ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକରେ ବିଡ଼ିଓଙ୍କୁ ତାଗିଦ୍, ୩ ମାସରେ ବିକାଶମୂଳକ କାମ ସାର, ନଚେତ୍ କାର୍ଯ୍ୟାନୁଷ୍ଠାନ

ରାୟଗଡ଼ା : ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପିଇବା ପାଣି, ବିଦ୍ୟୁତ, ଗ୍ରାମ୍ୟ ରାସ୍ତା, ମନରେଗା, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ଗୃହ, ଆକାଂକ୍ଷୀ ଉଚ୍ଚ ବିଦ୍ୟାଳୟ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ଭାରତ ମିଶନ ଉପରେ ଆଲୋଚନା ହୋଇଥିଲା। ମୌଳିକ ସୁବିଧା ସୁଯୋଗ ନଥିବା ଗାଁ ଗୁଡ଼ିକରେ ୩ ମାସ ମଧ୍ୟରେ ବିକାଶ ପହଞ୍ଚାଇବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳ ବିଦ୍ୟୁତକରଣ ଉପରେ ଆଲୋଚନା କରି ଜିଲ୍ଲାପାଳ ବିଦ୍ୟୁତ ନଥିବା ଗାଁ ଗୁଡିକୁ ସାଉଥକୋ ଏବଂ ବ୍ଲକ କର୍ମଚାରୀ ମିଳିତ ଭାବେ ସର୍ଭେ କରି ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବେ। ଡିସେମ୍ବର ୩୧ ତାରିଖ ସୁଦ୍ଧା ସଂପୂର୍ଣ୍ଣ ବିଦ୍ୟୁତକରଣ କାର୍ଯ୍ୟକ୍ରମ ଶେଷ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହ ଗୁଡିକୁ ମଧ୍ୟ ବିଦ୍ୟୁତକରଣ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ମନରେଗା ଯୋଜନାରେ ଜିଲ୍ଲାର ରାସ୍ତାନଥିବା ୪୨୩ ଗାଁକୁ ୩ ମାସ ମଧ୍ୟରେ ରାସ୍ତା ନିର୍ମାଣ କରିବାକୁ ସଂପୃକ୍ତ ବିଡ଼ିଓଙ୍କୁ ନିର୍ଦେଶ ହୋଇଛି। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଗୋଟିଏ ପାର୍କ, ପାଠାଗାର, ସ୍ୱୟଂ ସହୟାକ ଗୋଷ୍ଠୀ ପାଇଁ ଗୃହ, ଖେଳ ପଡିଆ, ସ୍ୱଚ୍ଛ ଭାରତ ମିଶନ ପାଇଁ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ ଆସନ୍ତା ୩ ମାସରେ ନିର୍ମାଣ କରାଯିବ। ଅଣ କୁଶଳୀ ଶ୍ରମିକଙ୍କୁ ଅଧିକରୁ ଅଧିକ କାମ ଯୋଗାଇବାକୁ ପ୍ରାକୃତିକ ସମ୍ବଳ ବିନିଯୋଗ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ବିଡ଼ିଓଙ୍କୁ କୁହାଯାଇଛି। ଓଡ଼ିଶା ଜୀବିକା ମିଶନ ଜରିଆରେ ସୀମାନ୍ତ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ କାମ ଯୋଗାଇବାକୁ ବିଡ଼ିଓଙ୍କୁ ନିର୍ଦେଶ ହୋଇଛି। ଉତ୍ପାଦିତ ଦ୍ରବ୍ୟର ବିପଣନ ପାଇଁ ଏସଏଚଜିକୁ ଯଥେଷ୍ଟ ସହାୟତା ଯୋଗାଇ ଦିଆଯିବ। ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହରେ ପାଣି, ପାଇଖାନା, ବିଦ୍ୟୁତ ସଂଯୋଗ କରି ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ସିଡିପିଓଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି। ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ ମଧ୍ୟ ତୁରନ୍ତ ସାରି ସିଡିପିଓଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି। ଆକାଂକ୍ଷା ଉଚ୍ଚ ବିଦ୍ୟାଳୟ ଗୁଡିକର ରୂପାନ୍ତରୀଣ ପାଇଁ ନିର୍ମାଣ  କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ୨୫ ସୁଦ୍ଧା ସାରିବାକୁ ବିଡିଓଙ୍କୁ କୁହାଯାଇଛି।  ପାନୀୟ ଜଳ ବିଷୟରେ ଆଲୋଚନା କରି ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ପାଣି ଯୋଗାଇବାକୁ ନିର୍ଦେଶ ହୋଇଛି। ସ୍ଵଚ୍ଛ ଭାରତ ମିଶନ ଜରିଆରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରାଯିବ। ରାସ୍ତାଘାଟ, ବିଦ୍ୟୁତ, ପିଇବା ପାଣି ନଥିବା ଗ୍ରାମରେ ବିକାଶମୂଳକ କାମ ନ କଲେ ବିଡ଼ିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଘରଡ଼ିହ ନଥିବା ଲୋକଙ୍କୁ ତହସିଲଦାର ଜମି ଦେବା ସହ କ୍ଲଷ୍ଟର ଗୃହ ନିର୍ମାଣ କରିବାକୁ ନିର୍ଦେଶ ହୋଇଛି। ବୈଠକରେ ପିଡି ଡିଆରଡିଏ ମହେଶ୍ୱର ନାଏକ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସମସ୍ତ ବିଡ଼ିଓ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର