ଭିତ୍ତି କରି କଳାହାଣ୍ଡିର ତ୍ରିଲୋଚନପୁର, ଥୁଆମୂଳରାମପୁର, ରାୟଗଡ଼ାର ନିୟମଗିରି ଇଲାକାରେ ମାଓବାଦୀ ଆଶ୍ରୟ ନେବା ସହ ଅଘଟଣ ଘଟାଇବାକୁ ଯୋଜନା କରୁଛନ୍ତି। ଅନ୍ୟ ରାଜ୍ୟ ଓ ଜିଲ୍ଲାରେ ଅଘଟଣ ଘଟାଇବା ପରେ ମାଓବାଦୀ ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ଭିତରକୁ ପଶି ଆସୁଥିବାରୁ ନିୟମିତ ବ୍ୟବଧାନରେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରିବାକୁ ଆଇଜି ଯବାନଙ୍କୁ ପରାମର୍ଶ ଦେଇଛନ୍ତି।

ସ୍ବତନ୍ତ୍ର ହେଲିକେପଟର୍ ଯୋଗେ ଆଇଜି ଶ୍ରୀ ଶର୍ମା ପୂର୍ବାହ୍ନ ୧୧ଟାରେ କାଶୀପୁରରେ ପହଞ୍ଚିଥିଲେ। ଆଇଜିଙ୍କ ସହ ଡିଆଇଜି ପି. କେ. ମିଶ୍ର, ଏସ୍. କେ. ସିଂହ, ଏ. ଏସ୍. ରାଥୋଡ୍, ସୁକୁମାର ଷଡଙ୍ଗୀ କାଶୀପୁର ଗସ୍ତରେ ଆସିଥିଲେ। ୬୮ ବାଟାଲିୟନର କମାଣ୍ଡାଣ୍ଟ୍ ଓ. ପି. ଶର୍ମା, କାଶୀପୁର କମାଣ୍ଡାଣ୍ଟ୍ ଅଶୋକ କୁମାର ବର୍ମା ଆଲୋଚନା ସମୟରେ ଉପସ୍ଥିତ ଥିଲେ। ମାଓ ମୁକାବିଲା ପାଇଁ ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ତ୍ରିଲୋଚନପୁରରେ ସିଆରପିଏଫର କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ନିୟମଗିରି ପାହାଡ଼ ସମେତ କଳାହାଣ୍ଡିରୁ ରାୟଗଡ଼ା ଦେଇ ମାଓବାଦୀ କନ୍ଧମାଳକୁ ଯାତାୟାତ କରୁଥିବାରୁ ମାଓବାଦୀଙ୍କ କାର୍ଯ୍ୟକଳାପ ରୋକିବାକୁ ତ୍ରିଲୋଚନପୁରରେ କ୍ୟାମ୍ପ ପ୍ରତିଷ୍ଠା କରିଥିଲେ। କ୍ୟାମ୍ପ ପ୍ରତିଷ୍ଠା ପରେ ମାଓବାଦୀ ଗତିପଥ ବଦଳାଇବା ପରେ ଇତି ମଧ୍ୟରେ ୩ ଥର ପୁଲିସ୍-ଯବାନଙ୍କ ସହ ମାଓବାଦୀ ମୁହାଁମୁହିଁ ହେଲେଣି। ଆଜି କଳାହାଣ୍ଡି ଜିଲ୍ଲାର ଲୁବେନଗଡ଼ ଜଙ୍ଗଲରେ ପୁଲିସ୍-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ୨ରୁ ୩ ମାଓବାଦୀଙ୍କ ମୃତ୍ୟୁ ହେଉଥିବା ସୂଚନା ମିଳିଥିଲେ ମଧ୍ୟ ସର୍ଚ୍ଚ ଅପରେସନ୍ ଚାଲିଥିବା ଯୋଗୁ ଏସପି କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

 

ସମ୍ବନ୍ଧିତ ଖବର