ରାୟଗଡ଼ା: ଲକଡାଉନ୍ ଯୋଗୁ ହାଇଦ୍ରାବାଦ୍ ଓ ବିଶାଖାପାଟଣାରୁ ଆସି ପାରିଲାନି ଔଷଧ। ବିନା ଔଷଧରେ ଦୀର୍ଘ ଦିନ ଧରି କଲବଲ ହେଉଥିଲେ ହୃଦରୋଗ ଓ କିଡିନୀ ରୋଗୀ। ବହୁ ଚେଷ୍ଟା କରି ପରିବାର ଲୋକ ନିରାଶ ହେବା ପରେ ଶେଷରେ ଦୁଇ ରୋଗୀଙ୍କୁ ସାହା ହୋଇଛନ୍ତି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ପରିବାର ଲୋକ ନିବେଦନ ପରେ ଜିଲ୍ଲାପାଳ ଶ୍ରୀ ବେହେରା ସୁଦୂର ବିଶାଖାପାଟଣାରୁ ମେଡ଼ିସିନ୍ ଆଣି ଉଭୟ ରୋଗୀଙ୍କୁ ପ୍ରଦାନ କରିଛନ୍ତି। ରାୟଗଡ଼ା ସହରର ଇନ୍ଦିରା ନଗରରେ ରହୁଛନ୍ତି ଜି. ରୋହି ଦାସ। ବୟସ ୭୭ ବର୍ଷ। ଦୀର୍ଘ ଦିନରୁ ରୋହି ଦାସ କିଡିନୀ ରୋଗରେ ପୀଡ଼ିତ ଥିବାରୁ ହାଇଦ୍ରାବାଦରେ ପୁଅ ପାଖରେ ରହି ଚିକିତ୍ସିତ ହୋଇ ଆସୁଛନ୍ତି।
ଗତ ଫେବ୍ରୁଆରୀ ମାସରେ ୧ ମାସର ମେଡ଼ିସିନ୍ ନେଇ କିଛି ଦିନ ପାଇଁ ରୋହି ଦାସ ରାୟଗଡ଼ାସ୍ଥିତ ନିଜ ଘରକୁ ଆସିଥିଲେ। କିନ୍ତୁ ଲକଡାଉନ୍ ଯୋଗୁ ଶ୍ରୀ ଦାସ ହାଇଦ୍ରାବାଦ୍ ଫେରିପାରିନଥିଲେ। ଇତି ମଧ୍ୟରେ ତାଙ୍କର ଔଷଧ ମଧ୍ୟ ସରି ଯାଇଥିଲା। ଆବଶ୍ୟକୀୟ ଔଷଧ ରାୟଗଡ଼ାରେ ଉପଲବ୍ଧ ନଥିବା ବେଳେ ଲକଡାଉନ୍ ଯୋଗୁ କୋରିୟର୍ ବନ୍ଦ ଥିବାରୁ ପୁଅ ମଧ୍ୟ ହାଇଦ୍ରାବାଦରୁ ପଠାଇ ପାରିନଥିଲେ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଶ୍ରୀ ଦାସ। ଜୀବନ ରକ୍ଷା ପାଇଁ ପରିବାର ଲୋକ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ଜିଲ୍ଲାପାଳ ଶ୍ରୀ ବେହେରା ବିଶାଖାପାଟଣାରୁ ମେଡ଼ିସିନ୍ ମଗାଇ ରୋଗୀଙ୍କୁ ପ୍ରଦାନ କରିଛନ୍ତି।
/sambad/media/post_attachments/wp-content/uploads/2020/04/RGD_Collector-165x300.jpg)
ସେହିପରି ବିଷମକଟକ ବ୍ଲକ୍ ଚାଟିକଣାର ଅକ୍ଷୟ ଲେଙ୍କା। ବୟସ ୬୦ ବର୍ଷ। ହୃଦରୋଗରେ ପୀଡ଼ିତ ଶ୍ରୀ ଲେଙ୍କା ଦିଲ୍ଲୀରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ପ୍ରତି ମାସରେ ପୁଅ ଦିଲ୍ଲୀରୁ ମେଡ଼ିସିନ୍ ପଠାଉଥିଲେ। ଲକଡାଉନ୍ ପରିସ୍ଥିତ ପାଇଁ ମେଡ଼ିସିନ୍ କୋରିୟର୍ ମାଧ୍ୟମରେ ଆସିନପାରିବାରୁ ଶ୍ରୀ ଲେଙ୍କାଙ୍କ ପୁଅ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ଅବଗତ କରିଥିଲେ। ଇ-ମେଲ୍ ପାଇବା ପରେ ଜିଲ୍ଲାପାଳ ବିଭିନ୍ନ ସ୍ଥାନରୁ ମେଡ଼ିସିନ୍ ଯୋଗାଡ଼ କରି ଲେଙ୍କାଙ୍କ ପରିବାରକୁ ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/medicines.jpg)