ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଦେଇ ଥମୁନି ଗଞ୍ଜେଇ ଚୋରା ଚାଲାଣ। କରୋନା ଲାଗି ରେଳ ଚଳାଚଳ ବନ୍ଦ ପରେ ଏବେ ନୂଆ ଶୈଳୀ ଗ୍ରହଣ କରୁଛନ୍ତି ମାଫିଆ। ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଆଜି ରାୟଗଡ଼ାରେ ଧରିଛି ପରିବହନ ବିଭାଗ। ପୁଲିସକୁ ଟ୍ୟାଙ୍କର ହସ୍ତାନ୍ତର ପରେ ଆରମ୍ଭ ହୋଇଛି ତଦନ୍ତ। ଘଟଣାରେ ପୁଲିସ ଟ୍ୟାଙ୍କର ଡ୍ରାଇଭର ରାଜ କୁମାରଙ୍କୁ ଅଟକ ରଖିଛି।
Advertisment
ଶନିବାର ଆନ୍ଧ୍ରପ୍ରଦେଶରୁ ବିହାର ଅଭିମୁଖେ ଯାଉଥିଲା ତେଲ ଟ୍ୟାଙ୍କର। ରାୟଗଡା ଅଭିମୁଖେ ଆସୁଥିବା ବେଳେ ଜଗନ୍ନାଥପୁର ନିକଟରେ ପରିବହନ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା। ଆରଟିଓ କର୍ତ୍ତୃପକ୍ଷ ଟ୍ୟାଙ୍କରକୁ ଅଟକାଇ ଗାଡ଼ି କାଗଜପତ୍ର ମାଗିଥିଲେ। କିନ୍ତୁ ଡ୍ରାଇଭର ରାଜ କୁମାର କାଗଜପତ୍ର ନ ଦେଖାଇବା ପରେ ଟ୍ୟାଙ୍କରକୁ ନଂ-ଏନଏଲ୦୩ଏ-୫୬୯୫ ଆରଟିଓ କର୍ମଚାରୀ ଅଟକ ରଖିଥିଲେ। ଆଜି ସକାଳୁ ଟ୍ୟାଙ୍କର ଭିତରୁ ଗଞ୍ଜେଇ ବାସ୍ନା ହେବା ପରେ ଆରଟିଓ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆରଟିଓ ଅଫିସରେ ଛାନଭିନ କରିବା ପରେ ସନ୍ଧ୍ୟାରେ ଟ୍ୟାଙ୍କର ସହ ଡ୍ରାଇଭରକୁ ଥାନାକୁ ନେଇଛି। ଟ୍ୟାଙ୍କର ଭିତରେ କେତେ ଗଞ୍ଜେଇ ଅଛି ତାହା ଜଣା ପଡିନି। ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଟ୍ୟାଙ୍କରରୁ ବାହାର କରାଯିବ ବୋଲି ପୁଲିସ କହିଛି। ଡ୍ରାଇଭର ରାଜର କହିବା ମୁତାବକ ଟ୍ୟାଙ୍କରକୁ ବିଜୟୟାଡ଼ାରେ କିଛି ବ୍ୟକ୍ତି ଅଟକାଇ ପାର୍ସଲ ଗୁଡିକ ବିହାରର ପାଟନା ନେବା ପାଇଁ କହିଥିଲେ। ଏଥିପାଇଁ ପାଇଁ ଉକ୍ତ ବ୍ୟକ୍ତିମାନେ ଡ୍ରାଇଭର ରାଜକୁ ୧୦ ହଜାର ଟଙ୍କା ଦେଇଥିଲେ। ତେବେ ପାର୍ସଲ ଭିତରେ କଣ ଅଛି ସେ ନେଇ ଡ୍ରାଇଭର ଜାଣି ନଥିବା ପୁଲିସକୁ କହିଛି।