ରାୟଗଡା: ରାୟଗଡା ସହରରେ ଗତ ଦୁଇ ଦିନ ହେଲା ପିଲା ଚୋରି ଗୁଜବ ଖବରକୁ ନେଇ ହଇଚଇ ସୃଷ୍ଠି ହୋଇଥିଲା। ଲୋକେ ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ଆଉ କିଛି ଅଞ୍ଚଳ ଜେକେପୁର, ଆଂଜେୟାପେଟା ଓ ଗୁମ୍ମା ଅଞ୍ଚଳରେ ଯୁବକ ମାନେ ହାତରେ ଠେଙ୍ଗା, କୁରାଡ଼ି ଧରି ପଇଁତରା ମାରି ଜଗି ରହିଥିଲେ। ଏହିଭଳି ଗୁଜବ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଆତଙ୍କ ଖେଳିଯାଇଥିଲା। ରାୟଗଡ଼ା ଏସପି ରାହୁଲ ପିଆର ସାମ୍ବାଦିକ ସମ୍ମିଳନୀରେ ପିଲା ଚୋରି ଖବରରେ କୌଣସି ସତ୍ୟତା ନାହିଁ ବୋଲି ସ୍ପଷ୍ଟ କରି କାହାରିକୁ ମାରପିଟ ନକରିବାକୁ ଅନୁରୋଧ କରିଥିଲେ। ସହେହ ହେଲେ ପୁଲିସକୁ ସୂଚନା ଦେବାକୁ ଅନୁରୋଧ କରିଥିଲେ। ଏହାପରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଏହାସତ୍ୱେ ଗତକାଲି ରାତିରେ ଆଂଜେୟାପେଟା ଅଞ୍ଚଳରେ ଯୁବକ ମାନେ ଉତ୍ୟେକ୍ତ ହୋଇ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦଳ ଦଳ ହୋଇ ଖୋଜୁଥିଲେ। ସେପଟେ ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି ଆଜି ଗୁମ୍ମା ଅଞ୍ଚଳରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ଗତକାଲି ରାତିରେ ୩ଟି ମୋଟର ସାଇକେଲରେ ୬ ଜଣ ବ୍ୟକ୍ତି ଆସି ଗୋଟିଏ ଘରର କବାଟ ଶବ୍ଦ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ବାହାରେ ଅପେକ୍ଷା କରି ରହିବା ପରେ କେହି ନଆସିବାରୁ ଚାଲିଯାଇଥିଲେ। ତେଣୁ ଆଜି ଗୁମ୍ମାର ଅଧିକାଂଶ ପରିବାର ଘରେ ଚାବି ପକାଇ ସଂପର୍କୀୟ ଘରକୁ ଚାଲିଯାଇଥିବା ବେଳେ ଯୁବକ ମାନେ ପାଳି କରି ହାତରେ ଠେଙ୍ଗା ଓ କୁରାଡ଼ି ଧରି ଦୁର୍ବୃତ୍ତଙ୍କୁ ଧରିବାକୁ ଗାଁକୁ ଜଗି ବସିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ ଉକ୍ତ ଅଞ୍ଚଳକୁ ଯାଇ ତନାଘନା ଆରମ୍ଭ କରିଥିବା ନେଇ ଏସଡ଼ିପିଓ ରାଜ କିଶୋର ଦାଶ ସୂଚନା ଦେଇଛନ୍ତି। ସେହିଭଳି ଆଜି ରାତିରେ ଗୁଡ଼ାରି ଅନ୍ତର୍ଗତ ବେଣ୍ଟୁଗୁଡ଼ା ଗ୍ରାମବାସୀ ଜଣେ ବିହାରରୁ ଆସିଥିବା ବୃଦ୍ଧକୁ ଧରି ପୁଲିସ ଜିମା ଦେଇଥିବା ବେଳେ କୁଜେନ୍ଦ୍ରିରେ ମଧ୍ୟ ଜଣକୁ ଧରି ରାମନାଗୁଡ଼ା ପୁଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ତେବେ ଦୁଇ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକ ସନ୍ଦିଗ୍ଧ ଲୋକଙ୍କୁ ଧରି ପୁଲିସ ଜିମା ଦେବା ସଂଖ୍ୟା ୮ ରେ ପହଞ୍ଚିଛି।