ଘର ଛାଡ଼ୁଛନ୍ତି ଚିନାପାଡ଼ୁ ଗ୍ରାମବାସୀ :ଜ୍ୱର ନେଉଛି ଜୀବନ

ରାୟଗଡ଼ା: ରାୟଗଡ଼ା ବ୍ଲକ କେରେଡ଼ା ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ବିଗିଡି ଯାଇଛି । ଏହି ପଂଚାୟତର ପ୍ରାୟ ୭ରୁ ୮ଟି ଗ୍ରାମରେ ଜ୍ୱର ଓ ଝାଡ଼ାବାନ୍ତି ଲାଗି ରହିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର କୌଣସି ଟିମ୍‌ ଗ୍ରାମରେ ପହଞ୍ଚିନଥିବା ଅଭିଯୋଗ ହୋଇଛି। ଜମାଦେଇପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପିଇଓ ସୂଚନା ଦେଇଥିଲେ ବି କିଛି ସୁଫଳ ହୋଇନାହିଁ । ଗ୍ରାମରେ ଝାଡାବାନ୍ତି ସାଂଗକୁ ଜ୍ୱର ଲାଗି ରହିଥିବା ଯୋଗୁଁ ଭୟରେ ସାନପାଡ଼ୁ ଗ୍ରାମର କିଛି ପରିବାର ଘର ଛାଡ଼ି ଅନ୍ୟତ୍ର ଚାଲିଯାଉଥିବା ଜଣାପଡ଼ିଛି। ଆଜି ଗଣମାଧ୍ୟମ ପ୍ରତିନିଧି ସାନପାଡ଼ୁ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା

ବେଳେ ସମାଲୋଚନାର ଶୀକାର ହେବାକୁ ପଡ଼ିଥିଲା । ସପ୍ତାହ ହେଲା ଚିକିତ୍ସା ପାଇଁ କୈାଣସି ଡ଼ାକ୍ତର ଆସିନଥିବା ବେଳେ ଫଟୋ ଉଠାଇବାକୁ ଚାଲି ଆସିଛନ୍ତି ବୋଲି ଗ୍ରାମବାସୀ କଟୁ ମନ୍ତବ୍ୟ ଦେଇଥିଲେ । ଚିନାପାଡ଼ୁ ଗ୍ରାମର ପି କିରଣ କୁମାର ଅଭିଯୋଗ କରିଛନ୍ତି ଯେ ଗାଁର ଅଧିକାଂଶ ଲୋକ ଜ୍ୱରରେ ପୀଡିତ ହୋଇଥିବା ବେଳେ ଜଣେ ଅଂଗନୱାଡ଼ି କର୍ମୀଙ୍କ ମୃତ୍ୟୁ ହୋଇଛି । ସପ୍ତାହ ହେଲା ସ୍ୱାସ୍ଥ୍ୟ ଦଳ ଆସିବେ ବୋଲି ଆଶ୍ୱସନା ଦିଆଯାଉଥିବା ବେଳେ କାହାର ଦେଖାନାହିଁ। ଲୋକେ ଭୟଭୀତ ହୋଇ ଗାଁ ଛାଡ଼ି ଚାଲିଯାଉଛନ୍ତି ବୋଲି ଅଭିଯୋଗ କରି ତୁରନ୍ତ ଚିକିତ୍ସା ଦଳକୁ ପଠାଇବାକୁ ସେ ଅନୁରୋଧ କରିଛନ୍ତି।

ଚିନାପାଡ଼ୁ ଅଂଗନୱାଡ଼ି କର୍ମୀ ସୁକାନ୍ତି କଣ୍ଡାଗରି(୨୭)ଜ୍ୱରରେ ପୀଡିତ ହୋଇ ମୃତ୍ୟୁ ହୋଇଥିବା ସିଡ଼ିପିଓ ପୁଷ୍ପାଞ୍ଜଳୀ ମିଶ୍ର ପ୍ରକାଶ କରିଛନ୍ତି। ମୃତ୍ୟୁର କାରଣ ଡ଼େଂଗୁ ଜନିତ କି ଅନ୍ୟକାରଣ ସେ ସଂପର୍କରେ ଜାଣିନାହାନ୍ତି ବୋଲି କହିଥିଲେ। ସୂଚନାଯୋଗ୍ୟଯେ ଗାଂଗନାପେଟା, ଚିନ୍ନାପାଡ଼ୁ, ସୁଲଭା, ଅତଡ଼ା, ଖିଲିମେସଗୁଡ଼ା ଇତ୍ୟାଦି ଅଞ୍ଚଳରେ ଜ୍ୱର ଓ ଝାଡ଼ାବାନ୍ତି ଲାଗି ରହିଛି। ବିଶାଖାପାଟଣାରେ ଚିକିତ୍ସା ପାଇଁ ଅନେକ ଚାଲିଯାଉଥିବା ବେଳେ ଆର୍ଥିକ ଅବସ୍ଥା ଭଲ ନଥିବା ଲୋକ ଜମାଦେଇପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି। ନାଗାବଳୀ ନଦୀ ଆରପଟରେ ଥିବା ଗାଁ ଗୁଡ଼ିକରେ ମଧ୍ୟ ସମ୍ମାନ ପରିସ୍ଥିତି ରହିଥିବା ନେଇ ଅନୁମାନ କରାଯାଇଛି ।

କେରେଡ଼ା ଗ୍ରାମ ପଞ୍ଚାୟତ ଅଧିକାରୀ କେ ରାମାରାଓ କହିଛନ୍ତି ଯେ ଅଞ୍ଚଳରେ ଝାଡ଼ାବାନ୍ତି, ଜ୍ୱର ଲାଗି ରହିଛି । ଲୋକେ ଗାଁ ଛାଡ଼ିବା ଘଟଣାକୁ ଅସ୍ୱୀକାର କରି ଚିକିତ୍ସା ପାଇଁ ପଡୋଶୀ ଆନ୍ଧ୍ରର ପାର୍ବତୀପୁର, ବିଜୟନଗର ବିଶାଖାପାଟଣା ଇତ୍ୟାଦି ଅଞ୍ଚଳକୁ ଚାଲିଯାଉଛନ୍ତି ବୋଲି କହିଛନ୍ତି। ଏ ସଂପର୍କରେ ଜମାଦେଇପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ସି ବି ପଣ୍ଡା କହିଛନ୍ତି ଚିନ୍ନାପାଡ଼ୁ ଗ୍ରାମର ଯେଉଁମାନେ ଆକ୍ରାନ୍ତ ଥିଲେ ସେମାନେ ଔଷଧ ଖାଇବା ପରେ ଠିକ ଅଛନ୍ତି। ସୁଲଭା ଗ୍ରାମର ପୂର୍ବ ପରିସ୍ଥିତିକୁ ଦେଖି ଭୟରେ କିଛି ପରିବାର ଗ୍ରାମ ଛାଡ଼ି ଚାଲିଯାଉଥିବା ଖବର ମିଳିଛି । ଅଂଗନୱାଡ଼ି କର୍ମୀ ସୁକାନ୍ତି ପାର୍ବତୀପୁରର ଏକ ଘରୋଇ ହାସପାତଳରେ ଚିକିତ୍ସା ହେଉଥିଲେ । ତାଙ୍କ ମୃତ୍ୟୁର କାରଣ ସଂପର୍କରେ ଜାଣିନାହିଁ ବୋଲି ଡ଼ାକ୍ତର ଶ୍ରୀ ପଣ୍ଡା କହିଛନ୍ତି । ଆଜି ସେ ଡ଼େକୁଗୁଡ଼ା ଆକ୍ରାନ୍ତ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ଆକ୍ରାନ୍ତ ଅଞ୍ଚଳକୁ ନିୟମିତ ଯାଉଛି ବୋଲି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର