ନିୟମଗିରି ଅଞ୍ଚଳରେ ବିଜୁଳି ଆଲୁଅ ସାତ ସପନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗରି ପାହାଡିଆ ଗାଁରେ ବସବାସ କରୁଥିବା ଡଙ୍ଗିଆ କନ୍ଧମାନଙ୍କ ପାଇଁ ବିଜୁଳି ଆଲୁଅ ଏବେ ବି ସାତସପନ। ଏହି ପଞ୍ଚାୟତରେ ୩୨ଟି ଗ୍ରାମ ଥିବା ବେଳେ ପାହାଡ ତଳର କିଛି ଗାଁକୁ ଛାଡିଦେଲେ ଅନ୍ୟ ଦୁର୍ଗମ ଗାଁ ସବୁ ଅନ୍ଧାରରେ ରହିଛି। ବିଦ୍ୟୁତ୍‌ ଯୋଗାଣ ପାଇଁ କିଛି ସ୍ଥାନରେ ଖୁଣ୍ଟ ପୋତା ଯାଇଥିଲେ ମଧ୍ୟ ଆଉ କାମ ଆଗକୁ ବଢ଼ିପାରିନି। ତତ୍କାଳୀନ ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି ଡଙ୍ଗରିଆଙ୍କ ଅଞ୍ଚଳର ଉନ୍ନତି ପାଇଁ ଚେଷ୍ଟା କରିବା ସହ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ମାସରେ ଦୁଇଥର ପାର୍ସାଲି ଅଞ୍ଚଳ ଗସ୍ତ କରୁଥିଲେ। ଏଥିସହ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସେହି ଅଞ୍ଚଳକୁ ନେଇ ବିକାଶ ପାଇଁ ଉଦ୍ୟମ କରିଥିଲେ। ତାଙ୍କ ସମୟରେ ପାର୍ସାଲିକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ପାର୍ସାଲି ଠାରୁ ଦୁଇ କିମି ବାଟ ଦୂର ସାନଡେଙ୍ଗଲେଲି ଗ୍ରାମରେ ସେ ବିଦ୍ୟୁତ ସେବା ପହଞ୍ଚାଇଥିଲେ। ତେବେ ଏହାପରେ କିନ୍ତୁ ଆଉ ଲୋକେ ସେବା ପାଇଲେନି। ପ୍ରାୟ ପାଞ୍ଚମାସ ହେଲା ଏଠାରେ ବିଜୁଳି ଆଲୁଅ ନାହିଁ। ଏହା ପରଠାରୁ ବିଦ୍ୟୁତକରଣ ଯୋଜନା ଅଟକି ଯାଇଛି। ତୁରନ୍ତ ଡଙ୍ଗରିଆ ଅଞ୍ଚଳରେ ବିଦ୍ୟୁତ ସେବା ଯୋଗାଇ ଦେବା କ୍ଷେତ୍ରରେ ଜିଲ୍ଲାପ୍ରସାଶନ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର