ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳଝିରି ପଞ୍ଚାୟତର ରାଶିଝିରି ଗ୍ରାମର ମଦନ ଗଉଡ(୩୩) ଜଣ ଦିବ୍ୟାଙ୍ଗ ଅଟନ୍ତି। ପରିବାର କହିଲେ ତିନି ଝିଅ,ଗୋଟିଏ ପୁଅ ଓ ସ୍ତ୍ରୀଙ୍କୁ ମିଶାଇ ୬ ପ୍ରାଣୀ କୁଟୁମ୍ବ। ଦିନ ମଜୁରିଆ ଭାବେ କାମ କରି ସେ ନିଜର ପରିବାରର ପ୍ରତିପୋଷଣ କରୁଥିଲେ। ସ୍ତ୍ରୀ ରଇଲା ମଧ୍ୟ ଦିବ୍ୟାଙ୍ଗ। କିନ୍ତୁ ପରିବାର ଚଳାଇବାରେ ସେ ସିଦ୍ଧହସ୍ତ। ଗାଁରେ ଏବଂ ବ୍ଲକରେ କାମ ନମିଳିବାରୁ ମଦନ ବାଧ୍ୟ ହୋଇ ପୋଡ଼ସୀ ରାଜ୍ୟ ତାମିଲନାଡୁ ସ୍ଥିତ କୋଇମୁତୁର ଜିଲ୍ଲାର କୌଣସି ଏକ ଘରୋଇ ସଂସ୍ଥାରେ ଦୈନିକ ମଜୁରିଆ ଭାବେ କାର୍ଯ୍ୟରତ ଥିଲେ।ମଦନ ଯାହା ରୋଜଗାର କରୁଥିଲେ ସେସବୁ ପରିବାରକୁ ପଠାଇ ଦେଉଥିଲେ।ଦୀର୍ଘ ଦିନ ହେଲା ସେ ଗାଁକୁ ଫେରି ନାହାନ୍ତ।ତେବେ ମଦନ କାମ କରୁଥିବା ବେଳେ ତାଂକର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଲଛି।କିନ୍ତୁ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି।

Advertisment

ସ୍ବାମୀର ମୃତ୍ୟୁରେ ସ୍ତ୍ରୀ ରଇଲା ଏବେ ଅସହାୟ।ଚାରି ପିଲାଙ୍କୁ କିପରି ସେ ବଡ଼ ମଣିଷ କରିବ ସେନେଇ ଚିନ୍ତାରେ ପଡ଼ିଛି। ପିଲାମାନେ ମଧ୍ୟ ବାପାକୁ ହରାଇ ଏବେ ବାପଛେଉଣ୍ଡ ହୋଇଗଲେ। ମଦନ ଜଣେ ମାତ୍ର ରୋଜଗାରିଆ ହୋଇଥିବାରୁ ଏବେ ଦୁଇ ବେଳା ଭାତ ମୁଠାଏ ପାଇଁ ସେମାନଙ୍କୁ ବାରଦ୍ବାର ଶୁଣ୍ଢିପିଣ୍ଡା ହେବାକୁ ପଡିବ। ଦିବ୍ୟାଙ୍ଗ ହୋଇ ମଧ୍ୟ ମଦନ କାହା ପାଖରେ ହାତ ନପତାଇ ନିଜେ କାମ କରି ପରିବାର ଚଳାଉଥିଲେ।ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ପରିବାର ଏବେ କିପରି ଚଳିବ ସେନେଇ ଗ୍ରାମବାସୀ ମଧ୍ୟ ଚିନ୍ତାରେ ପଡିଛନ୍ତି। ସରକାରଙ୍କ ତରଫରୁ ଏହି ଅସହାୟ ପରିବାରକୁ ସହଯୋଗର ହାତ ନବଢାଯାଏ ତେବେ ପରିବାର ଦାଣ୍ଡର ଭିକାରୀ ହେବା ଆଶଂକା ରହିଛି।ଶ୍ରମ ବିଭାଗ ପକ୍ଷରୁ ଦିବ୍ୟାଙ୍ଗ ଦାଦନର ମୃତ୍ୟୁରେ ସରକାରୀ ସହାୟତା ପ୍ରଦାନ ନେଇ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି।