ମୁଖ୍ୟମନ୍ତ୍ରୀଙ୍କ ନି‌ଷ୍ପତ୍ତିକୁ ନେଇ ଆଦିବାସୀ ଇଲାକାରେ ଚର୍ଚ୍ଚା : ବିଜୁ ଦେଇଥିଲେ ପୁଲିସ୍, ନବୀନ ଦେଲେ ଜିଲ୍ଲାପାଳ କ୍ଷମତା

ରାୟଗଡ଼ା (ନବୀନ ଚନ୍ଦ୍ର ସାହୁ): ଆଦିବାସୀ ଇଲାକାରେ ମଦ ମାଫିଆଙ୍କୁ ସାବାଡ଼ କରିବାକୁ ନବେ ଦଶକରେ ବିଜୁ ଦେଇଥିଲେ ମହିଳାଙ୍କୁ ସ୍ବତନ୍ତ୍ର ପୁଲିସ୍ କ୍ଷମତା। ବିଂଶ ଶତାବ୍ଦୀରେ କରୋନା ମହାମାରୀର ମୁକାବିଲା ଲାଗି ନବୀନ ଦେଲେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା। ଓଡ଼ିଶାର ଦୁଇ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ନେଇ ଆଦିବାସୀ ଇଲାକାରେ ଏବେ ଚର୍ଚ୍ଚା ଜୋର୍ ଧରିଛି।

ରାୟଗଡ଼ା ଜିଲ୍ଲାର ସମସ୍ତ ୧୮୨ ପଞ୍ଚାୟତରେ ନେତୃତ୍ବ ନେଉଛନ୍ତି ଆଦିବାସୀ ସଂପ୍ରଦାୟର ସରପଞ୍ଚ। ୯୪ଟି ପଞ୍ଚାୟତରେ ମହିଳା ଓ ୮୮ ପଞ୍ଚାୟତରେ ପୁରୁଷ ସରପଞ୍ଚ ଦାୟିତ୍ବରେ ଅଛନ୍ତି। ଆଦିବାସୀ ଇଲାକାରେ ଶିକ୍ଷାର ହାର କମ୍ ଥିବାରୁ  କରୋନା ମୁକାବିଲା ଲାଗି ସ୍ଥାନୀୟ ସରପଞ୍ଚଙ୍କ ଉପରେ ଭରସା କରି ନବୀନ ପଟ୍ଟନାୟକ କ୍ଷମତାର ବିକେନ୍ଦ୍ରୀକରଣ କରିଛନ୍ତି। ଲକଡାଉନ୍ ଶେଷ ହେବା ପରେ ମେ’ ୩ ତାରିଖ ପରଠୁ ବିଭିନ୍ନ ରାଜ୍ୟରେ ଫସିଥିବା ଜିଲ୍ଲାର ଲକ୍ଷାଧିକ ଲୋକ ଶ୍ରମିକ ଗାଁ ମୁହାଁ ହେବେ। ଏହି ସମସ୍ତ ଶ୍ରମିକଙ୍କୁ ନିଜ ଭାଷାରେ ସଚେତନ କରି ୧୪ ଦିନ କ୍ବାରାଣ୍ଟିନରେ ରଖିବା ପରେ ବ୍ୟକ୍ତି ପିଛା ଆର୍ଥିକ ସହାୟତା ବାବଦକୁ ୨ ହଜାର ଟଙ୍କା ଦେବାକୁ ନିର୍ଦେଶ ହୋଇଛି। ଗତକାଲି ଭିଡ଼ିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୧୮୨ ସରପଞ୍ଚଙ୍କୁ ଏ ନେଇ ଶପଥ ପାଠ କରାଇଛନ୍ତି। ଆସ୍ଥା ମଧ୍ୟ ରଖିଛନ୍ତି ୯୦ ଦଶକର ମଦ ଆନ୍ଦୋଳନ ଭଳି ବିଂଶ ଶତାବ୍ଦୀର କରୋନା ମୁକାବିଲାରେ ଆଦିବାସୀ ମହିଳା ସଫଳ ହେବେ।  ତେବେ ସରପଞ୍ଚଙ୍କୁ ଦିଆଯାଇଥିବା କ୍ଷମତାର ବ୍ୟବହାର ସମୟରେ ପୁଲିସ୍ ସହାୟତା ମିଳିବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ସରପଞ୍ଚ। ସଚେତନତାର ଅଭାବରୁ ବହୁ ସମୟରେ ଜନ ପ୍ରତିନିଧି ଆକ୍ରୋଶର ଶିକାର ହେଉଥିବାରୁ ଏହି ଦିଗ ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ହୋଇ ପଡ଼ିଛି।

ସୁମନି ଝୋଡ଼ିଆ

ସୂଚନା ମୁତାବକ, ଜିଲ୍ଲା ସଦର ମହକୁମାର ରାୟଗଡ଼ା ବ୍ଲକ ୨୮ଟି ପଞ୍ଚାୟତର ୨୬୨୪ ଜଣ ଲକଡାଉନ୍ ସମୟରେ ବାହାର ରାଜ୍ୟରେ ଅଛନ୍ତି। ଜିଲ୍ଲାର ୧୧ ବ୍ଲକ୍ କଥା ଚିନ୍ତା କରାଗଲେ ଏହି ସଂଖ୍ୟା ୧ ଲକ୍ଷ ଟପିଯିବ। ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବହୁ ଲୋକଙ୍କ ସଂପର୍କରେ ପ୍ରଶାସନ ନିକଟରେ ସଠିକ୍ ଆକଳନ ନାହିଁ। ଆନ୍ଧ୍ର, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରେ ଏହି ଶ୍ରମିକମାନେ ଫସିଛନ୍ତି। ଲକଡାଉନ୍ କଟକଣା ପ୍ରତ୍ୟାହାର ହେବା କ୍ଷଣି ଏବଂ ଟ୍ରେନ୍, ବସ୍ ଚଳାଚଳ ଆରମ୍ଭ ହେବା ପରେ ଶ୍ରମିକମାନେ ଘରମୁହାଁ ହେବେ। ଦୀର୍ଘ ଦିନ ହେଲା ଗାଁକୁ ଫେରିନଥିବା ଶ୍ରମିକମାନେ ପ୍ରଶାସନର ନିୟମ ମୁତାବକ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଜିକରଣ କରି ଘରଠୁ ଅଲଗା ହୋଇ ରହିବେ କି ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କରୋନା ସ୍ଥିତିର ମୁକାବିଲା ଲାଗି ଶ୍ରମିକଙ୍କୁ କ୍ବାରାଣ୍ଟିନରେ ରଖିବାକୁ ହେଲେ ପୁଲିସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ସରପଞ୍ଚଙ୍କୁ କ୍ଷମତା ସାଙ୍ଗକୁ ପୁଲିସ୍ ସହାୟତା ନ ମିଳିଲେ ସରକାରଙ୍କ ଯୋଜନା ଫସର ଫାଟିଯିବ। କାରଣ ନବେ ଦଶକରେ ଆଦିବାସୀ ନେତ୍ରୀ ସୁମନୀ ଝୋଡ଼ିଆ ମଦ ବିରୋଧରେ ଆରମ୍ଭ କରିଥିବା ଆନ୍ଦୋଳନ ପୁଲିସ୍ କ୍ଷମତା ବଳରେ ହିଁ ସଫଳ ହୋଇଥିଲା। ରାୟଗଡ଼ା, କଳାହାଣ୍ଡି ଜିଲ୍ଲାରେ ସୁମନୀଙ୍କ ନେତୃତ୍ବରେ ମଦ ବିରୋଧୀ ଆନ୍ଦୋଳନ ସରକାରଙ୍କୁ ପ୍ରଭାବିତ କରିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସୁମନୀଙ୍କ ସମେତ ୭ ମହିଳାଙ୍କୁ ସ୍ବତନ୍ତ୍ର ପୁଲିସ୍ କ୍ଷମତା ପ୍ରଦାନ କରିଥିଲେ। କଳାହାଣ୍ଡି ଜିଲ୍ଲାର ବିଶ୍ବନାଥପୁରରରେ ୭ ଜିଲ୍ଲାର ଆଦିବାସୀ ମହିଳାଙ୍କୁ ନେଇ ଅନୁଷ୍ଠିତ ସମାବେଶ ପରେ ପ୍ରାୟ ଇଲାକାରେ ମଦ ବିକ୍ରି ବନ୍ଦ ହୋଇଯାଇଥିଲା। ସେହି ସମୟରେ ବିଜୁ ବାବୁଙ୍କ ଏପରି ପଦକ୍ଷେପକୁ ଭାରତ ସମେତ ବାହାର ଦେଶ ମଧ୍ୟ ପ୍ରଶଂସା କରିଥିବା ବେଳେ ଏବେ ନବୀନଙ୍କ ନିଷ୍ପତ୍ତି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ୍ୟ ହୋଇଛି।

ସମ୍ବନ୍ଧିତ ଖବର