ପଥର ଖାଦାନରୁ ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

ବିଷମକଟକ: ରାୟଗଡା ଜିଲ୍ଲା ମୁନିଗୁଡା ଗ୍ରାମର ସୁଭେନ୍ଦୁ ଦାଶଙ୍କ ନିଖୋଜ ପୁଅ ଆଦିତ ଦାଶଙ୍କ ଗଳିତ ଶବ ଆଜି ସକାଳେ ଗୋଟିଏ ପଥର ଖାଦାନରୁ ଜବତ କରାଯାଇଛି। ଗତ ୨ତାରିଖ ଠାରୁ ଆଦିତ୍ୟ ନିଖୋଜ ଥିଲା। ଆଜି ସକାଳେ ବିଷମକଟକ ବ୍ଲକ ଅନ୍ତର୍ଗତ ଗୋତିଗୁଡା ନିକଟରେ ରହିଥିବା ପଥର ଖାଦାନରେ ଜଣେ ଯୁବକର ଶବ ପଡିଥିବା ଖବର ପ୍ରଚାରିତ ହୋଇଥିଲା ପଥର ଖାଦାନ ଦୀର୍ଘ ଦିନ ହେବ କାର୍ଯ୍ୟକ୍ଷମ ନହୋଇ ରହିଥିବାରୁ ସେଥିରେ ପାଣି ଜମି ରହିଥିଲା। ପଥର ଖାଦାନର ଗୋଟିଏ କୋଣରେ ଶବ ପଡିଥିବା ଖବର ପାଇ ବିଷମକଟକ ଥାନା ଅଧିକାରୀ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରିଥିଲେ। ତେବେ ଗଳିତ ଅବସ୍ଥାକୁ ଚାଲି ଆସିଥିବା ଶବକୁ ପ୍ରଥମେ ଚିହ୍ନଟ କରାଯାଇ ପାରିନଥିଲା। ଏହାପରେ ବିଷମକଟକ ଏବଂ ମୁନିଗୁଡା ଥାନରେ ରୁଜୁ ହୋଇଥିବା ନିଖୋଜ ମାମଲାର ଅନୁଧ୍ୟାନ କରି ଅଭିଯୋଗ କରିଥିବା ପରିବାର ସଦସ୍ୟଙ୍କୁ ଘଟଣା ସ୍ଥଳକୁ ଡକା ଯାଇଥିଲା। ତେଣୁ ମୁନିଗୁଡା ଗ୍ରାମର ଶୁଭେନ୍ଦୁ ଦାଶ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେ ବି ଶବ ଚିହ୍ନଟ କରିପାରି ନଥିଲେ। ପରବର୍ତୀ ସମୟରେ ତାଙ୍କ ପତ୍ନୀ ପହଞ୍ଚି ପୁଅ ପିନ୍ଧିଥିବା ହଳଦିଆ ରଙ୍ଗର ସାର୍ଟ ଏବଂ ଡେଉଁରିଆକୁ ଚିହ୍ନଟ କରିଥିଲେ।
ଚଳିତ ମାସ ୨ତାରିଖରୁ ନିଖୋଜ ଆଦିତ୍ୟ ସଂପର୍କରେ ୬ତାରିଖ ଦିନ ଶୁଭେନ୍ଦୁ ଦାଶ ମୁନିଗୁଡା ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଖୋଜାଖୋଜି ଆରମ୍ଭ କରିଥିଲେ ହେଁ ସନ୍ଧାନ ପାଇ ନଥିଲା। ଶେଷରେ ଆଜି ସକାଳେ ବିଷମକଟକ ପୁଲିସ ଶବ ମିଳିଥିବା ଖବର ପାଇ ପହଞ୍ଚି ଜବତ କରିଛି। ଯୋଜନାବଦ୍ଧ ଭାବେ ପୁଅକୁ ହତ୍ୟା କରାଯାଇଥିବା ଶୁଭେନ୍ଦୁ ଅଭିଯୋଗ କରିଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଚତୁର୍ଭୁଜ ନାୟକ ସୂଚନା ଦେଇଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ଶବ ଯେଉଁ ପଥର ଖାନାନରୁ ମିଳିଛି ତାହା ଜିଭିଆର୍‌ ରାସ୍ତା ନିର୍ମାଣକାରୀ ସଂସ୍ଥା ସରକାରଙ୍କ ଠାରୁ ଲିଜ୍‌ ସୂତ୍ରରେ ନେଇଥିଲା। ଆବଶ୍ୟକ ପରିମାଣର କଂଚାମାଲ ଉତ୍ତୋଳନ କରି ଖାଦାନକୁ ବିପଦ ସଙ୍କୁଳ ଅବସ୍ଥାରେ ଛାଡି ଚାଲିଯାଇଛି। ତେଣୁ କୌଣସି ମୁହୂର୍ତରେ ଅଘଟଣ ଘଟିପାରେ ବୋଲି କୁହାଯାଉଛି। ଏଥିପ୍ରତି ନା ଠିକା କମ୍ପାନି ଦୃଷ୍ଟି ଦେଲା ନା’ ପ୍ରଶାସନିକ ଅଧିକାରୀ ମାନେ ଦୃଷ୍ଟି ଦେଉଛନ୍ତି। ପଥର ଖନନ ପରେ ସୃଷ୍ଟି ଗାତରେ ପାଣି ଜମି ପୋଖରୀ ରୂପ ନେଇଛି। ଏହି ଖାଦାନ ମଧ୍ୟକୁ ପାଣି ପିଇବା ପାଇଁ ଗାଈଗୋରୁ ଯାଇ ବିଭିନ୍ନ ସମୟରେ ମୃତ୍ୟୁବରଣ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାନଗଲେ ଆଗାମୀ ଦିନରେ ପୁଣି ଅଘଟଣା ଘଟିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର