ଡେଙ୍ଗଶିଳା ଚେକ୍‌ ଡ୍ୟାମ୍‌ ମରାମତି ଦାବି

କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗଶିଳା ଗ୍ରାମର ଉପର ମୁଣ୍ଡରେ ଥିବା ରାଜାମୁଣ୍ଡାରେ ଚେକ ଡ୍ୟାମ ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସେଠାକାର ଚାଷୀ ଜମିକୁ ଜଳସେଚନ ନେଇ ଚିନ୍ତିତ ହୋଇପଡିଛନ୍ତି। ସୂଚନାଥାଉକି, ଗତ ଜୁଲାଇ ମାସରେ ପ୍ରବଳ ବର୍ଷାରେ ଚେକଡ୍ୟାମ ଭାଙ୍ଗି ଯିବାରୁ ଗତ ଖରିଫରେ ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡିଥିଲା। ତେଣୁ ଚାଷ ପୂର୍ବରୁ ଚେକଡ୍ୟାମ ମରାମତି ପାଇଁ ଚାଷୀ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହି ଚେକଡ୍ୟାମ ନିର୍ମାଣ ହେଲେ ବହୁ ଜମିରେ ଧାନ ଏବଂ ସୂର୍ଯ୍ୟମୁଖୀ ଚାଷ ହୋଇପାରିବ ବୋଲି ଚାଷୀ କହିଛନ୍ତି। ଡ୍ୟାମ ମରାମତି ପାଇଁ ଅଧିକ ଅନୁଦାନ ଆବଶ୍ୟକ ପଡୁଥିବାରୁ ପଞ୍ଚାୟତ ପକ୍ଷରୁ ହୋଇପାରିବ ନାହିଁ ବୋଲି ସରପଞ୍ଚ ମମତା ତିମାକା ପ୍ରକାଶ କରିବା ପରେ ଚାଷୀ ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ବ୍ଲକ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଡ୍ୟାମ ନିର୍ମାଣ ହୋଇପାରୁନଥିବା ଚାଷୀ ଜାଣ୍ଡୁ ତିଆକା, ରବିଶଙ୍କର ତିଆକା, ଧନସିଂ ତିମାକା, ତିଆକା ରାମସିଂ ପ୍ରମୁଖ ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲା ପ୍ରସାଶନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର