ଡେଙ୍ଗୁ ନେଲା ଜୀବନ: କଲେଜ ଛାତ୍ରଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଗତ ଦୁଇ ମାସ ହେଲା ଡେଂଗୁ ଜ୍ୱର ଥମିବାରେ ନା ନେଉନାହିଁ। ଆଜି ରାତିରେ କଲେଜ ଛାତ୍ର ମିଶାଲୁ ପ୍ରେମ କୁମାର (୧୭)ଙ୍କ ବିଶାଖାପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଡେଙ୍ଗୁ ଜ୍ୱରରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରେଳବାଇ କର୍ମଚାରୀ ମିଶାଲୁ ତିରପତିଙ୍କ ପୁଅ ପ୍ରେମ କୁମାର ଗତ ରବିବାର ଦିନ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣା ସ୍ଥାନାନ୍ତିରତ କରାଯାଇଥିଲା। ସେଠାରେ ରକ୍ତ ନମୁନା ପରୀକ୍ଷା କରିବାରୁ ଡେଂଗୁ ବୋଲି ଚିହ୍ନଟ କରାଯାଇ ଚିକିତ୍ସା କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ରାତିରେ ତାଙ୍କ ମରଶରୀରକୁ ରାୟଗଡ଼ା ଅଣାଯାଇ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ମୃତ ପ୍ରେମ କୁମାର ଝାରସୁଗୁଡା କଲେଜରେ ଯୁକ୍ତ ୨ରୁ ଉତ୍ତୀର୍ଣ୍ଣ ହୋଇ ଯୁକ୍ତ ୩ ରେ ନାମ ଲେଖାଇଥାନ୍ତେ ବୋଲି ସୂଚନା ମିଳିଛି। ସେହିଭଳି ଆଜି ସକାଳେ ହୋଟେଲ ସ୍ୱାଗତର ସୁପରଭାଇଜର ସୂରୀ ନାରାୟଣଙ୍କ ମା’ମଧ୍ୟ ଜ୍ୱରରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ରକ୍ତରେ କଣିକା କମ ଥିବାରୁ ଡେଂଗୁ ଜ୍ୱରରେ ପୀଡିତ ଥିଲେ ବୋଲି ଅଭିଯୋଗ କରାଯାଇଛି।
ସୂଚନାଯୋଗ୍ୟ, ରାୟଗଡ଼ା ବ୍ଲକ ଅଞ୍ଚଳରେ ଦୁଇ ମାସ ହେଲା ଡେଂଗୁ ଜ୍ୱର ବହୁ ଜଣ ଆକ୍ରାନ୍ତ ହୋଇସାରିଲେଣି। ଅଧିକାଂଶ ରୋଗୀଙ୍କୁ କୋରାପୁଟ, ବ୍ରହ୍ମପୁର ଓ ବିଶାଖାପାଟଣା ଠାରେ ଚିକିତ୍ସା କରାଯାଉଛି। ଏଥିପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ଘଟଣାକୁ ସିଡିଏମଓ ଚନ୍ଦ୍ରିକା ପ୍ରସାଦ ଦାଶ ଅସ୍ୱୀକାର କରିଥିଲେ। ଅପରପକ୍ଷରେ ପୌରପାଳିକା କର୍ତ୍ତୃପକ୍ଷ ମଶା ଉପଦ୍ରବ ରୋକିବାକୁ ସହରର ସାହି ସାହି ବୁଲି ରାସାୟନିକ ଧୂଆଁ ଛାଡ଼ି ଡେଂଗୁ ନିରାକରଣ ପାଇଁ ଉଦ୍ୟମ କରାଯାଉଛି ବୋଲି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଏମ.ଏଲ ଜୈନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର