ଚିଟଫଣ୍ଡ ନାଁରେ ‌ଠକେଇ ମାମଲା:ସାଢ଼େ ୪ ବର୍ଷ କାରାଦଣ୍ଡ

ରାୟଗଡା: ଚାନ୍ଦିଲି ଥାନା ଜେକେପୁର ଅଞ୍ଚଳରେ ହୋଇଥିବା ଚିଟଫଣ୍ଡ ଠକେଇ ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି ରାୟଗଡା ସିଜିଏମ୍ ଜ୍ଞାନେନ୍ଦ୍ର ବାରିକ୍। ମାମଲାରେ ସଂପୃକ୍ତ ବି. ଗୌରେଶ୍ବର ରାଜଙ୍କୁ ସାଢ଼େ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୨ ହଜାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ପାଇଁ ସିଜିଏମ୍ ନିର୍ଦେଶ ଦେଇଛନ୍ତି। ୨୦୧୫ ସେପ୍ଟେମ୍ବର ୧୩ ତାରିଖରେ ଚିଟଫଣ୍ଡ ନାଁରେ ବି. ଗୌରେଶ୍ବର ରାଓ ଓ ତାଙ୍କ ପତ୍ନୀ ବି. ଗୌରୀ ଲକ୍ଷାଧିକ ଟଂକା ଠକେଇ କରିଥିବା ନେଇ ଚାନ୍ଦିଲି ଥାନାରେ ଅଭିଯୋଗ ହୋଇଥିଲା। ରଜନୀକାନ୍ତ ପାଢ଼ୀଙ୍କ ନିକଟରୁ ୧ ଲକ୍ଷ ୩୦ ହଜାର ଟଂକା ଏହି ଦଂପତି ଠକି ନେଇଥିବା ନେଇ ରଜନୀକାନ୍ତ ଅଭିଯୋଗ କରିବା ପରେ ପୁଲିସ୍ ଉଭୟଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା। ପଚରା ଉଚରା ପରେ ବିଭିନ୍ନ ଲୋକଙ୍କ ଠାରୁ ଏହି ଦଂପତି ମୋଟ ୩୨ ଲକ୍ଷ ୮୦ ହଜାର ଟଂକା ଠକିଥିବା ଜଣା ପଡିଥିଲା। ପୁଲିସ୍ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସିଜିଏମ୍ କୋର୍ଟରେ ମାମଲା ବିଚରାଧୀନ ଥିଲା। ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଜି ମାମଲାର ରାୟ ପ୍ରକାଶ ପାଇଛି। ରାୟରେ ଗୌରେଶ୍ବରଙ୍କୁ ସାଢ଼େ ୪ ବର୍ଷ ଜେଲ୍ ଦଣ୍ଡ ହୋଇଥିବା ବେଳେତାଙ୍କ ପତ୍ନୀ ବି. ଗୌରୀଙ୍କ ମାମଲାର ଶୁଣାଣି ଆସନ୍ତାକାଲି ହେବ। ସରକାରଙ୍କ ପକ୍ଷରୁ ଆଇନଜୀବୀ ରାମ ପ୍ରସାଦ ପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର