ଗୁଣପୁର: ରାୟଗଡ଼ାଜିଲ୍ଲା ପଦ୍ମପୁର ଥାନା ଭୌରଵ ସାହୁଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ପଦ୍ମପୁର ପୋଲିସ ଥାନା କେସ ନମ୍ବର ୬୦/ ୨୦୨୫ ରେ ହୋଇଥିବା ମାମଲାରେ ହାଇକୋର୍ଟ ୮ ଜଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହି ଘଟଣାରେ ସାତ ନାବାଳକ ସହ ୩୪ ଜଣଙ୍କୁ ଗିରଫ ହୋଇ ଜେଲରେ ଥିଲେ। ହାଇକୋର୍ଟରୁ ୮ ଜଣଙ୍କୁ ଜାମିନ ମିଳିବା ପରେ ଅଭିଯୁକ୍ତମାନେ ନିଜ ଓକିଲଙ୍କ ଜରିଆରେ ଆଦେଶର କପିକୁ ଗୁଣପୁର ଏଡିଜେ କୋର୍ଟରେ ଦାଖଲ କରିଥିଲେ । ଏହାପରେ ଏ ଡି ଜେ ଦେବଦତ୍ତ ପଟ୍ଟନାୟକ ସେମାନଙ୍କୁ ଜାମିନର ସର୍ତ୍ତାବଳୀ ପୂରଣ କରିବା ପରେ ଖଲାସ କରିଥିଲେ l
ସୂଚନାଯୋଗ୍ୟ ଯେ ୨୦୨୪ ଏପ୍ରିଲ ୨୧ ତାରିଖ ରାତିରେ ପଦ୍ମପୁର ଥାନା ଜୁମୁରୁଗୁଡା ତେଲି ସାହିରେ ଗୁଣି ଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଆକ୍ରମଣରେ ଭୌରଵ ସାହୁ ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୨୨ ଜଣ ଅଭିଯୁକ୍ତଙ୍କ ସହ ୭ ନାବାଳିକକୁ ପୋଲିସ ପୂର୍ବରୁ ଗିରଫ କରିଥିଲା ଓ ପରେ ଆଉ ୫ ଜଣଙ୍କୁ ଗିରଫ କରିଥିଲା । ଏହି ମାମଲାରେ ନାବାଳକ ୭ ଜଣଙ୍କୁ ମିଶାଇ ୩୪ ଜଣ ଗିରଫ ହୋଇଥିଲେ l
ନାବାଳକଙ୍କୁ ଛାଡ଼ି ଗିରଫ ୨୭ ଜଣଙ୍କ ମଧ୍ୟରୁ ଓଡ଼ିଶା ହାଇକୋର୍ଟ ୮ ଜଣଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ l ଆଦିତ୍ୟ ସାହୁ, ରଂଜନ ସାହୁ, ସଞ୍ଜୁ ସାହୁ, କାହ୍ନୁ ସାହୁ, ବଂଶି ସାହୁ, ଡମ୍ବ ସାହୁ, ଦୀପୁ ସାହୁ, ଗଦାଧର ସାହୁଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଆଜି ଗୁଣପୁର ଏଡିଜେ କୋର୍ଟରୁ ଜାମିନ ଖଲାସ ହୋଇଥିବା ତାଙ୍କ ଓକିଲ ପ୍ରଦୀପ ଦାସ ଓ ଗୌରୀ ଶଙ୍କର ଦାସ ସୂଚନା ଦେଇଛନ୍ତି ।