କାଶୀପୁରରେ କଲେରା ସଂକ୍ରମଣ ‌ହୋଇଛି ବୋଲି ସ୍ବଷ୍ଟ କଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର : ରାୟଗଡ଼ା ଜିଲ୍ଲା କାଶୀପୁରରେ କଲେରା ବା ହଇଜା ସଂକ୍ରମଣ ଚିହ୍ନଟ ‌ହୋଇଛି ବୋଲି ସ୍ବଷ୍ଟ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ ଗଣମାଧ୍ୟମରେ ତାଙ୍କର ବୟାନ ଦେଇ କହିଛନ୍ତି, କାଶୀପୁରରେ ପାଣି ସଂକ୍ରମଣ ହେତୁ କଲେରା ହୋଇଥିବା ଜଣାପଡିଛି । ପରୀକ୍ଷାରୁ କଲେରା କରାଉଥିବା ଭିବ୍ରିଓ କଲେରା ବ୍ୟାକ୍ଟେରିଆ ମିଳିଛି । ରୋଗୀଙ୍କ ରେକ୍ଟାଲ ସ୍ୱାବରୁ ମଧ୍ୟ କଲେରା ବ୍ୟାକ୍ଟେରିଆ ମିଳିଛି । ପରୀକ୍ଷା ଲାଗି ମୋଟ ୧୪ଟି ରେକ୍ଟଲ ସ୍ୱାବ ଓ ବିଭିନ୍ନ ଜାଗାରୁ ୭-୮ଟି ଜଳ ଉତ୍ସରୁ ପାଣିର ନମୁନା ନିଆଯାଇଥିଲା । ୩ଟି ପାଣି ନମୁନା ଏବଂ ୭ଟି ରେକ୍ଟାଲ ସ୍ୱାବ ନମୁନାରୁ କଲେରା ବ୍ୟାକ୍ଟେରିଆ ମିଳିଛି ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ କାଶୀପୁର ବ୍ଲକର ଟିକରି ପଞ୍ଚାୟତର ୩ଟି ଗାଁରେ ୧୨ ତାରିଖରୁ ଝାଡ଼ାବାନ୍ତି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏଥିରେ ୯୬ ଜଣ ଆକ୍ରାନ୍ତ ହୋଇଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥିତି ନିୟନ୍ତ୍ରଣ ଲାଗି ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ ଘର ଘର ବୁଲୁଛନ୍ତି । ମେଡିକାଲ ଟିମ ମୁତୟନ ହୋଇଛି । ଉତ୍କଳ ଆଲୁମିନା ହସ୍ପିଟାଲରେ ୫୦ ବେଡ଼ର ସ୍ବତନ୍ତ୍ର ଡାଇରିଆ ୱାର୍ଡ ଖୋଲାଯାଇଛି । ସେଠାରେ ୪ ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି । ରାୟଗଡାର ମେଡ଼ିସିନ ସ୍ପେସାଲିଷ୍ଟଙ୍କ ତତ୍ତ୍ବାବଧାନରେ ଚିକିତ୍ସା ଚାଲିଛି । ଭୁବନେଶ୍ୱରର ଏକ ଟିମ ଯାଇ କିଭଳି ଏହା ନବ୍ୟାପିବ ତା’ ଉପରେ କାର୍ଯ୍ୟ କରୁଛନ୍ତି । ପାଣି ଟ୍ୟାଙ୍କରରେ ଯୋଗାଇ ଦିଆଯାଉଛି । ଦୂଷିତ ପାଣି ପିଇବା ବନ୍ଦ କରାଯାଇଛି । ନାଳ ପାଣି ବ୍ୟବହାର ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ହୋଇଛି । ଲୋକଙ୍କୁ ସଚେତନ କରାଯାଉଛି । ଖାଦ୍ୟ ଓ ପାଣି ଯତ୍ନ ସହ ହାତ ଧୋଇବା ଓ ପରିମଳ ଦ୍ୱାରା ଏହାକୁ ରୋକାଯାଇପାରିବ।’

ଆପଣ ଜାଣନ୍ତି କି ଭିବ୍ରିଓ କଲେରା କ’ଣ?

ଭିବ୍ରିଓ କଲେରା ଏକ ବ୍ୟାକ୍ଟେରିଆ । ଏହା ଦ୍ବାରା ବାନ୍ତି, ତରଳ ଝାଡ଼ା ସହ ପେଟ ଦରଜ ମଧ୍ୟ ହୁଏ । ସବୁ ବ୍ୟାକ୍ଟେରିଆଠାରୁ ଏହି ବ୍ୟାକ୍ଟେରିଆ ଟିକେ ଅଲଗା । ସାଧାରଣତଃ ଏହା ଏକ ଟକସିନ ରିଲିଜ କରେ ଯାହା ପେଟରେ ଯାଇ ସଂକ୍ରମଣ କରାଇଥାଏ। ଏହି ବ୍ୟାକ୍ଟେରିଆଟି ପାଣିରେ ରହିଥାଏ। ଦୂଷିତ ପାଣି ପିଇଲେ ବା ଦୂଷିତ ପାଣିରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଲେ ଏହି ରୋଗ ହୋଇଥାଏ । ସମୁଦ୍ର ପାଣି ଓ ସମୁଦ୍ରରେ ଥିବା ଜୀବ ଯେମିତିକି ଶାମୁକା ଆଦି ଦେହରେ ଟକ୍ସିନ୍ ଲାଗିଥାଏ। ପାଣିକୁ ନ ଫୁଟେଇ ସିଧା ପିଇଲେ ବା ସିଧାସଳଖ କଞ୍ଚା ଖାଦ୍ୟ ଖାଇଲେ ବା ସି ଫୁଡ୍ ଖାଇଲେ ରୋଗ ହେବାର ଆଶଙ୍କା ଅଧିକା ରହିଛି । ଏହି ରୋଗରେ ମୃତ୍ୟୁ ହେବାର ମୁଖ୍ୟ କାରଣ ଡ଼ିହାଇଡ୍ରେସନ। ଚାଉଳ ଧୁଆ ପାଣି ପରି ଦେହରୁ ଲିକୁଇଡ ଲସ ହୋଇଥାଏ। ଏହାକୁ ରାଇସ ୱାଟର ଡାଇରିଆ ବୋଲି କୁହାଯାଏ।

ସମ୍ବନ୍ଧିତ ଖବର