ରାୟଗଡ଼ାରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣସତ୍ୟାଗ୍ରହ:ଠକ ସଂସ୍ଥାର ସଂପତ୍ତି ବ୍ୟାଜାପ୍ତ କରାଯାଉ: ସୌମ୍ୟରଂଜନ

ରାୟଗଡ଼ା: ଚଟଫଣ୍ଡ ସଂସ୍ଥାକୁ ନିଜ କଷ୍ଟାର୍ଜିତ ସଂଚୟ ଟଙ୍କା ଦେଇ ଠିକାମିର ଶିକାର ଗରିବ ଜମାକାରୀଙ୍କୁ ନ୍ୟାୟ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାନ୍ତୁ। କ୍ଷତିଗ୍ରସ୍ତ ଜମାକାରୀ କୌଣସି ଗୋଟିଏ ଦଳର ନୁହଁନ୍ତି। କ୍ଷତିଗ୍ରସ୍ତଙ୍କ ମଧ୍ୟରେ ସବୁ ଦଳର ସମର୍ଥକ ଅଛନ୍ତି। ତେଣୁ ଏହାକୁ ନେଇ ରାଜନୀତି କରଣ କରନଯାଉ। ପ୍ରତ୍ୟେକ କ୍ଷତିଗ୍ରସ୍ତ ଜମାକାରୀ କିଭଳି ନିଜ ଜମା ଟଙ୍କା ଫେରି ପାଇବେ ସେଥିପାଇଁ ସମସ୍ତଙ୍କ ଉଦ୍ୟମ ରହିବା ଆବଶ୍ୟକ। ରାଜ୍ୟ ଚିଟଫଣ୍ଡ ଜମାକାରୀ ମିଳିତ ମଞ୍ଚର ଉପଦେଷ୍ଟା ତଥା ରାଜ୍ୟସଭା ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ ରାୟଗଡ଼ାରେ ଆଜି ଏହି କଥା କହିଛନ୍ତି। ଜମାକାରୀଙ୍କ ଗଣସତ୍ୟାଗ୍ରହରେ ସାମିଲ ହୋଇ ଶ୍ରୀ ପଟ୍ଟନାୟକ ପୁଣି କହିଥିଲେ ଯେ, ଏହି ଦାବି ଦୀର୍ଘ ଦିନର। ଗତ ସାଧାରଣ ନିର୍ବାଚନ ପୂର୍ବରୁ ସରକାର କର୍ପସ ପାଣ୍ଠି ଗଠନ କରି ଜମାକାରୀଙ୍କ ଟଙ୍କା ଫେରାଇବା ବ୍ୟବସ୍ଥା କରିବେ ବୋଲି ଘୋଷଣା କରିଥିଲେ। ପୁଣି ନିର୍ବାଚନ ଆସିବାକୁ ଥିବା ବେଳେ ଏପର୍ଯ୍ୟନ୍ତ ଜମାକାରୀ ଟଙ୍କା ଫେରସ୍ତ ପାଇ ନାହାନ୍ତି। ତେଣୁ ସରକାରଙ୍କୁ ଚେତାଇବା ପାଇଁ ଆଜି ଏହି ଗଣସତ୍ୟାଗ୍ରହରେ କ୍ଷତିଗ୍ରସ୍ତ ଜମାକାରୀ ସାମିଲ ହୋଇଛନ୍ତି। ଆଇନର ଗଳା ବାଟ ଦେଇ ଠକ ସଂସ୍ଥା ଯେଭଳି ଗରିବ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରି ନେଲେ। ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡା ଆଇନ କରନ୍ତୁ। ଭବିଷ୍ୟତରେ ଯେମିତି ଲୋକେ ଠକାମିର ଶିକାର ନହେବେ ତାହାକୁ ଦୃଷ୍ଟିରେ ରଖି ଠକ ସଂସ୍ଥାର ମାଲିକଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କରାଯାଉ। ଠକ ସଂସ୍ଥା ଗୁଡିକର ସଂପତ୍ତି ବ୍ୟାଜାପ୍ତି କରି କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରାଇବା ବ୍ୟବସ୍ଥା କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ। ଶେଷରେ ସେ ତହସିଲ ତଥା ଜିଲ୍ଲା ପ୍ରଶାସନ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାକୁ କହିଥିଲେ।
ଏହି ଅବସରରେ ମିଳିତ ମଞ୍ଚର ଅନ୍ୟତମ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ ଅଭିଯୋଗ କରିଥିଲେ ଯେ, ଓଡ଼ିଶା ଜମାକାରୀ ସ୍ୱାର୍ଥରକ୍ଷା ଆଇନ ପ୍ରଣୟନ ସହ ୩୦୦ କୋଟି ଟଙ୍କା କର୍ପସ ପାଣ୍ଠି ସରକାର ଗଠନ କରିଥିଲେ। ବର୍ତମାନ ସୁଦ୍ଧା ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯାଇନାହିଁ। ବିଭିନ୍ନ ଆଳରେ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ବିଳମ୍ବିତ କରାଯାଉଛି। ଯଦି ଗରିବ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ନମିଳିଲେ ଚରମ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଥିଲେ। ମଞ୍ଚର ରାଜ୍ୟ ଆବାହାକ ଜୟନ୍ତ ଦାସ ଉଦବୋଧନ ଦେଇ ୫ବର୍ଷ ହେଲା ଆନ୍ଦୋଳନ ଜାରି ରହିଥିବା ବେଳେ ରାଜ୍ୟ ସରକାର ଜମାକାରୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି। ଜମାକାରୀ ସଂଗଠିତ ହୋଇ ନିଜ କଷ୍ଟ ଅର୍ଜିତ ଟଙ୍କା ପାଇଁ ମକଦ୍ଦମା ସହ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ଵାନ ଦେଇଥିଲେ। ଅନ୍ୟତମ ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ, ଅନୁରାଧା ସୁବୁଦ୍ଧି ପ୍ରମୁଖ ଜମାକାରୀ ସଂଗଠିତ ହୋଇ ସହଯୋଗ ଜାରି ରଖିଲେ ନ୍ୟାୟ ନିଶ୍ଚିତ ମିଳିବ ବୋଲି ଆଶ୍ୱସନା ଦେଇଥିଲେ।
ସ୍ଥାନୀୟ କୋରାପୁଟ ଛକ ଠାରୁ ଆଜି ସକାଳ ପ୍ରାୟ ୧୦ଟାରେ ଜମାକାରୀଙ୍କ ବିଶାଳ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ୫ହଜାରରୁ ଊର୍ଧ୍ୱ ଜମାକାରୀ ସାମିଲ ହୋଇଥିବା ବେଳେ ବହୁ ସଂଖ୍ୟାରେ ମହିଳା ଜମାକାରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିଲେ। ମିଳିତ ମଞ୍ଚର ଉପଦେଷ୍ଟା ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହାପରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ସଭାସ୍ଥଳରେ ପହଞ୍ଚି ଜମାକାରୀ ମଞ୍ଚର ନେତାଙ୍କ ସହ ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ। ଏହି ସମୟରେ ଗୁଣପୁର ଉପଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମିଳିତ ମଞ୍ଚର ଦକ୍ଷିଣ ଓଡ଼ିଶା ଆବାହାକ ପ୍ରଦୀପ ମହାରଣା, ପଶ୍ଚିମ ଓଡ଼ିଶା ଆବାହାକ ବିଭୁଦତ୍ତ ମିଶ୍ର, ରାୟଗଡ଼ା ଜିଲ୍ଲାର ବଳରାମ କୌଶଲ୍ୟା, ପୁନିଆ ପାଲକିଆ, ତମନ୍ନା ତାଡ଼ଂଗି, ରଂଜିତ ସୁନା, ଅରକ୍ଷିତ ବେହେରା, ବିଜୟ ତାଡିଙ୍ଗି, ତ୍ରିନାଥ ତାଡିଙ୍ଗି ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ରାୟଗଡ଼ା ଆଇଆଇସି ରବିନ୍ଦ୍ର କୁମାର ପାତ୍ର ଓ ଏସଆଇ ଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଇନ ଶୃଂଖଳା ପରିସ୍ଥିତି ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର