ରାୟଗଡ଼ା (ଇମିସ): ରେଳ ଷ୍ଟେସନ ଜଗିବ ଡ୍ରୋନ୍। ଆକାଶ ମାର୍ଗରୁ ଆଜି ଏହାର ପରୀକ୍ଷଣ ଶେଷ ହୋଇଛି। ପ୍ଲାଟଫର୍ମ ସମେତ ରେଲୱେ ଟ୍ରାକ୍, ଗୁଡ୍ ସେଡ୍ ଅଞ୍ଚଳ, ତେଲ ଡିପୋ, କର୍ମଚାରୀ କଲୋନୀ, ଅଫିସର କ୍ଲବ୍, ଯାନ୍ତ୍ରିକ ବିଭାଗ, ଷ୍ଟେସନ ପ୍ରବେଶ ପଥ ଉପରେ ଡ୍ରୋନ୍ ରଖିବ ତୀକ୍ଷଣ୍ ନଜର। ଲକଡାଉନ୍ କାରଣରୁ କମ୍ ସଂଖ୍ୟକ ସୁରକ୍ଷାକର୍ମୀ, ଗ୍ୟାଙ୍ଗମ୍ୟାନ୍ ମୁତୟନ ହୋଇଥିବାରୁ ସୁରକ୍ଷା ଲାଗି ଏପରି ପଦକ୍ଷେପ ନେଇଛି ରେଳ ବିଭାଗ।
ଦୈନିକ ୫୦ରୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ରାୟଗଡ଼ା ଷ୍ଟେସନ ଦେଇ ଯାତାୟତ କରିଥାଏ । କରୋନା ମୁକାବିଲା ପାଇଁ ଯାତ୍ରୀବାହୀ ରେଳ ଚଳାଚଳ ଉପରେ ରୋକ୍ ଲାଗିବା ପରେ ୨୫ ତାରିଖରୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ମାଲବାହୀ ଟ୍ରେନ୍ ଚଳାଚଳକୁ ଅନୁମତି ମିଳିଛି। ଫଳରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଯାତ୍ରୀ ରେଳପଥରେ ଚାଲି ଚାଲି ନିଜ ଘରକୁ ଫେରୁଥିବା ବେଳେ କିଛି ମାଲବାହୀ ଟ୍ରେନରେ ବସି ଆସୁଥିବାର ନଜିର ରହିଛି। ବିପଦଜନକ ଭାବେ ଶ୍ରମିକମାନେ ରେଳପଥରେ ମାଇଲ ମାଇଲ କିମି ଚାଲି ଫେରୁଥିବା ବେଳେ ଶ୍ରମିକଙ୍କ ଉପରେ ବିଭାଗ ନଜର ରଖିପାରୁନି। ଅଘଟଣ ଏଡାଇବାକୁ ଉକ୍ତ ଶ୍ରମିକଙ୍କ ଉପରେ ନଜର ରଖିବାକୁ ବିଭାଗ ଡ୍ରୋନର ସହାୟତା ନେଇଛି। ଅନଲୋଡିଂ ପାଇଁ ଶ୍ରମିକ ନଥିବାରୁ ଗୁଡ୍ ସେଡ୍ ଅଞ୍ଚଳରେ ମାଲ ପଡ଼ି ରହିଛି। ସେହିପରି ତେଲ ଡିପୋ ସମେତ ରେଳ ବିଭାଗର ରାକ୍ ସାଇଡିଂରେ ଚୋରି ଆଶଙ୍କା ରହିଥିବାରୁ ଏହି ସବୁ ଅଞ୍ଚଳରେ ସୁରକ୍ଷାଜନିତ ଗତିବିଧି ଅନୁମାନ କରିବାକୁ ବିଭାଗ ପକ୍ଷରୁ ଆଜି ଆକାଶ ମାର୍ଗରୁ ଡ୍ରୋନ୍ ଦ୍ବାରା ଅନୁଧ୍ୟାନ କରାଯାଇଛି। ଅନ୍ୟପକ୍ଷରେ ଅଫିସର ଓ କର୍ମଚାରୀ କଲୋନୀରେ ରହୁଥିବା କର୍ମଚାରୀଙ୍କୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଥିବାରୁ କଲୋନୀରେ ସୁରକ୍ଷା ଯୋଗାଇବା ଦିଗରେ ଡ୍ରୋନ୍ ସହାୟତା କରିବ ବୋଲି କହିଛନ୍ତି ରେଲୱେ ପୁଲିସ୍ ଫୋର୍ସ (ଆରପିଏଫ୍) ଇନସପେକ୍ଟର୍ ଡି. ଏନ୍. ତ୍ରିଲୋକ୍। ପ୍ରାଥମିକ ପର୍ଯ୍ୟାୟରେ ଡ୍ରୋନର ପରୀକ୍ଷଣ ପାର୍ବତୀପୁରମ୍, ବବଲି, କୁନେରୁ, ରାୟଗଡ଼ାରେ ଶେଷ ହୋଇଛି। ଆସନ୍ତାକାଲି ସିଙ୍ଗାପୁର ରୋଡ୍ ଷ୍ଟେସନରେ ଏହାର ପରୀକ୍ଷଣ ହେବ। ଏହା ପରେ କେଉଟଗୁଡା, ଭାଲୁମାସ୍କା, ଟିକିରି, ଲକ୍ଷ୍ମୀପୁର, କାକିରିଗୁମ୍ମା ସମେତ କୋରାପୁଟ ଷ୍ଟେସନରେ ଏହାର ପରୀକ୍ଷଣ ହେବ।
ଆକାଶ ମାର୍ଗରୁ ରେଳ ଷ୍ଟେସନ ଜଗିବ ଡ୍ରୋନ୍ , କର୍ମଚାରୀ ଓ ରେଳ ସଂପତ୍ତିକୁ ଦେବ ସୁରକ୍ଷା
/sambad/media/post_attachments/wp-content/uploads/2020/04/rail-drone.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)